ହେଡଲାଇନସ୍:

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟା ମୁକାବିଲା ସକାଶେ ପ୍ରସ୍ତୁତି ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟା ମୁକାବିଲା ସକାଶେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଡି ଏମ୍ ଏଫ  ଅଡିଟୋରିଅମ ହଲରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହ ସମୟରେ ଲୋକମାନେ କିପରି ପାନୀୟ ଜଳ ପାଇପାରିବେ ସେଥିପାଇଁ ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଗାମାଞ୍ଚଳ ତଥା ସହରାଞ୍ଚଳରେ ପଞ୍ଚାୟତ ସମିତି ଓ ପୌରପାଳିକା ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେବା ସହ ଜଳଛତ୍ର କେନ୍ଦ୍ର ଯେପରି ପରିଷ୍କାର ପରିଚ୍ଛନ୍ନ ରହେ ସେଥି ପ୍ରତି ଦୃଷ୍ଟି ଦେବାକୁ କହିଥିଲେ ।ନଳକୂପ ମରାମତି ପାଇଁ ଆବଶ୍ୟକୀୟ ଯନ୍ତ୍ରାଦି ମହଜୁଦ ରଖିବା ,  ଅଂଶୁଘାତରେ ଆକ୍ରାନ୍ତ ରୋଗୀର ଚିକିତ୍ସା ସକାଶେ ଏସି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ ଓ ଆଶା ଏବଂ ଅଙ୍ଗନବାଡି କର୍ମୀମାନଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ  ଓ ଆର ଏସ ମହଜୁଦ ରଖିବାକୁ ଜିଲ୍ଲାପାଳ କହିଥିଲେ । ଅଂଶୁଘାତ ଜନିତ ମୃତବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ସି ଏଚ ସି ଓ ପି ଏଚ ସିରେ ତଥା ବ୍ଲକ , ତହସିଲ , ପୌରପାଳିକା ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ  ଜିଲ୍ଲା ମଧ୍ୟରେ ଚଳପ୍ରଚଳ କରୁଥିବା ଯାତ୍ରୀବାହୀ ବସ ଗୁଡ଼ିକ ଚଳାଚଳ ସମୟ ପରିବର୍ତ୍ତନ , ଖୋଲା ସ୍ଥାନରେ  ନିର୍ମାଣାଧୀନ କୋଠା ସକାଶେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ସମୟରେ ବିଦ୍ୟୁତ ପରିବହନକୁ ସ୍ୱାଭାବିକ ରଖିବାକୁ  ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଲିଲି କୁମାରୀ କୁଲୁ ବୈଠକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।  ବିଡ଼ିଓ , ପୌରପରିଷଦ ନିର୍ବାହୀ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ  ଉପସ୍ଥିତ ଥିଲେ । ଉପ ଜିଲ୍ଲାପାଳ ଶିବ ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault