ଝାରସୁଗୁଡ଼ା :(ସୁଭାଷ ସହାରେ)- ରାଜ୍ୟ ବିଦ୍ୟୁତ ବିଭାଗକୁ ଟାଟା କମ୍ପାନୀ ହାତରେ ଟେକି ଦେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ବିଦ୍ୟୁତ ଦର ରାଜ୍ୟବାସୀଙ୍କ ପାଇଁ ଏକ ବୋଝରେ ପରିଣତ ହୋଇ ସାରିଥିବା ବେଳେ ବର୍ତ୍ତମାନ ବେସରକାରୀ କମ୍ପାନୀ ଦ୍ଵାରା ପରିଚାଳିତ ହେଉଥିବା ଯୋଗୁଁ ଲୋକମାନଙ୍କ ପାଇଁ ଆହୁରି କଷ୍ଟଦାୟକ ହେବ। ତେଣୁ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ବିରୋଧରେ ଆଜି ଜିଲ୍ଲା କଂଗ୍ରେସ କମିଟି ତରଫରୁ ରାଜ୍ୟପାଳ ଓ ମୂଖ୍ୟମନ୍ତ୍ରୀଙ୍କୁ ଦୁଇଟି ପୃଥକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭରତ ଅୱସ୍ତି ମୂଖ୍ୟମନ୍ତ୍ରୀ ଓ ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ମନୀଷ ବାଜପେୟୀ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ଦୁଇଟି ପୃଥକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଥିରେ ରାଜ୍ୟ ବିଦ୍ୟୁତ ଉତ୍ପାଦନ କରୁଥିବା ବେଳେ ନିଜ ରାଜ୍ୟର ଲୋକଙ୍କୁ ଚଢ଼ା ଦାମରେ ବିଜୁଳି ଯୋଗାଇଦେବା ଓ ବାହାର ରାଜ୍ୟକୁ ବିଜୁଳି ବିକିବାର ଅଭିଯୋଗ ଉଠାଇଛି କଂଗ୍ରେସ। ଟାଟା କମ୍ପାନୀ ବିଦ୍ୟୁତ ବିଭାଗର ଠିକା ନେବା ପରେ ସାତ ମାସରେ ୨ ଥର ଶୁଳ୍କ ବଢ଼ାଇ ସାରିଛି, ଯାହା ଲୋକଙ୍କ ପାଇଁ ଆର୍ଥିକ ବୋଝ ବୋଲି କଂଗ୍ରେସ ଦଳ ଅଭିଯୋଗ ଆଣିଛି। ରାଜ୍ୟର ଶିଳ୍ପ ପ୍ରତିଷ୍ଠାନମାନଙ୍କୁ ହଜାର ହଜାର କୋଟି ଟଙ୍କା ବିଦ୍ୟୁତ ଶୁଳ୍କ ଛାଡ଼ କରି ଗରିବ ଜନତାଙ୍କ ଉପରେ ବୋଝ ଲଦି ଦେଉଛନ୍ତି ସରକାର। ଏତଦବ୍ୟତୀତ ନୋଟବନ୍ଦୀ ଓ କୋରୋନା ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସେମାନଙ୍କ ଉପରେ ଏହିପରି ଆଉ ଏକ ଆର୍ଥିକ ବୋଝ ଲଦିବାକୁ କଂଗ୍ରେସ ଦଳ ନାପସନ୍ଦ କରିଛି। ତେଣୁ ଲୋକଙ୍କ ଉପରୁ ବର୍ଦ୍ଧିତ ବିଦ୍ୟୁତ ଦର ବାତିଲ କରିବା ପାଇଁ କଂଗ୍ରେସ ଦଳ ଦାବୀ କରିଛି।