ବିଶାଳ ମଟର ସାଇକେଲ ରାଲିରେ ବିଜେଡି ପାଇଁ ଭୋଟ ଭିକ୍ଷା କଲେ ବିଧାୟକ ଦେବୀରଞ୍ଜନ
ପିପିଲି ( ଶାସକ ପ୍ରଶାସକ) : ପିପିଲି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାରକୁ ଜୋରଦାର ଚଳାଇଛି | ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଂଚାୟତରେ ଯୁବଛାତ୍ର ଦାୟିତ୍ୱରେ ଥିବା ନେତୃବୃନ୍ଦ ଅଂଟାଭିଡି ଜୋରଦାର ପ୍ରଚାର ଚଳାଇଥିବା ବେଳେ ଟିମ ଲିଡର ଛାତ୍ର ବିଜେଡି ସଭାପତି ତଥା ବାଂକୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ରୁଦ୍ର ମହାରଥିଙ୍କ ସପକ୍ଷରେ ଗତକାଲି କରାଯାଇଛି ଜୋରଦାର ନିର୍ବାଚନୀ ପ୍ରଚାର | ପିପିଲି ନିର୍ବାଚନମଣ୍ଡଳୀରେ ଚାଲିଥିବା ବିକାଶ ଧାରାକୁ ଜାରି ରଖିବା ପାଇଁ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବା ସହ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ସକାଶେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ପାଇଁ ବିଧାୟକ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି | .
ବେରବୋଇ ପଂଚାୟତ ଛାତ୍ର ଦାୟିତ୍ୱରେ ଥିବା ଦେବୀ ପ୍ରସାଦ ଲେଙ୍କା, ଛାତ୍ରନେତା ସଂଜୀବ କୁମାର ସ୍ୱାଇଁ, ବାପୁନ ମେକାପ ଓ ଶୋଭନ ମହାନ୍ତିଙ୍କ ଆବାହକତ୍ୱରେ ବେରବୋଇ ପଂଚାୟତର ଯୁବ ଛାତ୍ର ଗୋଷ୍ଠୀ ୧୮୦ରୁ ଉର୍ଧ୍ଵ ମୋଟରସାଇକେଲକୁ ନେଇ ଏକ ରାଲି ଅନୁଷ୍ଠିତ ହୋଇଥିଲା | ବିଧାୟକ ଶ୍ରୀ ତ୍ରିପାଠୀ, ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବେରବୋଇ ପଂଚାୟତର ମନିଜପୁର ଠାରେ ସ୍ୱାଗତ କରାଯିବା ସହ ସେଠାରୁ ମଟରସାଇକେଲ ରାଲି ବାହାରି ପଣ୍ଡାସାହି ବ୍ରହ୍ମେଶ୍ୱର ମନ୍ଦିରର ଶେଷ ହୋଇଥିଲା | ବିଭିନ୍ନ ସ୍ଥାନରେ ଅଟକି ପାଦରେ ଚାଲିଚାଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରାର୍ଥୀ ଓ ଛାତ୍ରନେତାମାନେ ରୁଦ୍ର ମହାରଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ |
ସୂଚନାଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନରେ ବିଜେଡି ସେହି ପଂଚାୟତରେ ୪୦୦ରୁ ଉର୍ଧ୍ଵ ଭୋଟ ମାଇନସ ଥିଲା | ଚଳିତ ଉପନିର୍ବାଚନ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ପଂଚାୟତରେ ନିର୍ବାଚନ ପ୍ରଚାର କରିବାକୁ ଯାଇଥିବା ବିଜେଡି ନେତାମାନଙ୍କୁ କିଛି ସ୍ଥାନୀୟ ଲୋକଙ୍କ ବିରୋଧ ସମ୍ମୁଖୀନ ହେବାକୁ ପଡିଥିଲା | ହେଲେ ଗତ କିଛି ଦିନ ମଧ୍ୟରେ ଟିମ ଲିଡର ଦେବୀ ପ୍ରସାଦ ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଯୁବ ଛାତ୍ର ଗୋଷ୍ଠୀ ପକ୍ଷରୁ ଲଗାତାର ଉଦ୍ୟମ ପରେ ଏବେ ପଂଚାୟତରେ ସ୍ଥିତି ପଲଟିବା ଆରମ୍ଭ ହୋଇଛି | ବିଜେଡି ପ୍ରାର୍ଥୀ ଶ୍ରୀ ମହାରଥୀଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି | ଗତକାଲିର ବିଶାଳ ମଟର ସାଇକେଲ ରାଲି ଆଉ ପ୍ରଚାରବେଳେ ସ୍ଥାନୀୟ ଲୋକଙ୍କ ସମର୍ଥନରୁ ତାହା ସ୍ପଷ୍ଟ ପ୍ରତୀୟମାନ ହୋଇଛି |