ଝାରସୁଗୁଡ଼ା :(ସୁଭାଷ ସହାରେ) -ସାରା ଦେଶରେ କଂଗ୍ରେସର ଅବସ୍ଥା ଶୋଚନୀୟ। ୧୫୦ ବର୍ଷ ପୁରୁଣା ଓ ଏକଦା ସର୍ବଶକ୍ତିମାନ କଂଗ୍ରେସ ଦଳ ଆଜି ସାରା ଦେଶରେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା ବେଳେ ଓଡ଼ିଶାରେ ଗତ ୨୨ ବର୍ଷ ଧରି କ୍ଷମତାରୁ ଦୂରରେ କଂଗ୍ରେସ ଦଳ। କେନ୍ଦ୍ରୀୟ ସଂଗଠନର ଓଡ଼ିଶା ପ୍ରତି ଉଦାସୀନତା, ରାଜ୍ୟରେ ଦୁର୍ବଳ ନେତୃତ୍ୱ, ଗୋଷ୍ଠୀ କନ୍ଦଳ, ଯୁବ କର୍ମୀଙ୍କ ପ୍ରତି ଅବହେଳା ଓ ସଂଗଠନିକ କାର୍ଯ୍ୟରେ ଅବହେଳା ଆଜି ରାଜ୍ୟ କଂଗ୍ରେସକୁ ସବୁଠାରୁ ଦୁର୍ବଳ ସ୍ଥାନରେ ରଖିଅଛି। ଏପରିକି ଶୀର୍ଷ ସ୍ଥାନରେ ଥିବା ନେତୃତ୍ୱମାନଙ୍କ ଦ୍ବାରା ସୁବିଧାବାଦୀ ହୋଇ ଦଳ ପରିତ୍ୟାଗ କରିବା କଂଗ୍ରେସ ଦଳକୁ ଆହୁରି ଦୁର୍ବଳ କରି ଦେଇଛି। ଏହି ସମୟରେ କଂଗ୍ରେସ ଦଳକୁ ପୁନର୍ଜୀବିତ କରାଇବା ବର୍ତ୍ତମାନର କର୍ମୀମାନଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ। ଝାରସୁଗୁଡ଼ା କଂଗ୍ରେସ ଏଥିପାଇଁ ପ୍ରୟାସ ଚଳାଇ ଆସିଛି ନୂତନ ଭାବରେ ଜିଲ୍ଲା ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଭରତ ଅୱସ୍ତିଙ୍କ ନେତୃତ୍ୱରେ।
ଆଜି କଂଗ୍ରେସ କର୍ମୀମାନଙ୍କ ଉତ୍ସାହ ବର୍ଦ୍ଧନ ନିମନ୍ତେ ପହଞ୍ଚିଥିଲେ ତେଲେଙ୍ଗାନା କଂଗ୍ରେସ କମିଟିର ସାଧାରଣ ସଂପାଦକ ଶ୍ରୀମତୀ ଉଜମା ସକିରା। ଝାରସୁଗୁଡ଼ା କଂଗ୍ରେସ କର୍ମୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇ ସେ ନିଜର ଉଦବୋଧନରେ କହିଥିଲେ ଯେ ବର୍ତ୍ତମାନ ଝାରସୁଗୁଡ଼ା କଂଗ୍ରେସ ସହ ଯୋଡ଼ି ହୋଇ ରହିଥିବା କର୍ମୀମାନେ ହେଉଛନ୍ତି ସବୁଠାରୁ ଉତ୍ସର୍ଗୀକୃତ କର୍ମୀ। ଯେଉଁ କଳିଙ୍ଗ ଦିନେ ସମ୍ରାଟ ଅଶୋକଙ୍କ ହୃଦୟକୁ ପରିବର୍ତ୍ତନ କରି ଦେଇ ପାରିଥିଲା, ସେହି ରାଜ୍ୟର ଲୋକେ ଆଜି ଅଲଗା ରାଜ୍ୟକୁ ଦାଦନ ଭାବରେ କାର୍ଯ୍ୟ କରିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ଏହା ଏହି ରାଜ୍ୟର ସ୍ବାଭିମାନ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ଏହା ସବୁଠାରୁ ଦୁଃଖର ବିଷୟ। ରାଜ୍ୟରେ କର୍ମନିଯୁକ୍ତିର ଅନେକ ସୁଯୋଗ ରହିଛି ଏବଂ ଲୋକଙ୍କୁ ଏଠାରେ କାମ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଭରତ ଅୱସ୍ତି ଓ ସହଯୋଗ କରିଥିଲେ ସାଧାରଣ ସଂପାଦକ ଆଇନଜୀବୀ ମନୀଷ ବାଜପେୟୀ ଓ ଅନ୍ୟାନ୍ୟ କଂଗ୍ରେସ ନେତା।