ନବରଙ୍ଗପୁର ଜିଲ୍ଲାର  ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ରଘୁନନ୍ଦନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନେଲେ ସମୀକ୍ଷା ବୈଠକ, ଜିଲ୍ଲାରେ ଜନସେଚନ ସୁବିଧା ବୃଦ୍ଧି ଉପରେ ଦେଲେ ଗୁରୁତ୍ୱ 

ନବରଙ୍ଗପୁର(ଶାସକ ପ୍ରଶାସକ): ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ  ତାଙ୍କର ନବରଙ୍ଗପୁର ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ପୂର୍ବାହ୍ନରେ ଜିଲ୍ଲାର  ବିଭିନ୍ନ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ  । ମନ୍ତ୍ରୀ ଶ୍ରୀ ଦାସ  ପ୍ରଥମେ ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିଦର୍ଶନ କରିଥିଲେ । ଏହାପରେ ସେ ଡାହିଭଟା ସ୍ଥିତ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ଏହାର କାର୍ଯ୍ୟ କ୍ଷମତା ସଂପର୍କରେ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ  ପଚାରି ବୁଝିଥିଲେ  ଏବଂ ପରେ ପରେ ସେ  ବାଙ୍ଗଲାଗୁଡା  ବ୍ୟାରେଜ୍ ପରିଦର୍ଶନ କରିଥିଲେ ।  ଏହିସବୁ  ଜଳସେଚନ ପ୍ରକଳ୍ପ  ପରିଦର୍ଶନ ସମୟରେ ମନ୍ତ୍ରୀଙ୍କ ସହିତ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ  ନିମାଇଁ ଚରଣ ସୂତାର ଓ  ସଂପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ  ଅଧିକାରୀମାନେ  ଉପସ୍ଥିତ ଥିଲେ । 

 ଅପରାହ୍ଣରେ  ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଦାସ ଯୋଗଦେଇ ଜିଲ୍ଲାରେ  ଉପଲବ୍ଧ ଜଳସେଚନର ସୁବିଧା ସଂପର୍କରେ ବିଶଦ୍ ଭାବେ ଅବଗତ ହେବା ସହିତ   ଆଗାମୀ ଦିନରେ ଜିଲ୍ଲାରେ  କିପରି  ଜଳସେଚନର ଅଧିକ ବିକାଶ ହୋଇପାରିବ, ସେ ସଂପର୍କରେ ସମୀକ୍ଷା କରିଥିଲେ ।   ଜିଲ୍ଲାର ବିଧାୟକମାନେ ନିଜ ନିଜ ଅଂଚଳରେ କୃଷିପାଇଁ ଅତିରିକ୍ତ ଜଳସେଚନ ସୁବିଧା ପାଇଁ ପ୍ରସ୍ତାବ ରଖିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ଶ୍ରୀ ପ୍ରଧାନୀ, ଡାବୁଙ୍ଗା ବିଧାୟକ ଶ୍ରୀ ମନୋହର ରନ୍ଧାରୀ,  ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝି, ଜିଲ୍ଲା ପରିଷଦ ସଭାପତି  ଶ୍ରୀମତୀ ଭଗବତୀ ଭତ୍ରା, ଜିଲ୍ଲା ପରିଷଦ ଉପ ସଭାପତି  ଶ୍ରୀମତୀ ନିବେଦିତା ମହାନ୍ତି, ଜିଲ୍ଲାପାଳ ଡଃ. ଅଜିତ୍ କୁମାର  ମିଶ୍ର,  ଜଳସଂପଦ ବିଭାଗର ସର୍ବୋଚ୍ଚ  ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ବିଭାଗୀୟ ଅନ୍ୟ ଯନ୍ତ୍ରୀ, ସାଂସଦଙ୍କ ପ୍ରତିନିଧି ଏବଂ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।

0
0
0
s2sdefault