ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଭାଷା ଭିତ୍ତିକ ରାଜ୍ୟ ଗଠନରେ ଓଡ଼ିଶା ପ୍ରଥମ । ଯେଉଁ ମହାମନିଷୀମାନଙ୍କ ଆପ୍ରାଣ ଉଦ୍ୟମ ଯୋଗୁ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା ସେମାନଙ୍କ ସମୃଦ୍ଧ ଓଡିଶା ଗଠନ ସ୍ୱପ୍ନ ପୂରଣ ପାଇଁ ସମସ୍ତେ ଆନ୍ତରିକତାର ସହ ଉଦ୍ୟମ କରିବା ଉଚିତ ବୋଲି ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ସମାରୋହରେ ଉପସ୍ଥିତ  ବକ୍ତାଗଣ ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଅମୂଲ୍ୟ ଅବଦାନ କରିଥିବା ପୂର୍ବସୂରୀମାନଙ୍କ ସ୍ମୃତିଚାରଣ ଅବସରରେ ଏହା କହିଛନ୍ତି । ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲଷ୍ମୀନାରାୟଣ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ଶଦ୍ଧାଞ୍ଜଳି ଅର୍ପଣ କରି  ଓଡ଼ିଶାକୁ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ ଜଣାଇଥିଲେ । ମୁଖ୍ୟବକ୍ତା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡ: ଶିବପ୍ରିୟା ମିଶ୍ର ଉତ୍କୃଷ୍ଟ କଳାର ଭୂମି ଉତ୍କଳ ଯୁଗେ ଯୁଗେ ତାର ସ୍ୱତନ୍ତ୍ର ଅବଦାନ ପାଇଁ ସମ୍ମାନର ଅଧିକାରୀକାରିଣୀ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଅଠର ଶହ ତିନିରେ ଇଂରେଜମାନଙ୍କ ଓଡ଼ିଶା ଅଧିକାର କରିବାଠାରୁ ଉଣେଇଶ ଶହ ଛତିଶ ଅପ୍ରେଲ ପହିଲାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିସ୍ତୃତ ବିବରଣୀ ବକ୍ତବ୍ୟ ମାଧ୍ୟମରେ ସେ ଉପସ୍ଥାପନା କରିଥିଲେ । ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଲିଲି କୁମାରୀ କୁଲୁ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ଓ ଝାରସୁଗୁଡ଼ା ପୌର ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝୀ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୃଷ୍ଟଭୂମି ଉପରେ ଆଲୋଚନା ପୂର୍ବକ ବରପୁତ୍ର ମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ସମୃଦ୍ଧ ଓଡିଶା ଗଠନ ଦିଗରେ ସମସ୍ତେ ବ୍ରତୀ ହେବାକୁ କହିଥିଲେ । ଉତ୍ସବରେ ସଭାପତିତ୍ୱ କରି ଜିଲ୍ଲାପାଳ ସରୋଜ କୁମାର ସାମଲ ଭାଷା ଭିତ୍ତିକ ରାଜ୍ୟ ଗଠନ , ଓଡ଼ିଆ ଜାତିର ଭାଷା , ସାହିତ୍ୟ ସଂସ୍କୃତିର ସୁରକ୍ଷା ପାଇଁ ବରପୁତ୍ରମାନଙ୍କର ଭୂମିକା ତଥା ଓଡ଼ିଶାର ଉନ୍ନତି ପାଇଁ ସମସ୍ତଙ୍କର ଉତ୍ତର ଦାୟିତ୍ୱ ନିର୍ବାହ କରିବା ଉପରେ ବକ୍ତବ୍ୟ ବଖାଣିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସାମଲ ମଧୁବାବୁ , ଗୋପବନ୍ଧୁ ଦାସ , ଫକୀରମୋହନ ସେନାପତି , ଗୌରୀଶଙ୍କର ରାୟ , ସୁଢଳ ଦେବ , କୃଷ୍ଣଚନ୍ଦ୍ର ଗଜପତି , ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ , ବିଜୁବାବୁ ତଥା ଅନ୍ୟାନ୍ୟ ବରପୁତ୍ରମାନଙ୍କର ସ୍ମୃତିଚାରଣ କରିଥିଲେ ।

ଉତ୍ସବ ପ୍ରାରମ୍ଭରେ ବରପୁତ୍ରମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଜବାହରଲାଲ ନବୋଦୟ ବିଦ୍ୟାଳୟ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରୀ ସମାସିଂଘା କେ ଜି ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଅଲିଭା ଆରତୀ ସାହୁ , ବନହରପାଲିସ୍ଥିତ ଡି ଏ ଭି ସ୍କୁଲ ଛାତ୍ରୀ ସୌମ୍ୟା ରାଉତ ଓ ଝାରସୁଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ପ୍ରତିଭା ସେଠୀଙ୍କୁ ଅତିଥିଗଣ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ଓଡ଼ିଶା ଦିବସ ଅବସରରେ ସକାଳେ ଝାରସୁଗୁଡା ବିମାନ ବନ୍ଦର ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି , ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି , ବସଷ୍ଟାଣ୍ଡ ଗୋଲେଇ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି , ଟାଉନ ହଲ ସ୍ଥିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି , ସୁନାରୀମୁଣ୍ଡା ସ୍ଥିତ ଡ: ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି , ବଡ଼ମାଲ ଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି , ପ୍ରସନ୍ନ ପଣ୍ଡା ଛକସ୍ଥିତ ପ୍ରସନ୍ନ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଓ ବେହେରାମାଲ ଛକସ୍ଥିତ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କାରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲିଲି କୁଲୁ , ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ତପିରାମ ମାଝୀ , ଉପ ଜିଲ୍ଲାପାଳ ଶିବ ଟପ୍ପୋ ,  ନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ମାଝୀଙ୍କ ସମେତ ତାପସ ରାୟ ଚୌଧୁରୀ , ତ୍ରିନାଥ ଗୁଆଲ , ପିଣ୍ଟୁ ପାଢ଼ୀ  ପ୍ରଫେସର ଟହଲୁ ସାହୁ ସାହୁ , ବରିଷ୍ଠ ନାଗରିକ ବାଳଗୋବିନ୍ଦ ମିଶ୍ର ,ମାନସୀ ପଣ୍ଡା , ମନୋଜ ପାତ୍ର , ସୁବାସ ପ୍ରଧାନ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault