"ଲୋକସଭା ବା ରାଜ୍ୟସଭାରେ ବିଧାୟକ କିମ୍ବା ସାଂସଦମାନେ ବାଚସ୍ପତି ବା ଅଧ୍ୟକ୍ଷଙ୍କ ନିଷ୍ପତ୍ତି ସହିତ ସହମତ ନାହାନ୍ତି ତାହେଲେ, ସେମାନେ ତାଙ୍କ ଉପରକୁ ଚପଲ ଫୋପାଡିବେ ? ସିଏଏ, କୃଷକ ବିଲ୍, ଦିଲ୍ଲୀ ଏନ୍ସିଟି ଭଳି ଅନେକ ସ୍ପର୍ଶକାତର ବିଲ୍ ସଂସଦରେ ଆସିଥିଲା ଓ ଅନେକ ସଦସ୍ୟ ଏହାକୁ ନେଇ ଅରାଜି ଥିଲେ, ତେବେ କଣ ସଦସ୍ୟମାନେ ଜୋତା ଓ ଚପଲ ଫୋପାଡିବେ କି !"
ଭୁବନେଶ୍ୱର : ଓଡିଶା ବିଧାନସଭାର ବାଚସ୍ପତିଙ୍କ ଉପରେ ଭାରତୀୟ ଜନତାପାର୍ଟିର ବିଧାୟକମାନେ ଗତକାଲି ଚପଲ ଫୋପାଡିଥିଲେ ଯାହା କି ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜ୍ୟାଜନକ । ବିଜେପି ବିଧାୟକଙ୍କ ଏଭଳି ଦୁଃଖଦ ଓ ଅଶୋଭନୀୟ ଘଟଣାକୁ ସାଢେ ଚାରିକୋଟି ଓଡିଶାବାସୀ ତୀବ୍ର ନିନ୍ଦା ଓ ସମାଲୋଚନା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଡକ୍ଟର ପାତ୍ର କହିଛନ୍ତି ଯେ ଆମେ ଆଶା କରୁଥିଲୁ ଗୋଟିଏ ରାତି ଗାନ୍ଧୀ ପ୍ରତିମୂର୍ତ୍ତିତଳେ ବସିଲା ପରେ ସେମାନଙ୍କୁ ସଦ୍ବୁଦ୍ଧି ମିଳିଥିବ ଓ ତାଙ୍କର ଜ୍ଞାନଚକ୍ଷୁ ଖୋଲିଥିବ । କିନ୍ତୁ ତାହା ହେଲାନାହିଁ । ଆଜି ସକାଳେ ସେମାନଙ୍କ ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଯାଇଛି । ଏ ପ୍ରକାର ହିଂସା ଭିଆଇଲା ପରେ ମଧ୍ୟ ଆଜି ପୁଣି ଯାଇ ରାଜ୍ୟପାଳଙ୍କୁ ଭେଟିବାରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ବିଜେପି ବିଧାୟକମାନେ ନିଜର ହିଂସ୍ର ଆଚରଣକୁ ଘଣ୍ଟ ଘୋଡାଇବାକୁ ଅପଚେଷ୍ଟା କରୁଛନ୍ତି ଓ ଲୋକଙ୍କ ଆଖିରେ ଧୂଳିଦେଇ ଏହି ପ୍ରସଙ୍ଗକୁ ଏଡାଇ ଯିବାକୁ ଚାହୁଁଛନ୍ତି । ଚୋର ମୁହଁ ଟାଣ ଭଳି ଭୁଲ କରି ମଧ୍ୟ ନିଜର ଭୁଲ୍କୁ ଠିକ୍ କହିବାର କୌଶଳ ବିଜେପି ବିଧାୟକମାନଙ୍କୁ ଜଣା ବୋଲି ଡକ୍ଟର ପାତ୍ର କହିଛନ୍ତି ।
ସେ କହିଛନ୍ତି ଯେ ବିଜେପି ବିଧାୟକମାନେ କ’ଣ ଏହା ସୂଚାଇ ଦେବାପାଇଁ ଚାହୁଁଛନ୍ତି ଯେ ଯଦି ବିଧାନସଭା କିମ୍ବା ଲୋକସଭା ବା ରାଜ୍ୟସଭାରେ ମାନ୍ୟବର ବିଧାୟକ କିମ୍ବା ସାଂସଦମାନେ ବାଚସ୍ପତି ବା ଅଧ୍ୟକ୍ଷଙ୍କ ନିଷ୍ପତ୍ତି ସହିତ ସହମତ ନାହାନ୍ତି ତାହେଲେ, ସେମାନେ ତାଙ୍କ ଉପରକୁ ଚପଲ ଫୋପାଡିବେ ? ସିଏଏ, କୃଷକ ବିଲ୍, ଦିଲ୍ଲୀ ଏନ୍ସିଟି ଭଳି ଅନେକ ସ୍ପର୍ଶକାତର ବିଲ୍ ସଂସଦରେ ଆସିଥିଲା ଓ ଅନେକ ସଦସ୍ୟ ଏହାକୁ ନେଇ ଅରାଜି ଥିଲେ, ତେବେ କଣ ସଦସ୍ୟମାନେ ଜୋତା ଓ ଚପଲ ଫୋପାଡିବେ କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ।
ବିଜେଡି ମୁଖପାତ୍ର କହିଛନ୍ତି ଯେ ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଏବଂ ଏଠାରେ ଲୋକମାନେ ସମସ୍ତ ପ୍ରକାରର ହିଂସା ବିଶେଷକରି ଜନପ୍ରତିନିଧିଙ୍କ ଦ୍ୱାରା କରାଯାଉଥିବା ହିଂସାକୁ ପ୍ରତ୍ୟାଖ୍ୟାନ କରିଥାନ୍ତି । ଆମେ ଆଶା କରୁଛୁ ଏବେ ବି ସମୟ ଅଛି, ଆନ୍ତରିକତାର ସହ ନିଜର ଭୁଲ୍ ପାଇଁ ବିଜେପି ବିଧାୟକମାନେ ସାଢେ ଚାରିକୋଟି ଓଡିଶାବାସୀଙ୍କୁ କ୍ଷମାମାଗି ପ୍ରାୟଶ୍ଚିତ କରନ୍ତୁ । ଏହା ନକଲେ କେବଳ ଓଡିଶାବାସୀ ନୁହନ୍ତି, ସେମାନଙ୍କ ନିର୍ବାଚନ ମଣ୍ଡଳୀର ଭୋଟରମାନେ ବି ବିଜେପି ବିଧାୟକମାନଙ୍କୁ କ୍ଷମା କରିବେ ନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି ।