ନୟାଗଡ଼(ବିଶ୍ୱଜିତ ନାୟକ): - ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁର ଯୁବ ବିଜେପି ନେତା ସଞ୍ଜୟ କୁମାର ନାୟକଙ୍କ ପତ୍ନୀ ମମତା ସ୍ୱାଇଁ । ମମତା ପ୍ରସବ ବେଦନା ପାଇବା ପରେ ଗତକାଲି ରାତି ୮ଟା ବେଳକୁ ଡାକ୍ତରଖାନା ଅଣାଯାଇଥିଲା । ଲେବର ରୁମରେ ତାଙ୍କର ସଠିକ ଭାବେ ଚିକିତ୍ସା କରାଯାଇନଥିଲା । ଡାକ୍ତର ମଧ୍ୟ ତାଙ୍କୁ ଦେଖିବା ପାଇଁ ଆସିନଥିଲେ । ଯେଉଁ କାରଣରୁ ଦୀର୍ଘ ସମୟ ଧରି ପ୍ରବସ ବେଦନ ପାଇବା ପରେ ରାତି ୩ଟା ୪୫ ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ନୟାଗଡ଼ ଏସ୍ଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ, ଟାଉନଥାନା ଅଧିକରୀ ରଶ୍ମିରଞ୍ଜନ ମହାପାତ୍ର ସଦଳବଳେ ପହଞ୍ଚି ବୁଝାଶୁଝା କରିଥିଲେ । ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ଶହଶହ ଲୋକ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୁଣ୍ଡ ହୋଇଥିଲେ । ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଏବଂ ୪ ଜଣ ଡିଏସ୍ପି, ୬ ଜଣ ଇନ୍ସିପେକ୍ଟର ଓ ୨ ପ୍ଲାଟୁନ ଫୋର୍ସ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜୋରଦାର ଦାବି କରାଯାଇଥିଲା । ଏହାକୁ ନେଇ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବନମାଳି ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ନୟାଗଡ଼ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲେ । ଦାବି ମୁତାବକ ତୁରନ୍ତ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ରବୀନ୍ଦ୍ର ନାଥ ସାହୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅନ୍ୟତ୍ର ବଦଳି କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହା ସହିତ ଏକ କମିଟି ଗଠନ କରି ଘଟଣାର ତଦନ୍ତ କରାଯିବ ଏବଂ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଅପରାହ୍ନ ୧ ଘଟିବା ବେଳକୁ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି ।
ରାଜ୍ୟ
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଚିକିତ୍ସା ଅବହେଳାରୁ ମହିଳା ମୃତ
- Hits: 448