-
ଛତିଶଗଡ଼ରେ କୋରୋନାର ଭୟାବହତାକୁ ନେଇ ଝାରସୁଗୁଡ଼ା ପ୍ରଶାସନ ସଜାଗ।
-
ବନ୍ଦ ହେଲା ଜିଲ୍ଲାର ୭୭ଟି ସାପ୍ତାହିକ ହାଟ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଛତିଶଗଡ଼ରେ କୋରୋନାର ଦ୍ବିତୀୟ ଲହରୀର ଭୟାବହତାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ କଡ଼ାକଡ଼ି ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସୀମାନ୍ତବର୍ତ୍ତୀ କନକତୋରା ଜାତୀୟ ରାଜପଥରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଆରଟିଓ ଅଧିକାରୀ ଓ ପୋଲିସର ମିଳିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଛତିଶଗଡ଼ରୁ ଆସୁଥିବା ଓ ଓଡ଼ିଶାରୁ ଯାଉଥିବା ସମସ୍ତ ଯାନକୁ ବିଭିନ୍ନ ଭାବରେ ପରୀକ୍ଷା କରି ସାରିବା ପରେ ହିଁ ଛଡ଼ାଯାଉଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀଙ୍କୁ ହେଲମେଟ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଉଛି। ବସରେ ମଧ୍ୟ କ୍ଷମତା ଅନୁଯାୟୀ ଯାତ୍ରୀ ନେବା ପାଇଁ, ଯାତ୍ରୀଙ୍କୁ ଛିଡ଼ା କରି ନ ନେବା ପାଇଁ ତଥା ମାସ୍କ ପିନ୍ଧିବାକୁ ବାଧ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲା ବର୍ତ୍ତମାନ ଅନେକ କଟକଣାରେ। ଜିଲ୍ଲାର ସମସ୍ତ ହାଟକୁ ବନ୍ଦ କରି ଦିଆଯାଇଛି। ଆସନ୍ତା କାଲିଠାରୁ ଝାରସୁଗୁଡ଼ା ସମେତ ରାଜ୍ୟର ଦଶଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ରାତ୍ର ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏହି ସମୟ ମଧ୍ୟରେ କେବଳ ଆବଶ୍ୟକୀୟ ସାମଗ୍ରୀ ଓ ସେବା ବ୍ୟତୀତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଜରୁରୀ କାଳୀନ ସେବା ଯଥା ପୋଲିସ, ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ବ୍ୟତୀତ ଆଇଟି, ଶିଳ୍ପସଂସ୍ଥା, ରେଲୱେ, ପରିବହନ,ପାନୀୟ ଜଳ ବିଭାଗକୁ ଏହି ସବୁ କଟକଣାରୁ ବାଦ ଦିଆଯାଇଛି।
ସୂଚନା ଯୋଗ୍ୟ ଯେ ଝାରସୁଗୁଡ଼ା ଜିଲ୍ଲାରେ ଗତକାଲି ୧୩ ଜଣ କୋରୋନା ସଂକ୍ରମିତଙ୍କ ଚିହ୍ନଟ କରାଯାଇଥିବା ବେଳେ ଆଜି ୧୭ ଜଣ ଚିହ୍ନଟ ହୋଇଛନ୍ତି।