ସାନ୍ତାଳ ସମ୍ପ୍ରଦାୟର ସାମୁହିକ ଅସ୍ଥି ବିସର୍ଜନ ଦାମୋଦର ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ସୁନାମୁହିଁସ୍ଥିତ  ବୁଢ଼ାବଳଙ୍ଗ, ଜରାଳୀ ଓ ସରାଳି ନଦୀର ସଙ୍ଗମ ସ୍ଥଳି ବାରୁଣୀ ନିକଟରେ ଆଦିବାସୀ(ସାନ୍ତାଳ) ସମ୍ପ୍ରଦାୟର ସାମୁହିକ ଅସ୍ଥି ବିସର୍ଜନ ଦାମୋଦର ଯାତ୍ରାର ଦ୍ୱିତୀୟ ଦିବସରେ ପହଁଞ୍ଚିଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନସମାଗମ ହୋଇଥିବାର ପରିଲିକ୍ଷିତ ହୋଇଛି । ଆଜି ମୟୂରଭଞ ଜିଲ୍ଲାର ବିଭିନ୍ନ ବ୍ଲକ,  ପଡେ଼ାଶୀ କେନ୍ଦୁଝର, ବାଲେଶ୍ୱର ଜିଲ୍ଲା ସହିତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟ ଗୁଡ଼ିକରୁ  ଆଦିବାସୀ(ସାନ୍ତାଳ)ମାନେ ସେମାନଙ୍କର ପରିବାରରେ ମୃତ ଆତ୍ମୀୟ ସ୍ୱଜନମାନଙ୍କର ଅସ୍ଥିକୁ ବିସର୍ଜନ କରିବା ନିମନ୍ତେ ଏହି ତିନି ନଦୀର ସଂଗମ ସ୍ଥଳକୁ ଆସିଥିଲେ । ଦୂର ଦୂରାନ୍ତରୁ ଆସି ପାରି ନଥିବା ବ୍ୟକ୍ତିମାନେ ପରବର୍ତ୍ତି ଦିନ ଅର୍ଥାତ୍ ଜାନୁଆରୀ ୧୮ରେ ପହଁଞ୍ଚି ଅସ୍ଥି ବିସର୍ଜନ କରିବେ । ବାରିପଦା ପୌରପରିଷିଦରେ ଅନୁଷ୍ଠିତ  ଏହି ଅସ୍ଥି ବିସର୍ଜନ ପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ  କରାଇବା ଉଦେ୍ଧଶ୍ୟରେ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାରର ଉଦ୍ୟମ କରାଯାଇଥିଲା । ପୁଲିସ ପ୍ରଶାସନ ପକ୍ଷରୁ ଦାମୋଦର ଘାଟରେ ଅସ୍ଥାୟୀ କଣ୍ଟ୍ରୋଲ  ରୁମ ଖୋଲା ଯାଇଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗର ଏକ ଟିମ ପ୍ରସ୍ତୁତ ରହିଥିଲେ । ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅସ୍ଥି  ବିସର୍ଜନ ଆରମ୍ଭ ହୋଇଥିବା ବେଳେ  କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବଭଳି ମେଳା ଅଥବା କୌଣସି ଷ୍ଟଲ , ଦୋକାନ, ବଜାରକୁ ଚଳିତ ବର୍ଷ ଅନୁମତି ଦିଆଯାଇ ନାହିଁ । ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା । ଜନସାଧାରଣଙ୍କୁ କରୋନା ମାର୍ଗଦର୍ଶୀକାକୁ ଅନୁପାଳନ କରିବା ଉଦେ୍ଧଶ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଥିଲା । ଆଦିବାସୀ(ସାନ୍ତାଳ)ମାନଙ୍କ ପକ୍ଷରୁ ଭଞ ପାର୍ଗାନା ମୋହଲ କମିଟିର ସଦସ୍ୟମାନେ  ଦାମୋଦର ଯାତ୍ରା ପରିଚାଳନାରେ ପ୍ରସାଶନକୁ ସହାୟତା ପ୍ରଦାନ କରିଥିଲେ । ଆଜି ପୂର୍ବାହ୍ନରୁ ଦାମୋଦର ଘାଟରେ ଭିଡ଼ ଆରମ୍ଭ ହୋଇଥିବା ସମୟରେ ଅପରାହ୍ନରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା ।  ହରିବୋଲ(ହିର୍ଲା ମାରାଂ ବୁରୁ) ଧ୍ୱନୀ ସହିତ ଅସ୍ଥିକୁ ଧରି ଏକ ମୁହାଁ ହୋଇ ଦାମୋଦର ଘାଟରେ ପହଁଞ୍ଚିଥିଲେ । ଏହା ଏକ ଦୁଃଖଦ ଘଟଣା ହୋଇଥିଲେ ମଧ୍ୟ କେନ୍ଦ୍ରା, ବଇଁଶୀ ଆଦି ବଜାଇ ଗୀତ ଗାଇ ଦାମୋଦର ଯାତ୍ରାରେ ବାହାରି ଦାମୋଦର ଘାଟରେ ପହଁଞ୍ଚି ନିତ୍ୟକର୍ମ ଶେଷ କରି ନଦୀଗର୍ଭକୁ ପଇସା ଫିଙ୍ଗି ଅସ୍ଥି ବିସର୍ଜନ କରିଥାନ୍ତି । ଏହା ପରେ ନଦୀକୂଳରେ ବାଲିଦ୍ୱାରା ପୀଠଟିଏ ନିର୍ମାଣ କରି ଚାରି କୋଣରେ ୪ଟି ଶାଳ ଓ ଜାମୁ ଡ଼ାଳ ପୋତି ଏହାର ୩ ପାର୍ଶ୍ୱକୁ ୭ ଘେରା ସୂତା ଗୋଡ଼ାଇବା ପରେ ଖୋଲା ରହିଥିବା ଗୋଟାଏ ପାର୍ଶ୍ୱରେ  ୭ଟି ପତ୍ରରେ ଚୁଡ଼ା, ପିଠା ଆଦିକୁ ମୃତ ବ୍ୟକ୍ତିଙ୍କ ନାମରେ ଓ ସାନ୍ତାଳ ସମ୍ପ୍ରଦାୟର ଆରାଧ୍ୟ ଦେବତା ମାରାଂବୁରୁ ପୁରୁଧୁଲଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିିଥିଲେ । ଅସ୍ଥି ବିସର୍ଜନ ପର୍ବ ସମୟରେ ନଦୀ ଘାଟରେ ମୃତ ବ୍ୟକ୍ତିଙ୍କ ଚେହେରା ସହିତ ସାମଞ୍ଜସ୍ୟ ରହିଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଦେଖିବାକୁ ପାଇଲେ ପରିବାରର ସଦସ୍ୟମାନେ ତାଙ୍କୁ ବିଭିନ୍ନ ପ୍ରକାରର ଉପଢୌକନ  ପ୍ରଦାନ ପୂର୍ବକ ଆପ୍ୟାୟିତ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ପରମ୍ପରା ଓ ପ୍ରଚଳିତ ପ୍ରଥା ଅନୁସାରେ ଅସ୍ଥି ବିସର୍ଜନ ପର୍ବ ଶେଷ କରି ପୂଜାବଶେଷ ଦ୍ରବ୍ୟକୁ ପ୍ରସାଦ ଭାବେ ଗ୍ରହଣ କରି ଘରକୁ ବାହୁଡ଼ି ଯାଇଥିଲେ । 

 

 

0
0
0
s2sdefault