ନିର୍ଦ୍ଧାରିତ ସମୟ ସମୟସୀମା ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ପୂରଣ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।
ଭୁବନେଶ୍ୱର(ଶାସକ ପ୍ରଶାସକ) - ରାଜ୍ୟ ଜଳ ସମ୍ପଦ , ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ସ୍ଥାନୀୟ ରାଜୀବ ଭବନ ସ୍ଥିତ ଜଳ ସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ବିଭିନ୍ନ ଶାଖାର କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ବିଭାଗର ପ୍ରମୁଖ ଶାସନ ଶ୍ରୀମତୀ ଅନୁ ଗର୍ଗ, ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭାଗୀୟ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଓ ଏହି କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ରାଜ୍ୟରେ ଜଳ ସଂପଦର ବିକାଶ, କୃଷି ପାଇଁ ଜଳ ସେଚନର ସୁବିଧା ଓ ଆନୁଷଙ୍ଗିକ କ୍ଷେତ୍ର ନିମନ୍ତେ ଜଳର ଆବଶ୍ୟକତା ପୂରଣ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଜନ ସାଧାରଣ, ଜଳ ସଂପଦ ବିଭାଗ ଠାରୁ ଯେଉଁ ଆଶା ରଖିଛନ୍ତି, ତାହାକୁ ଦୃଷ୍ଟିରେ ରଖି ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ପରସ୍ପର ସହଯୋଗ ରଖି ନିଷ୍ଠାର ସହିତ କାର୍ଯ୍ୟ କରି ଧାର୍ଯ୍ୟ ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରନ୍ତୁ । କୋଭିଡ୍ ମହାମାରୀ, ପରିବେଶ ମଂଜୁରୀ, ବୈଷୟିକ ସମସ୍ୟା ଯୋଗୁଁ ଗତ ଆର୍ଥିକ ବର୍ଷରେ କାର୍ଯ୍ୟ କିଛି ପରିମାଣରେ ବିଳମ୍ବିତ ହୋଇଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀମାନଙ୍କ ପ୍ରଚେଷ୍ଟାରେ ଫଳରେ ଗତ ଆର୍ଥିକ ବର୍ଷରେ ବ୍ୟୟ ବରାଦ ଅନୁସାରେ କାର୍ଯ୍ୟ ସନ୍ତୋଷଜନକ ହୋଇଥିବା ମନ୍ତ୍ରୀ କାର୍ଯ୍ୟ ସମୀକ୍ଷା ଆଧାରରେ ପ୍ରକାଶ କରିଥିଲେ । ବୈଠକରେ ନିର୍ମାଣାଧିନ ବୃହତ୍, ମଧ୍ୟମ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ମେଗା ଉଠାଜଳସେଚନ ପ୍ରକଳ୍ପର ଅଗ୍ରଗତି,ପ୍ରକଳ୍ପ ଖର୍ଚ୍ଚ ଅଟକଳ ଓ ଧାର୍ଯ୍ୟ ଲକ୍ଷ୍ୟ, ବିଭିନ୍ନ ବ୍ୟାରେଜ୍ ପ୍ରକଳ୍ପ ଓ ସେତୁ ନିର୍ମାଣ,ବନ୍ଧ ନିରାପତା, ବିଭାଗରେ ୫-ଟି ଆଧାରରେ କାର୍ଯ୍ୟ ତଦାରଖ ବ୍ୟବସ୍ଥା, ଅଭିଯୋଗ ପରିଚାଳନା ବ୍ୟବସ୍ଥା ‘ସେଚ ସମାଧାନ’, ଗଭୀର ସେଚକୂପ ଖନନ, ପାଣି ପଂଚାୟତ ଗଠନ ଓ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଥିଲା । ଦୀର୍ଘ ଦିନରୁ ଫଇସଲା ହୋଇନଥିବା ୯୧୪୫ ଜଣ ଓ.ଏଲ୍ .ଆସି .ସି ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଭବିଷ୍ୟନିଧି ପାଣ୍ଠି ବ୍ୟବସ୍ଥିତ ହେବା ବଡ୍ ଉପଲବ୍ଧି ବୋଲି ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ତଥା ରାଜ୍ୟ ଉଠାଜଳସେଚନ ନିଗମ ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ପ୍ରକାଶ କରିଥିଲେ । ଓ.ଏଲ୍.ଆଇ.ସି ରେ ଅଦ୍ୟାବଧି ୩୮,୩୩୩ ଟି ଦରଖାସ୍ତ ଗଭୀର ସେଚ କୂପ ଖନନ ପାଇଁ ଅନ୍ଲାଇନ ଆବେଦନ ଗୃହୀତ ହୋଇଥିବା ଜଣାଯାଇଛି । ବିଭାଗୀୟ ମୁଖ୍ୟ ଯନ୍ତ୍ରୀ , ବନ୍ୟା ନିୟନ୍ତ୍ରଣ, ଗତ ବନ୍ୟାରେ ବିଭିନ୍ନ ଜିଲ୍ଲାରେ ୭୯୫ ଟି ସ୍ଥାନରେ ସୃଷ୍ଟ ଘାଇ ମରାମତି କରାଯାଇଥିବା ପ୍ରକାଶ କରିଥିଲେ । ବିଭାଗୀୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ ଓ ସବୋଚ୍ଚ ଯନ୍ତ୍ରୀଙ୍କ ତଦାରଖ ଏବଂ କ୍ଷେତ୍ର ସ୍ତରରେ ଯନ୍ତ୍ରୀମାନଙ୍କ ତପôରତାର ସହ କାର୍ଯ୍ୟ ଯୋଗୁଁ ବହୁ ସ୍ଥାନରେ ସମ୍ଭାବ୍ୟ ବନ୍ୟାକୁ ରୋକାଯାଇ ପାରିଥିଲା ବୋଲି ମୁଖ୍ୟଯନ୍ତ୍ରୀ ପ୍ରକାଶ କରିଥିଲେ ।
ଆଗାମୀ ବର୍ଷ ପାଇଁ ଯେଉଁଠାରେ ଦୁର୍ବଳ ନଦୀବନ୍ଧ ରହିଛି, ସେସବୁକୁ ଏପ୍ରିଲ ମାସରେ ଯୁଗ୍ମ ଯାଂଚ କରାଯାଇ ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ମୌସୁମୀ ପୂର୍ବରୁ ବନ୍ଧ ନିରାପତା ଯାଂଚ, ବନ୍ଧ ନିରାପତା ତଦାରଖ ପାଇଁ ଯନ୍ତ୍ରୀମାନଙ୍କୁ କ୍ଷେତ୍ର ସ୍ତରରେ ପ୍ରଶିକ୍ଷଣ ଦିଆଯିବା, ମୁଖ୍ୟମନ୍ତ୍ରୀ ଆଡି ବନ୍ଧ ନିର୍ମାଣ ଯୋଜନାରେ ବିଭିନ୍ନ ସ୍ଥାନରେ ଆଡିବନ୍ଧ ନିର୍ମାଣ, ଭୂତଳ ଜଳ ଉତ୍ସର ଭରଣ ପାଇଁ ବ୍ୟବସ୍ଥା, ସେଚାଂଚଳ ଉନ୍ନୟନ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକଳ୍ପରେ ବିସ୍ଥାପିତ ଓ ସେମାନଙ୍କର ପୁନର୍ବାସ ବ୍ୟବସ୍ଥା ଆଦି ସଂପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ତ୍ରିବିକ୍ରମ ପ୍ରଧାନ, ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ସର୍ବୋଚ୍ଚ ଯନ୍ତ୍ରୀ , ପ୍ଲାନିଂ ଓ ଡିଜାଇନ୍ ଇଂ. ଧୀରେନ କୁମାର ସାମଲଙ୍କ ସମେତ ବିଭାଗୀୟ ଅନ୍ୟ ବରିଷ୍ଠ ପଦାଧିକାରୀ, ବିଭିନ୍ନ ଶାଖାର ମୁଖ୍ୟ ଯନ୍ତ୍ରୀମାନେ ଯୋଗଦେଇ ପାୱାର ପଏଣ୍ଟ ଜରିଆରେ କାର୍ଯ୍ୟ ଅଗଗତି ସମ୍ପର୍କରେ ତଥ୍ୟ ରଖିଥିଲେ ।