ଝାରସୁଗୁଡ଼ା :(ସୁଭାଷ ସହାରେ) -ପ୍ରତ୍ୟେକ ବର୍ଷ ଫାଇଲେରିଆ ନିରାକରଣ ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାରେ ଏକ ନିର୍ଦ୍ଦିଷ୍ଟ ଦିନରେ ସାମୁହିକ ଔଷଧ ବିତରଣ ଓ ସେବନ କରାଯାଇଥାଏ। ଗୁରୁତର ଅସୁସ୍ଥ ରୋଗୀ, ଗର୍ଭବତୀ ମହିଳା ଓ ୨ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଏହି ଔଷଧ ଦିଆଯାଉ ନଥିବା ବେଳେ ଅନ୍ୟ ସମସ୍ତ ଜନସାଧାରଣଙ୍କୁ ଏହାର ଅନ୍ତର୍ଭୁକ୍ତ କରାଯାଏ। ଔଷଧ ଵିତରଣ ଓ ସେବନ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ଜିଲ୍ଲାର ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ସ୍ବେଚ୍ଛାସେବୀ, ସ୍ବାସ୍ଥ୍ୟକର୍ମୀ ଯେଉଁମାନେ କି ଘର ଘର ବୁଲି ଲୋକଙ୍କୁ ଏହି ଔଷଧ ସେବନ କରାଇଥାନ୍ତି।
ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ରର କମ୍ୟୁନିଟି ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ସାଧୁଚରଣ ପଣ୍ଡାଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ଦଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ସାମୁହିକ ଔଷଧ ସେବନ ସ୍ଥିତି ଓ ଏହାର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଏହାର ଏକ ରିପୋର୍ଟ ସେମାନଙ୍କ ତରଫରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯିବ।
ଆଜିର ଏହି ଗସ୍ତ ସମୟରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ବିରାଟ ରାଜା ପ୍ରଧାନଙ୍କ ସମେତ କମିଟିର ସଦସ୍ୟମାନେ ଜିଲ୍ଲାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଜନସାଧାରଣଙ୍କ ସହ ଆଲୋଚନା କରି ନିଜର ରିପୋର୍ଟ ତିଆରି କରିଥିବା ସୂଚନା ମିଳିଛି।