୪୫ ତମ ଗଜପତି ଜିଲ୍ଲା ପରିଷଦ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୪୫ ତମ ଗଜପତି ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅନିତା ରାଣୀ ବେହେରା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡିକ ଚାଲିଛି । ହେଲେ ସେ ସବୁ ଅତି ମନ୍ଥର ଗତିରେ ଚାଲିଛି । ମୁଖ୍ୟତଃ ଯେଉଁ ଅଞ୍ଚଳରେ ଯେଉଁ କାମର ଆବଶ୍ୟକତା ପଡୁଛି , ସେହି କାମ କରାଯିବା ଦିଗରେ ଦୃଷ୍ଟି ଦିଆଯିବା ଦରକାର । ତେଣୁ ଲୋକ ପ୍ରତିନିଧି ମାନଙ୍କ ସହ ପ୍ରଶାସନିକ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କଲେ ଅଞ୍ଚଳବାସୀ ସେଥିରେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି କହିଥିଲେ । ସମସ୍ତଙ୍କ ସମନ୍ଵୟରେ ଉନ୍ନୟନ କାର୍ଯ୍ୟ ସବୁ କରାଗଲେ ଲୋକେ ନିଶ୍ଚିତ ଭାବେ ତାର ସୁଫଳ ପାଇ ପାଇବେ ବୋଲି ମଞ୍ଚାସୀନ ଅତିଥି ମାନେ କହିଥିଲେ ।

ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମହେଶ କୁମାର ଚୌଧୁରୀ ଯୋଗଦେଇ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ବୈଠକ କାର୍ଯ୍ୟକ୍ରମରେ ମୁଖ୍ୟତଃ ଖାଦ୍ୟ ଓ ଯୋଗାଣ , ଅବକାରୀ , ଶିକ୍ଷା , ସ୍ୱାସ୍ଥ୍ୟ , ପାନୀୟଜଳ , ରାସ୍ତାଘାଟ , କୃଷି ଓ ଜଳସେଚନ , ବିଦ୍ୟୁତ , ଜୀବିକା ନିର୍ବାହ , ମତ୍ସ୍ୟଚାଷ ଓ ପଶୁ ସମ୍ପଦ , ସାମାଜିକ ସୁରକ୍ଷା ଏବଂ ସମାଜ କଲ୍ୟାଣ ଓ ମହିଳା-ଶିଶୁ ପ୍ରଭୃତି ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଟିକିନିଖି ଆଲୋଚନା କରା ଯାଇଥିଲା । ଅନ୍ୟପକ୍ଷରେ ବୈଠକରେ ମୁଖ୍ୟତଃ ଗଜପତି ଜିଲ୍ଲାକୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ-ନିଯୁକ୍ତି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୦୬ କୋଟି ୩୩ ଲକ୍ଷ ୫୨ ହଜାର ୫୪୦ ଟଙ୍କା ଏବଂ ୫୬ ଲକ୍ଷ ୪୨ ହଜାର ୨୦୦ ଟି ଶ୍ରମ ଦିବସ ସୃଷ୍ଟି କରାଯିବାକୁ ଲକ୍ଷ ରଖାଯାଇଥିବା ବେଳେ ବୈଠକରେ ତାହା ଅନୁମୋଦନ ହୋଇଥିଲା ।

ବୈଠକରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ବସନ୍ତ କୁମାର ପାତ୍ର ଉପସ୍ଥିତ ରହି ପୂର୍ବ ବୈଠକର ବିବରଣୀ ପାଠ କରି କାର୍ଯ୍ୟସୂଚୀ ପ୍ରକାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଆଲୋଚନା ପାଇଁ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ , ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ବିଜୟ କୁମାର ଏବଂ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଲୋକନାଥ ଦଳବେହେରା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।। ଏହି ବୈଠକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ-ସଭ୍ୟା , ସମସ୍ତ ବ୍ଲକ ଅଧ୍ୟକ୍ଷ ଏବଂ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault