ଜିଲ୍ଲା ପ୍ରଶାସନ ଓ "ସଖି" ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ୍ ବ୍ୟାଙ୍କର ଜିଲ୍ଲା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଭାରତୀୟ ଗ୍ରାମୀଣ ବିକାଶ ସମିତିର "ସଖି" ୱାନ ଷ୍ଟପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ  "ଆନ୍ତର୍ଜାତୀୟ ମହିଳା ଦିବସ " ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି ।

   ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ମହିଳା ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ପରେ ସଭାସ୍ଥଳ ଠାରେ ପହଞ୍ଚିଥିଲା ।

 ଏହି ଶୋଭାଯାତ୍ରାକୁ "ସଖି" ୱାନଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଓ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ବରିଷ୍ଠ ସୁପ୍ରଭାଇଜର ଶ୍ରୀମତୀ ସାରଳା ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । 

ଏହାପରେ ସଚେତନତା ସଭାସ୍ଥଳ ଠାରେ ଏକ ଦସ୍ତଖତ ଅଭିଯାନ ଓ ମହିଳା ମାନଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଓ  ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଉଦଘାଟନ କରିଥିଲେ ।

 ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନେ କୌଣସି ଗୁଣରେ ପୁରୁଷଙ୍କ ଠାରୁ କମ୍ ନୁହନ୍ତି , ସେମାନେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ , ସେମାନଙ୍କ ନିରାପତ୍ତା , ସମ୍ମାନ ଓ ସଶକ୍ତି କରଣ ଦିଗରେ ଆମ ମାନଙ୍କ କର୍ତ୍ତବ୍ୟ ରହିବା ସହ ସେମାନଙ୍କୁ ଆର୍ଥିକ ସ୍ୱାବଲମ  କରାଯିବା ଦିଗରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସବୁ ରହିଥିବା କହିଥିଲେ । 

ଅନ୍ୟପକ୍ଷରେ ସାରା ବିଶ୍ୱରେ କୋଭିଡ୍-୧୯ର ପରବର୍ତ୍ତୀର ଆହ୍ବାନରେ ମହିଳାମାନଙ୍କ ନେତୃତ୍ୱର ଶୁଭାରମ୍ଭ ପରିପ୍ରେକ୍ଷୀରେ ପ୍ରତିଟି ପ୍ରତିକୂଳ ପରିସ୍ଥିତି ସହ ପ୍ରତିଦ୍ବନ୍ଦୀକୁ ମହିଳାମାନେ ପଛକୁ ନ ହଟି ଆହ୍ବାନକୁ ଦୃଢ଼ ମୁକାବିଲା କରିବା ପାଇଁ ଉପସ୍ଥିତ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ ।

   ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ.ପ୍ରଦୀପ କୁମାର ପାତ୍ର ,  ଓଡିଶା ନିଯୁକ୍ତି ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳିକା  ପ୍ରିୟମ୍ବଦା ବିଶୋଇ ,  ଭୁବନେଶ୍ୱର ସ୍ଥିତ ପୂଜ୍ୟପୂଜା ସଂସଦର ରାଜ୍ୟ ସମ୍ପାଦକ ଶ୍ରୀ ମହେଶ୍ବର ବରାଡ଼ , "ସଖି"ର ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ,  ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼. ବୃଷକେତୁ ଦାସ , ଶ୍ରୀମତୀ ମିନ ମାର୍ଗ , "ସଖି" ୱାନଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଜିଲ୍ଲା  ଚାଇଲ୍ଡଲାଇନ୍ ର ଶ୍ରୀ ନାଗେଶ୍ବର ଚୌଧୁରୀ ପ୍ରମୁଖ ଯୋଗଦେଇ ପୁରୁଷ ମାନେ , ନାରୀମାନଙ୍କ ବିଭିନ୍ନ କ୍ଷେତ୍ରରେ ସମ୍ମାନ ଦେବା ସହ ଘରେ ଓ ବାହାରେ  ମହିଳା ମାନଙ୍କୁ  ଭଲ ବ୍ୟବହାରର ସତ୍କାର କରିବା ଉଚିତ । ଏଥିସହିତ ମହିଳା ତାର ନିଜର ଅଧିକାର ଓ ଆତ୍ମୀୟତା ପାଇଁ  ନିଜେ ହିଁ ଲଢ଼ିବା ସହ ପୁରୁଷ ସମାଜ ସେମାନଙ୍କର କାମ କରିବା ଶୈଳୀରେ କୌଣସି ପ୍ରକାର ହସ୍ତକ୍ଷେପ ନ କରିବାକୁ ସଂକଳ୍ପବଦ୍ଧ ହେବା ସମ୍ପର୍କରେ କହିଥିଲେ ।

 ପରେ ବିଭିନ୍ନ ସାମାଜିକ ସେବା କ୍ଷେତ୍ରରେ ଇଚ୍ଛାର ସହ କାର୍ଯ୍ୟ କରି ପାରିଦର୍ଶିତା ହାସଲ କରିଥିବା ତଥା ସର୍ବଶ୍ରେଷ୍ଠ କୃତିତ୍ୱ ପାଇଁ ଜିଲ୍ଲାର ଆର:ଉଦୟଗିରି ସିଡିପିଓ ଶ୍ରୀମତୀ  ଅବିଦା ପରବିନ ,  ମୋହନା-ସୁପ୍ରଭାଇଜର   ଶ୍ରୀମତୀ କବିତା ସାମଲ  ଓ କାଶୀନଗର ବ୍ଲକର ତାରଭା ଗ୍ରାମ ତଳ ସାହିର ଅଙ୍ଗନବାଡି କର୍ମୀ ଶ୍ରୀମତୀ ଲୀଳା ଭୂୟାଁ  ପ୍ରମୁଖଙ୍କ ସମେତ  ପାରଳାଖେମୁଣ୍ଡିର " ସ୍ୱସ୍ତିକ" ମହିଳା ସ୍ୱୟଂ ସହାୟିକା ଗ୍ରୁପ  , ଗୁମ୍ମାର  ମା' ସନ୍ତୋଷି ଶକ୍ତି ଦଳ ଓ  କାଶୀନାଗରର "ମୟୂରୀ"  ଏସ୍ ଏଚ୍ ଜି ଗୋଷ୍ଠୀ ମାନଙ୍କୁ ସମ୍ମାନିତ କରିବା ସହ ମାନପତ୍ର ଓ ପୁରସ୍କାର ରାଶି ବଣ୍ଟନ କରିଥିଲେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା । 

ଏଥି ସହିତ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ  ପୁରସ୍କାର ଓ ମାନପତ୍ର ବଣ୍ଟନ କରାଯାଇଥିଲା  ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ମହିଳା କର୍ମକର୍ତ୍ତା ଓ ମହିଳା ସଂଗଠନ ମାନଙ୍କ କର୍ମକାର୍ତ୍ତା ଗଣ ଯୋଗ ଦେଇଥିଲେ । 

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ବରଣ୍ୟା ମିଶ୍ରଙ୍କ ପରିବେଷିତ କବିତା  , ଉପସ୍ଥିତ ସମସ୍ତଙ୍କୁ ବିଶେଷ ଭାବେ ଉତ୍ସାହିତ କରିଥିଲା । ସେହିଭଳି "ପଦାମୃତ ନୃତ୍ୟାୟନ" ଅନୁଷ୍ଠାନର ଛାତ୍ରୀ ମାନଙ୍କ ଦ୍ୱାରା ମାତୃଶକ୍ତି ବନ୍ଦନା ନୃତ୍ୟ ପରିବେଷଣ କରାଯାଇଥିଲା ।

   ଏହି ସମସ୍ତ କାଯ୍ୟକ୍ରମକୁ ଶ୍ରୀମତୀ ସାରଳା ପାତ୍ର ଓ ଅଜୟ ନାୟକଙ୍କ ସମେତ "ସଖି" ୱାନଷ୍ଟପ କେନ୍ଦ୍ରର କର୍ମକର୍ତ୍ତା ମାନେ ପରିଚାଳନା କରିଥିବା ବେଳେ  ସଭା  କାର୍ଯ୍ୟକ୍ରମକୁ ଶ୍ରୀମତୀ ଭବାନୀ କର ସଂଚାଳନ କରିଥିଲେ ।

  ଶେଷରେ ଆର:ଉଦୟଗିରି ସିଡିପିଓ--ଶ୍ରୀମତୀ ଅବିଦା ପରବିନ , ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault