-
ଶାମାଖୁଣ୍ଟା ଲ୍ୟାମ୍ଫ ଧାନ ମଣ୍ଡିରେ ଧାନର ଅଭାବି ବିକ୍ରୀ
-
୩ ଦିନ ଧରି ଲ୍ୟାମ୍ପକୁ ଆସୁ ନାହାନ୍ତି ଏମଡ଼ି
-
ଧାନ ନ ଦେଇ ପାରି ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ଲ୍ୟାମ୍ପରେ ଖୋଲାଯାଇଥିବା ଧାନ ମଣ୍ଡିରେ ଧାନର ଅଭାବି ବିକ୍ରି ।ମଣ୍ଡିରେ ଧାନ ଦେବାକୁ ଚାଷୀମାନଙ୍କୁ ମିଳିଛି ଟୋକନ ଓ ଧାନ ଧରି ମଣ୍ଡିକୁ ଆସିବା ବେଳକୁ ସେମାନଙ୍କ ନିକଟରୁ ଧାନ କିଣା ଯାଉ ନାହିଁ । ଫଳରେ ଚାଷୀମାନଙ୍କୁ ମିଳିଥିବା ଟୋକନରେ ରହିଥିବା ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରିଯିବା ପରେ ଟୋକନ ନାକଚ ହୋଇ ଯାଉଥିଲେ ମଧ୍ୟ ମଣ୍ଡିରେ ଚାଷୀମାନଙ୍କ ନିକଟରୁ ଧାନ ସଂଗ୍ରହ ହୋଇ ପାରି ନାହିଁ । ଫଳରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ଓ ଗତ ମାର୍ଚ୍ଚ ୮ରେ ଶାମାଖୁଣ୍ଟା ଲ୍ୟାମ୍ପସ ସମ୍ମୁଖ ପୋଡ଼ାଅସ୍ତିଆ-ଲୁଲୁଙ୍ଗ ରାସ୍ତାଉପରେ ଉତ୍ୟକ୍ତ ଚାଷୀମାନେ ଧାନ ବସ୍ତା ରଖି ରାସ୍ତାକୁ ଅବରୋଧ କରିଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇ ପାରିନଥିଲା । ଲ୍ୟାମ୍ପସର ଏମଡ଼ି ଆଲୋକ କୁମାର ଦାସ କାର୍ଯ୍ୟାଳୟକୁ ୩ ଦିନ ଧରି ଆସୁନଥିବା ବେଳେ ତାଙ୍କର ମୋବାଇଲ ନମ୍ବରରେ ଚାଷୀମାନେ ଯୋଗାଯୋଗ କରିବାରୁ ବୈଧ ନୁହେଁ ବୋଲି ଉତ୍ତର ଆସୁଛି ବୋଲି ଅଭିଯୋଗ ହୋଇଛି । ଫଳରେ ଆଜି ଚାଷୀମାନେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଲ୍ୟାମ୍ପସର ବ୍ରାଞ୍ଚ ମ୍ୟାନେଜର ଅମିତ କୁମାର ବେହେରାଙ୍କ ସମେତ ପିଅନ ବଳରାମ ମୁଣ୍ଡା ଓ ସୁନ୍ଦର ମୋହନ ବେହେରା ଏବଂ ଅନ୍ୟ ଜଣେ ଏହି ପରି ମୋଟ ୪ ଜଣ କାର୍ଯ୍ୟାଳୟ ଭିତରେ ରହିଥିବା ବେଳେ ଚାଷୀମାନେ ବାହାର ପଟରୁ ତାଲା ପକାଇ ଦେଇଥିଲେ । ଖବରପାଇ ବାରିପଦା ସଦର ଆଇଆଇସି ପ୍ରେମଦା ନାୟକ ପହଁଞ୍ଚି ଆନେ୍ଦାଳନକାରୀ ଚାଷୀମାନଙ୍କୁ ବୁଝାସୁଝା କରାଇବା ପରେ ଅପରାହ୍ନ ସାଢେ଼ ୫ରେ ଚାଷୀମାନେ ତାଲାକୁ ଖୋଲି ଦେଇଥିଲେ ମଧଦ୍ୟ ସମସ୍ୟାର କୌଣସି ସମାଧାନ ହୋଇ ପାରି ନ ଥିଲା । ଶ୍ୟାମାଖୁଣ୍ଟା ଲ୍ୟାମ୍ପ ଦୁର୍ନୀତିର ଗନ୍ତାଘର ପାଲଟି ଥିବାର ଛାଷୀମାନେ ଅଭିଯୋଗ କରିଛନ୍ତି । ମ୍ୟାନେଜର ଅମିତ ଓ ତାଙ୍କ ମାମୁଁଙ୍କୁ ନେଇ ଚର୍ଚ୍ଚା ଯୋର ଧରିଛି । ଧାନ କିଣିବା ନିମନ୍ତେ ଟାର୍ଗେଟ ନାହିଁ ବୋଲି କହି ଚାଷୀମାନଙ୍କୁ ହଇରାଣ ହରକତ କରାଯାଉଛି ଏବଂ ଧନପୁରସସ୍ଥିତ ମାମୁଁଙ୍କ ଧାନ ଗୋଦାମ ମାଧ୍ୟମରେ ୧୨/୧୩ ଶହ ଟଙ୍କା ମୂଲ୍ୟରେ ଧାନ କିଣାଯାଇ ବାହାରକୁ ମିଲର ମାନଙ୍କୁ ସାପ୍ଲାୟ କରାଯାଉଥିବାର ଅଭିଯୋଗ ହେଉଛି । କିନ୍ତୁ ପ୍ରଶାସନ ଏ ଦିଗରେ ନୀରବ ଦ୍ରାଷ୍ଟା ସାଜି ବସିଥିବାରୁ ଚାଷୀମାନେ ପ୍ରଶାସନର ସ୍ୱଚ୍ଛତା ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଏବଂ ସରକାରଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି । ଏହି ଆନ୍ଦୋଳନରେ ଯୁବ ନେତା କାହ୍ନୁ ସିଂ, ଜୟଶ୍ରୀ ମହାନ୍ତ, ମୀନାକ୍ଷୀ ମହାନ୍ତ, ମମତା ମହାନ୍ତ, ଶକୁନ୍ତଳା ମହାନ୍ତ, ଲକ୍ଷ୍ମୀ ମହାନ୍ତ, ଜଗନ୍ନାଥ ସୋରେନ, ବାପି ସିଂ, ଲାଗୁରା ସିଂ, ଦୀପକ ବେହେରା , ପୂର୍ଣ୍ଣ ଚନ୍ଦ୍ର ସିଂ ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।