ସମ୍ପାଦକ ପଦରେ ନିର୍ବାଚନକୁ ଓହ୍ଲାଇଛନ୍ତି ତିନି ପ୍ରାର୍ଥୀ
ବାରିପଦା / ଦିଲ୍ଲୀପ ମହାନ୍ତି :: ଜିଲ୍ଲା ଓକିଲ ସଂଘ, ବାରିପଦା ନିର୍ବାଚନକୁ ନେଇ ସରଗରମ ପରସ୍ଥିତି ଦେଖାଦେଇଛି। ସଭାପତି ପଦ ପାଇଁ ଦୁଇ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପୂର୍ବତନ ସଭାପତି ପ୍ରବୀର କୁମାର ବସା ପୁନର୍ବାର ଏହି ପଦ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କ ସହିତ ପ୍ରତିଦ୍ବନ୍ଦିତା କରିବାକୁ ମଇଦାନକୁ ଆସିଛନ୍ତି ଗିରେନ୍ଦ୍ର କୁମାର ଗୋସ୍ବାମୀ। ସେହିପରି ସମ୍ପାଦକ ପଦ ପାଇଁ ଚଳିତ ଥର ୩ ପ୍ରାର୍ଥୀ ମଇଦାନକୁ ଆସିଛନ୍ତି। ପୂର୍ବତନ ସମ୍ପାଦକ ବିପ୍ଳବ ବାରିକ ଏବଂ ବସନ୍ତ କୁମାର ଭୋଳଙ୍କ ସମେତ ସରୋଜ କୁମାର ଦାସ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉପସଭାପତି ପଦ ପାଇଁ ପୂର୍ବତନ କୋଷାଧ୍ୟକ୍ଷ ସୁଧୀର କୁମାର ମହାନ୍ତି ଏବଂ ପୂର୍ବତନ ଉପସଭାପତି ରହିଥିବା ସୁଜାତା ମିଶ୍ରଙ୍କ ମଧ୍ୟରେ ମୁକାବିଲା ହେବ। ଯୁଗ୍ମ ସମ୍ପାଦକ ପଦ ପାଇଁ ଚଳିତ ଥର ପ୍ରଭାତ କୁମାର ଦାସ ଓ ସ୍ବରୂପ କୁମାର ଦାଶ ନାମାଙ୍କନ ଦାଖଲ କରିଛନ୍ତି। କୋଷାଧ୍ୟକ୍ଷ ପଦ ନିମନ୍ତେ ସୁନୀଲ କୁମାର ନାୟକ ଏବଂ ଅରବିନ୍ଦ ସାହୁଙ୍କ ମଧ୍ୟରେ ଲଢ଼େଇ ହେବ। ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟ ପାଇଁ ମୋଟ ୧୫ଜଣ ଚଳିତ ଥର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। କୈଳାସ ପ୍ରସାଦ ସାହୁ, ସ୍ବପ୍ନା ମହାନ୍ତି, ସୁଶାନ୍ତ ପଣ୍ଡା, ଦିଲୀପ କୁମାର ପାତ୍ର, ଅଶୋକ କୁମାର ପଣ୍ଡା, ସାଧୁ ମୁର୍ମୁ, ବିଜୟ କୁମାର ଦତ୍ତ, ଅନୀଲ କୁମାର ବେହେରା, ଶାନ୍ତନୁ କୁମାର ପାଲ, ବଟକୃଷ୍ଣ ପାଢ଼ୀ, ଦୁଷ୍ମନ୍ତ କୁମାର ଦାଶ, ମନୋଜ କୁମାର ମହାନ୍ତ, ରାଜୀବ କୁମାର ମହାନ୍ତି, ସତ୍ୟବାନ ପାଲ ଓ ସତ୍ୟନାରାୟଣ ମହାନ୍ତି ପ୍ରମୁଖ ମଇଦାନରେ ଅଛନ୍ତି। ଆସନ୍ତାକାଲି ନାମାଙ୍କନପତ୍ର ଯାଞ୍ଚ ହେବ। ଗୁରୁବାର ଦିନ ବୈଧ ନାମାଙ୍କନ ପତ୍ର ତାଲିକା ପ୍ରକାଶ ପାଇବ ଏବଂ ୧୩ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବରିଷ୍ଠ ଆଇନଜୀବୀ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ବିଜନ ଦାସ ସୂଚନା ଦେଇଛନ୍ତି। ସେହିପରି ଆଗାମୀ ୧୫ ତାରିଖରେ ଚୁଡ଼ାନ୍ତ ପ୍ରାର୍ଥି ତାଲିକା ପ୍ରକାଶ ପାଇବ। ଚଳିତ ମାସ ୨୭(ଶନିବାର) ଦିନ ପୂର୍ବାହ୍ନ ୮ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ଉକ୍ତ ଦିନ ଅପରାହ୍ନ ୪ରେ ଭୋଟ ଗଣନା ଆରମ୍ଭ ହେବ ଏବଂ ମତଗଣନା ପରେ ଫଳାଫଳ ଘୋଷଣା କରାଯିବାନେଇ ସହକାରୀ ନିର୍ବାଚନ ଅଧିକାରୀ ଗୌରହରି ଜେନା ସୂଚନା ପ୍ରକାଶ କରିଛନ୍ତି।











