ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଅଇଁଠାପାଲି ଥାନା ଅର୍ନ୍ତଗତ ଅନଗୁଳିଆପଡା ନିକଟରେ ଗତ ୧୩ ତାରିଖ ବିଳମ୍ବିତ ରାତ୍ରିରେ ଜଣେ ବୋଲେରୋ ଗାଡି ଚାଳକଙ୍କୁ ଲୁଟ୍ ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କୁଚିଣ୍ଡା ଥାନା ଅର୍ନ୍ତଗତ ଲେପେଇକାନି ନିବାସୀ ଭୁବନେଶ୍ୱର କିଶାନ ଗତ ୧୩ ତାରିଖରେ ତାଙ୍କର ବୋଲେରୋର ମରାମତି ପାଇଁ ଭାଲୁପାଲି ସ୍ଥିତ ବଢ଼େଇ ଗ୍ୟାରେଜକୁ ଆସିଥିଲେ। ତେବେ ଗାଡି ମରାମତି ପରେ ସେ ରାତ୍ରିରେ ଘରକୁ ଫେରିବା ପାଇଁ ଯିବା ସମୟରେ ଅନୁଗୁଳିଆପଡା ଠାରେ ତାଙ୍କର ଗାଡି ବ୍ରେକ ଡାଉନ ହୋଇ ଯାଇ ଅଟକି ଯାଇଥିଲା। ଗାଡି ଅଟକିବାର କିଛି ସମୟ ପରେ ୩ ଜଣ ଯୁବକ ତାଙ୍କ ନିକଟକୁ ଆସି ତାଙ୍କୁ ଏକ ଫୋନ କଲ କରିବା ପାଇଁ ଅନୁରୋଧ କରି ଫୋନ ମାଗିଥିଲେ। ବିଶ୍ୱାସରେ ଭୁବନେଶ୍ୱର ତାଙ୍କର ମୋବାଇଲ ଜଣେ ଯୁବକଙ୍କୁ ଦେବା ପରେ ତୁରନ୍ତ ଅନ୍ୟ ଦୁଇ ଜଣ ତାଙ୍କର ହାତ ଦ୍ୱୟକୁ ମୋଡି ଧରି ତାଙ୍କୁ କାବୁ କରି ନେଇଥିଲେ ଏବଂ ତାଙ୍କ ପକେଟରେ ଥିବା ଅନ୍ୟ ଏକ ଦାମିକୀଆ ସ୍ମାର୍ଟ ମୋବାଇଲ ସମେତ ନଗଦ ୨୫ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲା। ଏ ନେଇ ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିଲା। ଇଲୋକଟ୍ରୋନିକ୍ସ ସର୍ଭିଲାନ୍ସ ସହିତ ଅନ୍ୟାନ୍ୟ ସୁତ୍ରରୁ ତଦନ୍ତ କରାଯାଇ ପୁଲିସ ସନ୍ଦେହ ଆଧାରରେ ୩ ଜଣ ଯୁବକ ଟାଉନ ଥାନା ଅର୍ନ୍ତଗତ କୁମ୍ଭାରପଡା ଦାନିବନ୍ଧର ମହମ୍ମଦ ଲକି ଓରଫ ଅସଗର ହୁସେନ (୨୧), ଧନୁପାଲି ଥାନା ଅର୍ନ୍ତଗତ ମୋତିଝରନ କ୍ଷେତିପଡା ଖ୍ୱାଜା ନଗର ନିବାସୀ ମହମ୍ମଦ ଦିଲ୍ଲୁ ଓରଫ ଅବଦୁଲ ଅଜିମ (୨୨) ଏବଂ ମହମ୍ମଦ ଇମତିଆଜ (୨୭) ଙ୍କୁ ଧରିଥିଲା। ପୁଲିସ ଜେରା ସମୟରେ ସେମାନେ ଅପରାଧ ସ୍ୱିକାର କରିବା ସହିତ ସେମାନଙ୍କର ଠାରୁ ଲୁଟ ମୋବାଇଲ ଦ୍ୱୟ ସମେତ ନଗଦ ୮ ହଜାର ୩ ଶହ ଟଙ୍କା ଜବତ କରାଯାଇଥିଲା। ଅଭିଯୁକ୍ତ ମାନଙ୍କୁ ରବିବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅଇଁଠାପାଲି ପୋଲିସ ସୂତ୍ର ରୁ ଜଣାଯାଇଛି I
ରାଜ୍ୟ
ବୋଲେରୋ ଚାଳକଙ୍କୁ ଲୁଟ୍ ମାମଲା : ୩ ଜଣ ଗିରଫ I
- Hits: 249