୧୨୦ ଏକର ଜାଗାରେ ପ୍ରତିଷ୍ଠା ହେବ ୧୦୭ କୋଟିର ପ୍ରକଳ୍ପ
ଭୁୁବନେଶ୍ୱର: ପାରାଦ୍ୱୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ୧୨୦ ଏକର ଜାଗାରେ ପ୍ରସ୍ତାବିତ ଏହି ପ୍ରକଳ୍ପରେ ୧୦୭ କୋଟି ଟଙ୍କା ପୁଞ୍ଜିନିବେଶ ହେବା । ରାଜ୍ୟ ସରକାର ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍(ଆଇଓସିଏଲ୍)ର ମିଳିତ ସହଯୋଗରେ ଏହି ପାର୍କ କାର୍ଯ୍ୟକ୍ଷମ ହେବା । ଆଜି ଏ ନେଇ ଇଡକୋ ଓ ଆଇଓସିଏଲ୍ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭର୍ଚୁଆଲ୍ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷର ହୋଇଛି |
ଭାରତ ସରକାରଙ୍କ ‘ପ୍ଲାଷ୍ଟିକ୍ ପାର୍କ ସ୍କିମ୍’ ଅନ୍ତର୍ଗତ ପାରାଦ୍ୱୀପରେ ଏହି ପ୍ରସ୍ତାବିତ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ଇଡକୋର (୫୧%) ଏବଂ ଆଇଓସିଏଲ୍( ୪୯%) ଅଂଶୀଦାରୀରେ ପ୍ରତିଷ୍ଠା ହେବା । ପ୍ରକଳ୍ପରେ ଆଇଓସିଏଲ୍ ଖର୍ଚ୍ଚ କରିବ ୪୦ କୋଟି ଟଙ୍କା । ୫୦୦ କୋଟିରୁ ଅଧିକ ପୁଞ୍ଜିନିବେଶ ଥିବା ୨୫ ଟି ଶିଳ୍ପସଂସ୍ଥା ଏହି ପାର୍କ ଦ୍ୱାରା ଲାଭବାନ ହେବେ | ପ୍ରାୟ ୧୬୦୦ ଜଣଙ୍କୁ ଏହି ପ୍ରସ୍ତାବିତ ପାର୍କରେ କର୍ମନିଯୁକ୍ତି ମିଳିବ ।
ଓଡ଼ିଶାରେ ଡାଉନଷ୍ଟ୍ରିମ୍ ପଲିମର ଇଣ୍ଡଷ୍ଟ୍ରି ପାଇଁ ଏହି ପାର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ହେବ ବୋଲି ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ଆଇଓସିଏଲ୍ ଦ୍ୱାରା ସ୍ଥାପିତ ପେଟ୍ରୋଲିୟମ ଏବଂ ପେଟ୍ରୋକେମିକାଲ୍ସ ନିବେଶ ପାଇଁ ତାଙ୍କ ସରକାର ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଆସୁଛନ୍ତି ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ପ୍ରସ୍ତାବିତ ପାରାଦ୍ୱୀପ ପ୍ଲାଷ୍ଟିକ୍ ପାର୍କର ସଫଳତା କାମନା କରିଥିଲେ ।
ଭର୍ଚ୍ୟୁଏଲ ମୋଡରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଇଓସିଏଲ ଏହି ପ୍ରକଳ୍ପ ପାଇଁ 40 କୋଟି ଟଙ୍କା ପୁଞ୍ଜିନିବେଶ କରୁଛି । ସବସିଡି ହାରରେ ଏହି ପ୍ରକଳ୍ପ ପାଇଁ ଆଇଓସିଏଲ ସ୍ଥାନୀୟ ଉଦ୍ୟୋଗୀଙ୍କୁ କଞ୍ଚାମାଲ ଯୋଗାଇବ ବୋଲି ସେ ନିଶ୍ଚିତ କରିଛନ୍ତି। ରାଜ୍ୟରେ ଆଗାମୀ ଅନେକ ପ୍ରକଳ୍ପ ପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ ଶ୍ରୀ ପ୍ରଧାନ |
ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ଆଇଓସିଏଲ୍ ସିଏମଡି ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।