ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ବରଯାତ୍ରୀ ଭଳି ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । ଅତୀତରେ କୈାଣସି ମୁଖ୍ୟମନ୍ତ୍ରୀ ଏଭଳି ଆଡମ୍ବର ଭାବେ ଜିଲ୍ଲା ଗସ୍ତ କରୁନଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଜିର ଗସ୍ତ ପୂର୍ବରୁ ସରକାରୀ କଳକୁ ଅପବ୍ୟବହାର କରି ଶାସକ ବିଜେଡିର ମନ୍ତ୍ରୀ, ସାସଂଦ, ବିଧାୟକଙ୍କଠୁ ଆରମ୍ଭ କରି ଛାମୁଆଁ ନେତା ନୂଆପଡାରେ ଡେରା ପକାଇଛନ୍ତି । ଏପରିକି ସଂପୂର୍ଣ୍ଣ ଶାସନ ବ୍ୟବସ୍ଥା ନୂଆପଡାକୁ ସ୍ଥାନାନ୍ତର ହୋଇଯାଇଛି । ପଂଚାୟତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ନିଜ ଭାବମୁର୍ତିକୁ ସଜାଡିବାର କେବଳ ପ୍ରହସନ କରୁଛନ୍ତି । କେନ୍ଦ୍ରୀୟ ଅନୁଦାନ ଅର୍ଥରେ ରାଜ୍ୟରେ ପ୍ରତିଷ୍ଠିତ ହେଉଥିବା ବିଭିନ୍ନ ପ୍ରକଳ୍ପର ଲାଲି ଫିତା କାଟିବାରେ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରାହିତ ତାତ୍ସଲ୍ୟ କରି କହିଛନ୍ତି ।
୨୦ ବର୍ଷ ତଳରୁ ଶୁଭାରମ୍ଭ ଦିଆଯାଇଥିବା ଓ ଆଜି ଉଦ୍ଘାଟନ ହୋଇଥିବା ଲୋୟର ଇନ୍ଦ୍ର ଜଳପ୍ରକଳ୍ପ ଅଧିନରେ ଥିବା କେନାଲଗୁଡିକର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବା କାରଣରୁ ପାଣି ଯାଇପାରିବ ନାହିଁ । ତାହେଲେ ଆଜିର ଉଦ୍ଘାଟନର ଉଦ୍ଦେଶ୍ୟ କଣ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅର୍ଥରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପକୁ ଦଳୀୟ ଭିତିରେ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ବାବୁ ସଂଘୀୟ ବ୍ୟବସ୍ଥାକୁ ଅବମାନନା କରିଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରନ୍ତୁ, କିନ୍ତୁ ତା ପୂର୍ବରୁ ସେହି ଜିଲ୍ଲାବାସୀଙ୍କ ସମସ୍ୟା ସମାଧାନ କରନ୍ତୁ । ୨୧ ବର୍ଷର ନିରୁଙ୍କଶ ଶାସନ ପରେ ମଧ୍ୟ ଆଜି ଲକ୍ଷ ଲକ୍ଷ କି୍ୱଂଟାଲ ଧାନ ବିକ୍ରି ହୋଇନପାରି ରାଜ୍ୟର ବିଭିନ୍ନ ମଣ୍ଡିରେ ପଡି ରହି ନଷ୍ଟ ହେଉଛି । ଅଭାବୀ ବିକ୍ରିର ଶିକାର ହୋଇ ଚାଷୀକୁଳ ହନ୍ତସନ୍ତ ହେଉଛନ୍ତି । ଚାଷୀ ରାଜରାସ୍ତାରେ ଆନ୍ଦୋଳନରତ । ରାଜ୍ୟସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଚଳିତ ବିଧାନସଭାରେ ରାଜ୍ୟ ସରାକାର ସମସ୍ତ ଧାନ କିଣିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ବସ୍ତାଟିଏ ଧାନ ମଧ୍ୟ ଉଠାଇଲେ ନାହିଁ । ଚାଷୀକୁଳକୁ ଆଉ ଅଧିକ ପ୍ରତାରଣା ନକରି ଧାନମଣ୍ଡିରେ ପଡି ରହିଥିବା ସମସ୍ତ ଧାନ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାକୁ ଶ୍ରୀ ପୁରୋହିତ ଦାବୀ କରିଛନ୍ତି ।