ଓଡଗାଁ,୧।୬(ଶ୍ରୀକାନ୍ତ କୁମାର ମିଶ୍ର): ଓଡଗାଁ ଥାନା ରୋହିବାଙ୍କ ଗ୍ରାମରୁ ଓଡ଼ଗାଁ ବନାଞ୍ଚଳ କର୍ମଚାରୀଙ୍କ ଦ୍ବାରା ୧୦ କେଜି ଚିତ୍ରା ହରିଣ ମାଂସ ଜବତ୍ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ସେମାନେ ହେଲେ ରୋହିବାଙ୍କ ଅରଖ ସାହିର ତୋଫାନ ପ୍ରଧାନ (୨୫) ଓ ବଡ଼ ଭାଇ ପିତବାସ ପ୍ରଧାନ (୩୦)। ରବିବାର ସକାଳ ପ୍ରାୟ ୯ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନବିଭାଗ ଦୁଇ ଭାଇଙ୍କ ଘରେ ଚଢ଼ାଉ କରିଥିଲେ । ଏହି ସମୟରେ ସେମାନେ ଏକ ପରାତ ଥାଳିରେ ପ୍ରାୟ ୧୦ କେଜି ବନ୍ୟ ପ୍ରାଣୀ ମାଂସ ବିକ୍ରି କରୁଥିବା ବେଳେ ସେମାନଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ଗୋଟିଏ କଟୁରୀ, ୨ ଭୁଜାଲି ଜବତ କରିବା ସହିତ ମାଂସ ସମ୍ପର୍କରେ ପଚରା ଉଚୁରା କରିଥିଲେ । ହେଲେ ସେମାନଙ୍କ ସହିତ ତାଙ୍କ ଗାଁର ଲୋଚନ ଖିଲାର (୫୦) ନିକଟସ୍ଥ ଗୟଳ ସିଂହ ସରଂକ୍ଷିତ ଜଙ୍ଗଲରେ ଚିତ୍ରା ହରିଣ ଶିକାର କରିଥିବା କଥା ସ୍ୱୀକାର କରିଥିଲେ । ଫଳରେ ବନ ବିଭାଗ କର୍ମଚାରୀ ଲୋଚନ ଘର ଓ ଅଙ୍ଗନବାଡି କେନ୍ଦ୍ର ଖାନ ତଲାସ କରିଥିବା ବେଳେ ଲୋଚନ ବନ୍ଧୁକ ଓ ପରିବାର ସହିତ କେଉଁଆଡେ ଫେରାର ହୋଇଥିବା ଜଣାପଡ଼ିଥିଲା । ଲୋଚନଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଜଣାପଡିଛି । ଅନ୍ୟପକ୍ଷେ ଗିରଫ ଦୁଇ ଭାଇଙ୍କୁ ଏ ସମ୍ପର୍କରେ ପଚାରିବାରେ ସେମାନଙ୍କୁ ଶିକାରୀ ଲୋଚନଠାରୁ ତିନି ଭାଗ ମାଂସ ଖାଇବାକୁ କିଣି ଆଣିଥିଲେ ବୋଲି କହିଛନ୍ତି । ବନାଞ୍ଚଳ ଅଧିକାରୀ ନିଖିଳେଶ ମଲିକଙ୍କ ନିର୍ଦ୍ଦେଶାନୁସାରେ ବନପାଳ ସରିତା ବରାଳ, ବନ ରଖି ସୌମ୍ୟ ରଞ୍ଜନ ଦଳେଇ, ଦିପ୍ତିମୟୀ ରାଉତ ସହିତ ବନ ସୁରକ୍ଷା ଦଳ ଚଢ଼ାଉରେ ସାମିଲ ହୋଇଥିଲେ । ବନ ବିଭାଗ ଏନେଇ ୮/୨୦୨୫-୨୬ ରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ସୋମବାର କୋର୍ଟ ଚାଲାଣ କରିବେ ବୋଲି ସୂଚନା ଦେଇଛନ୍ତି ।