ଝାରସୁଗୁଡ଼ା :(ସୁଭାଷ ସହାରେ) -ଦେଶରେ ସାଇବର ଅପରାଧ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ ଏହାର ଶୀକାର ହେଉଛନ୍ତି ଅନେକ ସାଧାରଣ ଲୋକେ। ଏହାକୁ ରୋକିବାକୁ ଯେତେ ପଦକ୍ଷେପ ନେଲେ ମଧ୍ୟ ଏହାର କୌଣସି ଆଖିଦୃଶିଆ ଫଳ ଦେଖିବାକୁ ମିଳୁନାହିଁ। ନିକଟରେ ଏହିପରି ଅନେକ ଉଦାହରଣ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ଜଲ୍ଲାରେ ଏହିପରି ଏକ ଘଟଣା ପୁଣି ଥରେ ଘଟିଛି। ଜଣେ ଶ୍ରମଜିବୀ ଯୁବତୀ ଓ ତାଙ୍କ ପରିବାର ୧ ଲକ୍ଷ ୬୯ ହଜାର ଟଙ୍କା ସାଇବର ଠକାମୀର ଶିକାର ହୋଇଛନ୍ତି।
ଘଟଣାଟି ଘଟିଛି ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୌରାଞ୍ଚଳର ଗାନ୍ଧିନଗରର ଜଣେ ଦିନ ମଜୁରିଆଙ୍କ ପରିବାର ସହ। ଏଥର ବହୁ ଚର୍ଚ୍ଚିତ କୌନ ବନେଗା କରୋଡ଼ପତି ହୋଇଛି ମାଧ୍ୟମ। ଗାନ୍ଧୀନଗରର ଶକ୍ତି ଜଣଙ୍କ ଝିଅ ନୀତା ଜଣଙ୍କଠାରୁ ସାଇବର ଠକମାନେ ପର୍ଯ୍ୟାୟ କ୍ରମେ ୧ ଲକ୍ଷ ୬୯ ହଜାର ଟଙ୍କା ଲୁଟି ନେଇଛନ୍ତି।
ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ ଏକ ଅଜଣା ନମ୍ବରରୁ ନୀତା ଫୋନ ପାଇଥିଲେ ଯେ କୌନ ବନେଗା କରୋଡ଼ପତି ତରଫରୁ ସେ ୩୫ ଲକ୍ଷ ଟଙ୍କାର ଲଟେରୀ ପାଇଛନ୍ତି। ସରକାରୀ ଟ୍ୟାକ୍ସ ବାବଦରେ ଜନୈକ ବିକାଶ ରାମ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟରେ ୧୮ ହଜାର ୨ ଶହ ଟଙ୍କା ଜମା କଲେ ତାଙ୍କ ଆକାଉଣ୍ଟରେ ଟଙ୍କା ପଠାଇ ଦିଆଯିବ ବୋଲି ପୁଣି ୨୪ ତାରିଖରେ ଏକ ଫୋନ କଲ ଆସିଥିଲା। ସରଳ ପରିବାର ଏମାନଙ୍କ କଥାରେ ପଡ଼ି ବେଲପାହାଡ଼ର ଏକ ମନି ଟ୍ରାନ୍ସଫର କାଉଣ୍ଟରରୁ ସେହି ଆକାଉଣ୍ଟରେ ୧୮ ହଜାର ୨ଶହ ଟଙ୍କା ପଠାଇଥିଲେ । ପରେ ପରେ ପୁଣି ନୀତାଙ୍କୁ ଫୋନକରି ସେମାନେ ତିନୋଟି ପର୍ଯ୍ୟାୟରେ ୩୫ ହଜାର, ୩୧ ହଜାର ଓ ୫ ହଜାର ଟଙ୍କା ପଠାଇବାକୁ କହିଥିଲେ। ଏହା ସହିତ ତାଙ୍କ ହ୍ବାଟସ୍ଏପ ନମ୍ବରରେ ୩୫ ଲକ୍ଷ ଟଙ୍କାର ଏକ ଚେକର ଫଟୋ ପଠାଇଥିଲେ। ନୀତା ଏହା ଜମା କରିବା ପରେ ପୁଣି ୪୦ ହଜାର ଟଙ୍କା ଲେଖାଏଁ ପଠାଇବା ପାଇଁ ଦୁଇଥର ଫୋନ ଆସିଲା। ନୀତାଙ୍କ ପରିବାର ପୁଣି ଟଙ୍କା ଜମା କରିଥିଲେ। ମାତ୍ର କୌଣସି ଲଟେରୀ ଟଙ୍କା ଆସିଲା ନାହିଁ। ଶେଷରେ ପୁଣି ଥରେ ୬୫ ହଜାର ଟଙ୍କା ଜମା କଲେ କେବିସିର ଜଣେ କର୍ମଚାରୀ ଦୁବାଇ ଯାଇ ଟଙ୍କା ଆଣିବ ବୋଲି କହିବାରୁ ନୀତାଙ୍କ ପରିବାର ଠକାମୀର ଶୀକାର ହୋଇଥିବା ବୁଝି ପାରିଥିଲେ ଏବଂ ପୋଲିସର ସହାୟତା ନେଇଥିଲେ। ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଛନ୍ତି।
ଗତ କିଛିଦିନ ପୂର୍ବରୁ ମଧ୍ୟ ଝାରସୁଗୁଡ଼ାର ଅନ୍ୟ ଜଣେ ଯୁବକ ଠକାମୀର ଶିକାର ହୋଇ ୩୫ ହଜାର ଟଙ୍କା ହରାଇଥିଲେ। ଏ ନେଇ ମଧ୍ୟ ବଡ଼ମାଲ ଥାନାରେ ଏକ ମାମଲା ରୁଜୁ ହୋଇଛି।