ନାରୀ ଶସକ୍ତିକରଣ ପାଇଁ ମାନସିକତାରେ ପରିବର୍ତ୍ତନ ଉପରେ ଜିଲ୍ଲାପାଳ ଦେଲେ ଗୁରୁତ୍ୱ
ଅନୁକୂଳ ଓ ସାମର୍ଥ୍ୟଯୁକ୍ତ ବାତାବରଣ ସୃଷ୍ଟି କରି ନାରୀମାନଙ୍କୁ ସମାନ ସୁଯୋଗର ପ୍ରୋତ୍ସାହନ ଦେବାକୁ ଆହ୍ଵାନ ଦେଲେ ଜିଲ୍ଲାପାଳ
ଝାରସୁଗୁଡା:(ସୁଭାଷ ସହାରେ)- ଆଜି ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଶୋଭାଯାତ୍ରା ଓ ବୈଠକ ଅନୁଷ୍ଠିତ ହୋଇଥିଲା । ବେହେରାମାଲ ଛକରୁ ସଚେତନତା ଶୋଭାଯାତ୍ରା ବାହାରି ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲା । ଜିଲ୍ଲା କାର୍ଯ୍ୟାଳୟସ୍ଥିତ ଡି ଏମ୍ ଏଫ ଅଡିଟୋରିଅମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନାରୀ ଶସକ୍ତିକରଣ ସକାଶେ ମାନସିକତାର ପରିବର୍ତ୍ତନ ସହ ସାମାଜିକ ସଚେତନତା ଆବଶ୍ୟକ ବୋଲି କହିଥିଲେ । ନାରୀମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରୟାସ ସହ ସେମାନଙ୍କ ନୈପୁଣ୍ୟ , ପରାକାଷ୍ଠା ଧାରାବାହିକତାରେ ପରିଣତ ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ । କେବଳ ପାଳନ ଭିତରେ କାର୍ଯ୍ୟକ୍ରମ ସୀମିତ ନରଖି କାର୍ଯ୍ୟକ୍ରମର ସମ୍ପ୍ରସାରଣ ଓ ସରକାରୀ ବିଭାଗ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ଭାବରେ ଏ ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଏକ ସୂଚନା ଓ ସହାୟକ ପୁସ୍ତିକା ଉନ୍ମୋଚନ କରିଥିଲେ । ଚିତ୍ରକଳା ପାଇଁ ଇଷା ପୁରୋହିତ , ସଟପୁଟ ଓ ଜାଭେଲୀନ ଥ୍ରୋ ଖେଳାଳୀ ବି . ସାଇନି ଅମ୍ବିକା , କିକ ବକ୍ସିଙ୍ଗ ଖେଳାଳୀ ଅମ୍ବିକା ଗୁପ୍ତା ଓ ଝାରସୁଗୁଡ଼ା ଚାଇଲଡ ଲାଇନ ସଂସ୍ଥା କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ଆଇନ ପ୍ରାଧିକରଣ ସଂସ୍ଥା ସଚିବ ଜାନକୀ ବିଶ୍ୱାଳ ତାଙ୍କ ଅଭିଭାଷଣରେ ନାରୀ ଶିକ୍ଷା ଉପରେ ଗୁରୁତ୍ୱାରୋପ ପୂର୍ବକ ପରିବାର ଶିକ୍ଷିତ ହେବା ପାଇଁ ନାରୀମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସେ ନାରୀମାନଙ୍କ ସକାଶେ ଉଦ୍ଦିଷ୍ଟ ମାଗଣା ଆଇନ ସେବା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ , ଭ୍ରୁଣର ଲିଙ୍ଗ ନିରୂପଣକୁ ନିରୁତ୍ସାହିତ କରିବାକୁ ଓ ନିରାପଦ ମାତୃତ୍ବ ପାଇଁ ଉପଯୁକ୍ତ ବୟସରେ ବିବାହ ପାଇଁ ସଚେତନତା ସୃଷ୍ଟି କରିବାକୁ ମିଳିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନାରୀ ଶିକ୍ଷାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।
ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁପ୍ରଭା ସେଠ ପ୍ରାକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଆନନ୍ଦନୀ ପାଢ଼ୀ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା କନ୍ୟା ସନ୍ତାନମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଉପରେ ଆଲୋକପାତ କରିଥିଲେ । ମହିଳା ଓ ଶିଶୁ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଝାରସୁଗୁଡ଼ା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁପ୍ରଭା ସେଠ , ଜିଲ୍ଲାର ସମସ୍ତ ବ୍ଲକ ଓ ପୋୖରାଞ୍ଚଳରୁ ସାତ ଜଣ ଲେଖାଁଏ ସୁପରଭାଇଜର , ଏ ଏନ ଏମ୍ , ଶିକ୍ଷୟତ୍ରୀ,ଆଶା କର୍ମୀ , ଅଙ୍ଗନୱାଡ଼ି କର୍ମୀ ଓ ଅନୁଷ୍ଠାନକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶିଶୁ ବିକାଶ ସମିତିର ସଦସ୍ୟା ମମତା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ରମେଶ ମିଶ୍ର , ବୃନ୍ଦାବତୀ ପଣ୍ଡା , ଆଶିଷ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।