ସବୁ ଚାକିରୀରେ ପଦୋନ୍ନତି ଅଛି | ଅଫିସରମାନେ ବା ଅନ୍ୟ ସେବାରେ ଯିଏ ଯାହାର ପଦୋନ୍ନତି ଯେ ଯାହାର ବାଟରେ ନେଇ ଯାଉଛନ୍ତି | ହେଲେ ଡାକ୍ତରୀ ସେବାରେ ସମୟ ଭିତ୍ତିକ ପଦୋନ୍ନତି ବ୍ୟବସ୍ଥା ଅନିଶ୍ଚିତ | ଆଉ ଏହି କାରଣରୁ ଆସିଷ୍ଟାଣ୍ଟ ସର୍ଜନରେ ଚାକିରି ଆରମ୍ଭ କରି ଆସିଷ୍ଟାଣ୍ଟ ସର୍ଜନରେ ହିଁ ଅବସର ନେବାର ନଜିର ରହିଛି ଓଡ଼ିଶାରେ | ଡାକ୍ତରୀ ପେଶା ଭଳି ଗୁରୁତ୍ୱପୂର୍ଣ୍ଣ ପେଶାରେ ପଦୋନ୍ନତିର ସ୍ପଷ୍ଟ ତଥା ବ୍ୟବସ୍ଥିତ ବ୍ୟବସ୍ଥା ନରହିଲେ ଡାକ୍ତରମାନେ ପ୍ରୋତ୍ସାହିତ ହେବେ ବା କେମିତି !! ସେମାନଙ୍କ ମନୋବଳ ବଢିବା ବା କେମିତି ! ଖାଲି କୋଭିଡି ଭଳି ତିରୋଟ କାଳରେ ତାଳି ମାରି କୋଭିଡି ଯୋଦ୍ଧା କହିଦେଲେ ତା ହେବନି ! ଡାକ୍ତରୀ ସେବାର ଗୁରୁତ୍ୱକୁ ଉପଲବ୍ଧି କରି କେନ୍ଦ୍ର ସରକାର କେବେଠୁ ଡାକ୍ତରମାନଙ୍କୁ ଡିଏସିପି ପ୍ରଦାନ କଲେଣି | ଅନେକ ରାଜ୍ୟ ମଧ୍ୟ ତାକୁ ବହୁଦିନରୁ ଲାଗୁ କରିସାରିଲେଣି | ହେଲେ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କୁ ଏଇ ଗୋଟିଏ ଦାବି ପୁରଣ କରିବାକୁ ଅନୁରୋଧ କରି ଆସୁଥିଲା ବେଲେ ରାଜ୍ୟ ସରକାର ସେଥିପ୍ରତି ଭୃକ୍ଷେପ କରୁନାହାନ୍ତି | ଫ୍ୟୁଚର କ୍ୟାରିୟର ପ୍ରସପେକ୍ଟସ ଅସ୍ପଷ୍ଟ ଥିବା କାରଣରୁ ନୂଆ ଡାକ୍ତରମାନେ ଓଡିଶା ଡାକ୍ତରୀ ସେବାରେ ଯୋଗ ଦେବାପାଇଁ କୁଣ୍ଠାବୋଧ କରୁଛନ୍ତି | ଡାକ୍ତରୀ ସେବାକୁ କେନ୍ଦ୍ର ସରକାର ତଥା ଅନ୍ୟ ରାଜ୍ୟ ସରକାର ଆକର୍ଷଣୀୟ କରିବା ପାଇଁ ଡିଏସିପି କାର୍ଯ୍ୟକାରୀ କରିଥିବା ବେଳେ ଓଡ଼ିଶାରେ ଡାକ୍ତରୀ ସେବାକୁ ନୂଆ ଡାକ୍ତରଙ୍କୁ ଆକୃଷ୍ଟ କରିବା ପରିବର୍ତ୍ତେ ଓମସାର ଅନିଚ୍ଛା ସତ୍ତ୍ୱେ ଡାକ୍ତରମାନଙ୍କର ଅବସର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି | ଫଳରେ ରାଜ୍ୟର ନୂଆ ଡାକ୍ତର ନିଯୁକ୍ତି କ୍ଷେତ୍ରରେ ଏହା ଅନ୍ତରାୟ ସୃଷ୍ଟି କରିଛି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିଶ ଅନୁଯାୟୀ ପ୍ରତି ୧୦୦୦୦ ଜନସଂଖ୍ୟା ପାଇଁ ଜଣେ ଡାକ୍ତର ରହିବା କଥା | ଓଡ଼ିଶାରେ ଆବଶ୍ୟକ ୪୫୦୦୦ଡାକ୍ତର | ହେଲେ ରାଜ୍ୟରେ ଅନୁମୋଦିତ ସରକାରୀ ଡାକ୍ତର ପଦବୀ ସଂଖ୍ୟା ଆବଶ୍ୟକତାର ୫ଭାଗରୁ ଭାଗେ ଅର୍ଥାତ ୮୭୧୯ | ଆଉ ଅନୁମୋଦିତ ପଦବୀର ଅଧାରୁ କମ ନିୟମିତ ସରକାରୀ ଡାକ୍ତରରେ ଅର୍ଥାତ ୩୫୦୦ରୁ କମ ଡ଼ାକ୍ତରରେ ଚାଲିଛି ରାଜ୍ୟର ସ୍ୱାସ୍ଥ୍ୟ ସେବା | ତେଣୁ ଡାକ୍ତରୀ ସେବାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ପ୍ରୋତ୍ସାହନ ଓ ଭିତ୍ତିଭୂମି ଯୋଗାଇ ଦେବାର ଆବଶ୍ୟକତା ରହିଛି ଓ ରାଜ୍ୟ ସରକାର ମଧ୍ୟ ସମୁଚିତ ଉତ୍ତରଦାୟୀ ହେବ ଆବଶ୍ୟକତା ରହିଛି |
ଡିଏସିପି ନେଇ ସରକାର ନିର୍ବିକାର, ଆନ୍ଦୋଳନ ମୁହାଁ ଓମ୍ସା
-
ଅବସର ବୟସସୀମା ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରି ନୂଆ ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଉ
-
ଡାକ୍ତରୀ ପେଶାରେ ପଦୋନ୍ନତି ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ହାରରେ ଡିଏସିପି ତୁରନ୍ତ ଲାଗୁ କରାଯାଉ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଓ ଭିତ୍ତିଭୂମି ସୁଦୃଢ଼ ପାଇଁ ଓମ୍ସା ସରକାରଙ୍କୁ ଏହି ଦାବୀ ବିଷୟରେ ବାରମ୍ବାର ଲିଖିତ ରୂପେ ଜଣାଇଲା ପରେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି କିମ୍ବା ଓମ୍ସା ସହ ଆଲୋଚନା କରିବା ଉଚିତ ମାନେ କରୁନାହାନ୍ତି । ଏ ନେଇ ଗଙ୍ଗନଗର ଭୁବନେଶ୍ୱର ଠାରେ ଓମ୍ସା ସାଧାରଣ ସଭା ବୈଠକରେ ଡାକ୍ତରମାନେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ତଥା ଆମ ରାଜ୍ୟରେ ସାଧାରଣଜନତାକୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଓମ୍ସା ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେଉଛି ବୋଲି କହିଛନ୍ତି ଓମ୍ସା ସଭାପତି ଡ଼ ନାରାୟଣ ରାଉତ | ସରକାର ସହୃଦୟତାର ସହ ଡାକ୍ତରମାନଙ୍କ ଦାବିକୁ ବିଚାର କରି ପୁରଣ କରିବା ପାଇଁ ବୈଠକରେ ଓମ୍ସା ପକ୍ଷରୁ ଦାବି କରାଯାଇଛି |
ଓମ୍ସା ସଭାପତି ଡ଼ ରାଉତଙ୍କ କହିବା ଅନୁଯାୟୀ, ଡାକ୍ତରଙ୍କ ଅବସର ବୟସ ସୀମା ବୃଦ୍ଧିରେ ଓମ୍ସା ସର୍ବଦା ବିରୋଧ କରିଆସିଛି | କିନ୍ତୁ କରୋନା ମହାମାରୀ ସମୟରେ ସରକାର ଓମସାର ବିରୋଧ ସତ୍ତ୍ୱେ ଏକ ତରଫା ଭାବେ ଅବସର ବୟସକୁ ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ଜନ ବିରୋଧୀ ଏବଂ ଡାକ୍ତରଙ୍କ ମାନବିକ ଅଧିକାର ହନନ କରିବା ସହ ବିର୍ପ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ସମ୍ଭାଳିବା ପାଇଁ ଥିବା ସେମାନଙ୍କର ମନୋବଳକୁ ଭାଙ୍ଗି ଦେଉଛି । ତୁରନ୍ତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ । ଆମ ରାଜ୍ୟରୁ ପ୍ରତିବର୍ଷ ୧୦୦୦ରୁ ଉର୍ଧ୍ଵ ଡାକ୍ତର ଉତ୍ତୀର୍ଣ୍ଣ ହେଉଥିଲେ ମଧ୍ୟ ସେମାନଙ୍କର ନିଯୁକ୍ତିକୁ ଉପେକ୍ଷା କରି ସରକାର ବାହାର ରାଜ୍ୟର ଡାକ୍ତରଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହାକୁ ତୁରନ୍ତ ପ୍ରତ୍ୟାହାର କରି ପ୍ରତିବର୍ଷ ଓପିଏସସି ପରୀକ୍ଷା କରି ଆମ ରାଜ୍ୟର ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ ।
ଡ଼ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୦୬ ମସିହାରୁ କେନ୍ଦ୍ର ସରକାର ଡାକ୍ତରଙ୍କୁ ଡିଏସିି ପ୍ରଦାନ କରି ଆସୁଥିବାବେଳେ ୨୦୧୮ ସୁଦ୍ଧା ଆମ ପଡେ଼ାଶୀ ରାଜ୍ୟ ବିହାରକୁ ମିଶାଇ ଅନେକ ରାଜ୍ୟ ଡାକ୍ତରଙ୍କୁ ୪, ୯, ୧୩, ୨୦ବର୍ଷରେ ସମୟାନୁଭିତ୍ତିକ ଡିଏସିି ପ୍ରଦାନ କରିଆସୁଛନ୍ତି । ଯଦି ସରକାର ଏହି କେନ୍ଦ୍ରୀୟ ହାରରେ ଡିଏସିି ପ୍ରଦାନ କରନ୍ତେ ତା ହେଲେ ନୂତନ ଡାକ୍ତର ଏଥିପ୍ରତି ଆକୃଷ୍ଟ ହୋଇ ଚାକିରୀରେ ଯୋଗଦେବେ, ରାଜ୍ୟରେ ଖାଲିଥିବା ଡାକ୍ତରୀ ପଦ ପୂରଣ ହୋଇପାରିବ । ତେଣୁ ଏହାକୁ ଯଥାଶୀଘ୍ର ଲାଗୁ କରିବା ପାଇଁ ଓମ୍ସା ଦାବି କରୁଛି ।
ଦନ୍ତ ଚିକିତ୍ସକ ଓଡ଼ିଶା ମେଡ଼ିକାଲ ସର୍ଭିସେସ୍ ଅନ୍ତର୍ଭୁକ୍ତ ଥିଲେ ମଧ୍ୟ ଡାକ୍ତର କ୍ୟାଡ଼ର ପୁନର୍ବିନ୍ୟାସ ହୋଇନାହିଁ | ତେଣୁ ସେମାନଙ୍କ କ୍ୟାଡର ପୁନର୍ବିନ୍ୟାସ ସହ ଡିଏସିି ମଧ୍ୟ ପ୍ରଦାନ କରାଯାଉ । ଦୀର୍ଘ ବର୍ଷ ଧରି କଲାପରେ ମଧ୍ୟ ଯେଉଁ ADHOC ଡାକ୍ତରଙ୍କୁ ଚାକିରିରେ ସ୍ଥାୟୀ କରାଇନାହିଁ, ସେମାନଙ୍କୁ ତୁରନ୍ତ ତାଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ । ଓଡ଼ିଶାରେ ୪.୫କୋଟି ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ ଡବ୍ଲ୍ୟୁଏଚଓ ଗାଇଡଲାଇନ୍ ଅନୁଯାୟୀ ପାଖାପାଖି ୪୫୦୦୦ଡାକ୍ତର ଆବଶ୍ୟକ ଥିବାବେଳେ ୮୭୧୯ ସରକାରୀ ଡାକ୍ତରୀ ପଦବୀ ଅଛି ଏବଂ ୩୫୦୦ରୁ କମ୍ ନିୟମିତ ସରକାରୀ ଡାକ୍ତରଙ୍କ ଦ୍ୱାରା ଅତ୍ୟନ୍ତ ଚାପଗ୍ରସ୍ତ ଅବସ୍ଥାରେ ସ୍ୱାସ୍ଥ୍ୟସେବାକୁ ବଞ୍ଚାଇ ରଖିଛନ୍ତି । ଯାହାଦ୍ୱାରା ସାଧାରଣ ସ୍ୱାସ୍ଥ୍ୟାବସ୍ଥା ଶୋଚନୀୟ ସ୍ଥିତିରେ ପହଂଚିଛି ।
ଏଭଳି ପରିସ୍ଥିତିରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ଉନ୍ନତି ଓ ଭିତ୍ତିଭୂମି ସୁଦୃଢ଼ ପାଇଁ ଡାକ୍ତରଙ୍କ ଦାବୀଗୁଡିକୁ ପୂରଣ କରିବାରେ ରାଜ୍ୟ ସରକାର ଅହେତୁକ ବିଳମ୍ବ କଲେ ସାଧାରଣ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପର୍ଯ୍ୟାୟକ୍ରମେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ଏବଂ ଏହାଦ୍ୱାରା ଜନସାଧାରଣଙ୍କର ସ୍ୱାସ୍ଥ୍ୟସେବାରେ ବ୍ୟାଘାତ ହେଲେ ସରକାର ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବେ ବୋଲି ଓମ୍ସା ପକ୍ଷରୁ କୁହାଯାଇଛି ।