ବାରିପଦା(ଦିଲ୍ଲୀପ ମହାନ୍ତି)-ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜ । କୃଷି ଓ, ଗୃହପାଳିତ ପଶୁ ପାଳନ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଜିଲ୍ଲାବାସୀ ମୁଖ୍ୟତଃ ନିର୍ଭର କରିଥାନ୍ତି । ବିଶେଷ କରି ପାହାଡ଼ିଆ ଓ ଉପାନ୍ତ ଅଞ୍ଚଳ ସହିତ ଗାଁଗଣ୍ଡାରେ ବସବାସ କରୁଥିବା ଆଦିବାସୀ, ମହାନ୍ତ ଆଦି ବିଭିନ୍ନ ସମ୍ପ୍ରଦାୟର ଜନସାଧାରଣ ଗୋପାଳନ, ଛେଳି, କୁକୁଡ଼ା ଓ ବତକ ପାଳନ ମୁଖ୍ୟ ଉପାର୍ଜନ ହୋଇଥିବା ବେଳେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ, ଚିକିତ୍ସା ଅବହେଳା ଫଳରେ ଏହା ଉପରେ ଆତ୍ମନିର୍ଭର କରୁଥିବା ଜନସାଧାରଣ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଥିବାର ପରିଲକ୍ଷିତ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ୨୦୧୨ ପ୍ରାଣୀ ସମ୍ପଦ ଗଣନା ଆଧାରରେ ୭ଲକ୍ଷ ୯୧ ହଜାର ୬୩୭ ଦେଶୀ ଜାତୀୟ ଗାଈ ଓ ଷଣ୍ଢ, ୩୯ ହଜାର ୬୩୦ ଶଙ୍କର ପ୍ରଜାତିର ଗାଈ ଓ ବଳଦ, ୬୭ ହଜାର ୩୫ ମଇଁଷି(ଅଣ୍ଡିରା ଓ ମାଈ), ୧ଲକ୍ଷ ୨୬ ହଜାର ୧୯୯ ମେଣ୍ଢା(ମାଈ ଓ ଅଣ୍ଡିରା), ୧୦ଲକ୍ଷ ୧୭ ହଜାର ୩୧୭ ଛେଳି (ମାଈ ଓ ଅଣ୍ଡିରା), ୨୪ ହଜାର ୬୯୫ ଘୁଷୁରୀ(ମାଈ ଓ ଅଣ୍ଡିରା), ୨୬ ଲକ୍ଷ ୪୧ ହଜାର ୭୮ କୁକୁଡ଼ା, ୬୮ ହଜାର ୩୬୨ ବତକ ରହିଥିବାର ଜଣାପଡ଼ିଛି । ଏହି ସମସ୍ତ ଶଙ୍କର ଓ ଦେଶୀ ଜାତୀୟ ପଶୁର ଯତ୍ନ ନେବା ସାଙ୍ଗକୁ ବିଭିନ୍ନ ସମୟରେ ରୋଗରେ ପଡ଼ିଲେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ସ୍ଥାନୀୟ ପଛୁ ଚିକିତ୍ସା କେନ୍ଦ୍ରକୁ ନେଇ ଆସିଥାନ୍ତି । ମାତ୍ର ଚିକିତ୍ସା କେନ୍ଦ୍ରରେ ଚିକିତ୍ସକ ପଦବୀ ଖାଲି ପଡ଼ିଥିବାରୁ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେବାରୁ ଅକାଳରେ ମୃତୁ୍ୟ ମରୁଛନ୍ତି । ଫଳରେ ଜନସାଧାରଣ ସ୍ଥଳ ବିଶେଷରେ ଲକ୍ଷାଧିକ ଟଙ୍କାର କ୍ଷତିରେ ପଡ଼ୁଛି । ପୁଣି ଯେଉଁମାନେ ଋଣ ନେଇ ଶଙ୍କର ଜାତୀୟ ଗାଈ ପାଳନ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଏହି କ୍ଷତିକୁ ଭରଣା କରିବା ସମ୍ଭବ ହୋଇ ପାରୁ ନାହିଁ । ଜିଲ୍ଲା ମୁଖ୍ୟ ପ୍ରଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ସହିତ କରଞ୍ଜିଆ, ବାରିପଦା, ଉଦଳା ଓ ରାଇରଙ୍ଗପୁରଠାରେ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ, ୨ଟି ପ୍ରାଣୀ ଚିକିତ୍ସାଳୟ, ୨୪ଟି ଗୋଷ୍ଠୀ ପ୍ରାଣୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ୧୬୬ଟି ପୁରୁଣା ଓ ୫୬ଟି ନୂଆ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ରହିଛି । ଏହି ସମୟରେ ଜିଲ୍ଲାର ଉଦଳା ଓ କରଞ୍ଜିଆ ଉପଖଣ୍ଡ କାର୍ଯ୍ୟାଳୟରେ ଉପଖଣ୍ଡସ୍ତରୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ପଦବୀ ଖାଲି ପଡ଼ି ରହିଛି । ସେହିପରି ଜିଲ୍ଲାରେ ମଞ୍ଜୁରୀ ପ୍ରାପ୍ତ ୧୩୦ ପ୍ରାଣୀଧନ ନିରୀକ୍ଷକ ପଦବୀ ମଧ୍ୟରୁ ୮୦ ଜଣ ରହିଥିବା ବେଳେ ୫୦ ପଦବୀ ଖାଲି ପଡ଼ିଛି ଓ ମଞ୍ଜୁରୀ ପ୍ରାପ୍ତ ୫୯ ଠିକା ପ୍ରାଣୀଧନ ନିରୀକ୍ଷକ ପଦବୀ ମଧ୍ୟରୁ ୩୫ ଜଣଙ୍କୁ ନିଯୁକ୍ତି ମିଳିଛି । ପୁଣି ୫୩ ଭେଟନାରୀ ଟେକ୍ନିସିଆନ ପଦବୀ ମଧ୍ୟରୁ ୪୯ ରହିଛନ୍ତି । ଏଥି ସହିତ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟରେ ମଧ୍ୟ ବହୁ ପଦବୀ ଖାଲି ପଡ଼ି ରହିଛି । ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି ପଡ଼ିଥିବାରୁ ସେହି ଅଞ୍ଚଳରେ ଶଙ୍କର ଜାତୀୟ ଗାଈ, ମଇଁଷି ଆଦିକୁ କୌଣସି ରୋଗ ଆଦି ହେଲେ ମାଲିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି କୁକୁଡ଼ା ଓ ବତକ ଆଦି ରୋଗରେ ପଡ଼ିଲେରେଗାଟାଏ ଗୋଟାଏ ଫାର୍ମରେ ଥିବା ସମସ୍ତ କୁକୁଡ଼ା ମରି ସଫା ହୋଇ ଯାଉଛନ୍ତି । ସରକାର ଜନସାଧାରଣଙ୍କୁ ଆତ୍ମ ନିର୍ଭରଶୀଳ ହେବା ସାଙ୍ଗକୁ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ଉଦେ୍ଧଶ୍ୟରେ ଗାଈ, ଛେଳି, କୁକୁଡ଼ା ଆଦି ପଶୁ ପାଳନ ସବସିଡ଼ିରେ ଋଣ ଯୋଗାଇ ଦେଉଥିବା ବେଳେ ସେମାନଙ୍କ ପଶୁ ଚିକିତ୍ସା ଦିଗକୁ ଅଣଦେଖା ପ୍ରଦର୍ଶନ ଚିନ୍ତାର ବିଷୟ ପାଲଟି ଯାଇଛି ।