ଝାରସୁଗୁଡ଼ା :(ସୁଭାଷ ସହାରେ)-ଆଜି ଝାରସୁଗୁଡ଼ାଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଓ କର୍ମଜୀବୀ ମହିଳା ନିବାସ ଉଦଘାଟନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାପୁମାଲ ଠାରେ ଆୟୋଜିତ ଉତ୍ସବରେ କର୍ମଜୀବୀ ମହିଳା ନିବାସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ
କନଫେରେନ୍ସିଂ ମାଧ୍ୟମରେ ଉଦଘାଟିତ ହୋଇଛି । ପୂର୍ବାହ୍ନ ସାଢେ଼ ଏଗାରଟା ସମୟରେ ମୁଖ୍ୟମନ୍ତ୍ରୀ ଏକକାଳୀନ ଝାରସୁଗୁଡ଼ା ସମେତ ଯାଜପୁର ଓ ଖୋର୍ଧାଠାରେ ନବନିର୍ମିତ କର୍ମଜୀବୀ ମହିଳା ନିବାସକୁ ଉଦଘାଟନ କରିଥିଲେ । ଝାରସୁଗୁଡା କାପୁମାଲଠାରେ ନୂତନ ଭାବରେ ନିର୍ମିତ ଏହି ଏକ ଶହ ଶଯ୍ୟା ବିଶିଷ୍ଟ ମହିଳା ନିବାସ ଏକର ପରିମିତ ଜାଗାରେ ତିନି କୋଟି ଛୟାଆସି ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ । ଉଦଘାଟନୀ ଉତ୍ସବରେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି , ଜିଲ୍ଲାପାଳ ସରୋଜ କୁମାର ସାମଲ , ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ଓ ଅତିରିକ୍ତ ଜିଲ୍ଲାପାଳ ଲିଲି କୁମାରୀ , ପି ଡି ଡି ଆର ଡି ଏ ତପିରାମ ମାଝୀ , ପ୍ରକଳ୍ପ ନିର୍ଦ୍ଦେଶକ (ପୁନର୍ବାସ ଓ ଥଇଥାନ) ଆଲୋମଣି ସେଠୀ , ଡେ଼ପୁଟି କଲେକ୍ଟର ଗୀତିକା ନାଏକ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁପ୍ରଭା ସେଠ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଲିଲି କୁମାରୀ କୁଲୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦେଶ ତଥା ସମାଜର ଆର୍ଥିକ ଓ ସାମାଜିକ ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଲଷ୍ମୀନାରାୟଣ ମହାବିଦ୍ୟାଳୟର ବରିଷ୍ଠ ଇଂରାଜୀ ଅଧ୍ୟାପିକା ସ୍ଵର୍ଣମୟୀ ପୁରୋହିତ ଚାଲେଞ୍ଜକୁ ଗ୍ରହଣ କରି ମହିଳାମାନଙ୍କୁ ଆଗକୁ ବଢିବାକୁ ଆହ୍ବାନ ଦେଇ ନିଜ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଓ ସମାନତାର ଅଧିକାର ପାଇଁ ଆବଶ୍ୟକ ସ୍ଥଳେ 'ଏକଲା ଚଲୋ' ନୀତିକୁ ଆପଣେଇ ଆଗକୁ ବଢିବାକୁ ହେବ ବୋଲି କହିଥିଲେ । ଜିଲ୍ଲା ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁପ୍ରଭା ସେଠ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥଲେ । ହିର୍ମା ଗ୍ରାମ ପଞ୍ଚାୟତ ସରପଞ୍ଚ ଅନିତା ଭଇଁସା ଓ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଆନନ୍ଦିନୀ ପାଢ଼ୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ନିଜର ଅଭିମତ ବଖାଣିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଲିଜା ମାଝୀ , ଗୀତାଞ୍ଜଳି ପଟେଲ , ସରିଣୀ ଜୋଜୋ , ପୂର୍ଣମାସି ସାହୁ , ମାଆ ତାରିଣୀ ଏସ ଏଚ ଜି (ସୋଡ଼ାମାଲ ) ମାଆ ଶାରଦା ଏସ ଏଚ ଜି ( ଭାତଲାଇଡ଼ା)ଓ ମାଆ ତାରିଣୀ ଏସ ଏଚ ଜି ( କୁସୁରାଲୋଇ )ଙ୍କୁ ପୁରସ୍କୃତ କରାଯାଇଥିଲା ।ଶିଶୁ ମଙ୍ଗଳ ସମିତି ସଦସ୍ୟା ମମତା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ପ୍ରୋଗ୍ରାମ ଅଫିସର ବୃନ୍ଦାବତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ମହିଳା ଦିବସ ଉପଲକ୍ଷେ ସକାଳେ ବମ୍ବେ ଛକଠାରୁ କାପୁମାଲ ପର୍ଯ୍ୟନ୍ତ ଅନୁଷ୍ଠିତ ସଚେତନତାଧର୍ମୀ ଶୋଭାଯାତ୍ରାରେ ଶତାଧିକ ମହିଳା ଅଂଶ ଗ୍ରହଣ କରିଥିଲେ । ସମାବେଶରେ ସିଗନେଚର କ୍ୟାମ୍ପେନ ( signature campaign ) ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ସି ଡି ପି ଓ , ସୁପ୍ରଭାଇଜର , ଅଙ୍ଗନବାଡି କର୍ମୀ , ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।