ହେଡଲାଇନସ୍:

ଚଳିତ ବର୍ଷ ରାଜ୍ୟ ରେ ୧୦୦୦ କିମି ରାସ୍ତା ଓ ତିରିଶଟି ସେତୁ ନିର୍ମାଣ କରାଯିବ : ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେଲା ଆସ୍କା ସେତୁ 

ଭୁବନେଶ୍ୱର :  ଚଳିତ ବର୍ଷ ରାଜ୍ୟ ରେ ୧୦୦୦ କିମି ରାସ୍ତା ଓ ତିରିଶ ଟି ସେତୁ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆସ୍କା ସେତୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି " ଆଜି ଆସ୍କାରେ ଏକ ଗୁରୁତ୍ବପୂର୍ଣ୍ଣ ସେତୁର  ଉଦଘାଟନ କରାଗଲା । ବ୍ରିଟିଶ ସମୟର ଦୁଇଟି ପୁରୁଣା ବଦଳରେ ଏହାକୁ ନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ବରକୁ ଦୂରତା ମଧ୍ୟ କମିବ । ଏହାଦ୍ବାରା ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଗମନାଗମନରେ ଉପକୃତ ହେବେ" |

      ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି "ଗଞ୍ଜାମ ଜିଲ୍ଲା ଆମ ରାଜ୍ୟର ଏକ ସମୃଦ୍ଧ ଜିଲ୍ଲା ଓ ବାଣିଜ୍ୟ କେନ୍ଦ୍ର । ଜିଲ୍ଲାର ଜନସାଧାରଣ ସେମାନଙ୍କ ପରିଶ୍ରମ  ପାଇଁ ସୁନାମ  ହାସଲ କରିଛନ୍ତି । ଏହି ସେତୁ ଦ୍ବାରା ଜିଲ୍ଲାର ବାଣିଜ୍ୟ କାରବାର, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ମୁଁ ଆଶା କରୁଛି । ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ମୋ ସରକାର ଭିତ୍ତିଭୂମିର ବିକାଶ ପାଇଁ ନିଷ୍ଠାର ସହ କାମ କରୁଛି।  ସଡକ, ସେତୁ ନିର୍ମାଣରେ ଆଖିଦୃଶିଆ ବିକାଶ ହୋଇଛି । ପର୍ଯ୍ୟଟନ, କ୍ରୀଡା ଆଦି  କ୍ଷେତ୍ରରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରାଯାଉଛି।  ଚଳିତ ଆର୍ଥିକ ବର୍ଷରେ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ବଡ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ।  ଏଥିପାଇଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାସହିତ ବିଜୁ ସେତୁ ଯୋଜନାରେ ପ୍ରାୟ ୧୦୦୦ କୋଟି ଟଙ୍କା ଓ ଗ୍ରାମ ସଡକ ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।" 

ମୁଖ୍ୟମନ୍ତ୍ରୀ କହିଛନ୍ତି  ଯେ "ରାଜ୍ୟର ଭିତ୍ତିଭୂମି ଆପଣମାନଙ୍କ ସମ୍ପତ୍ତି । ଆପଣଙ୍କ ଟଙ୍କାରେ, ଆପଣଙ୍କ ସୁବିଧା ପାଇଁ ଏହା ନିର୍ମାଣ କରାଯାଉଛି । ତେଣୁ ଆପଣମାନେ ଏହି ସମ୍ପତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି । ଗଞ୍ଜାମ ଜିଲ୍ଲା କୋଭିଡ ପରିଚାଳନା କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଛି । ଏଥିପାଇଁ ଜିଲ୍ଲାର ଜନସାଧାରଣଙ୍କୁ ମୁଁ ଧନ୍ୟବାଦ ଦେଉଛି । କିନ୍ତୁ ବିପଦ ଏବେ ବି ଯାଇନାହିଁ । ଦ୍ଵିତୀୟ ୱେଭର ଭୟ ରହିଛି । ତେଣୁ  ଆପଣମାନେ କୋଭିଡର ସବୁ ନିୟମକୁ ପାଳନ କରନ୍ତୁ । ମାସ୍କ ପିନ୍ଧୁନ୍ତୁ, ହାତ ଧୁଅନ୍ତୁ ଓ ଭିଡ ଜାଗାରେ ସାମାଜିକ ଦୂରତ୍ୱ ରକ୍ଷାକରନ୍ତୁ " ବୋଲି ଲୋକମାନଙ୍କୁ  ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ଆସ୍କା ଏମପି ଆସ୍କା ବିଧାୟକ ଜିଲ୍ଲା  ପରିଷଦ ସଭାପତି  ଓ ଜିଲ୍ଲାପାଳ ପ୍ରମୁଖ ଉଦବୋଧନ  ଦେଇଥିଲେ ।

0
0
0
s2sdefault