ହେଡଲାଇନସ୍:

ସରକାର ହରାଉଛି କୋଟି କୋଟି ଟଙ୍କା ରାଜସ୍ୱ, ଚୋରା ବ୍ୟବସାୟୀ ମାଲେମାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଆଇନ ଭାବେ ଚୋରାରେ ବାଲି ଚାଲାଣ, ଅଭିଯୋଗ ପରେ ମଧ୍ୟ ପ୍ରଶାସନର ନିଘାନାହିଁ କି ପଘା ନାହିଁ 

ବାରିପଦା (ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିଛି ବେଆଇନ ଭାବେ ଚୋରା ବାଲି ଚାଲାଣ । ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ପରେ ମଧ୍ୟ କୌଣସି କାରଣରୁ ପ୍ରଶାସନର ଏଦିଗରେ ନିଘା ନାହିଁ କି ପଘା ନାହିଁ । ଫଳରେ ଚୋରା ବାଲି ବ୍ୟବସାୟୀ ମାଲେମାଲ ହେଉଥିବା ସମୟରେ ସରକାରଙ୍କୁ ପ୍ରତ୍ୟେକ ବର୍ଷ ହରାଇବାକୁ ପଡ଼ୁଛି କୋଟିକୋଟି ଟଙ୍କାର ରାଜସ୍ୱ ।  ଏହି ଭଳି ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନସ୍ଥ ସୋରିଷକୋଠା ଗ୍ରାମ ନିକଟସ୍ଥ ବୁଢ଼ାବଳଙ୍ଗ ନଦୀ ଗଣ୍ଡଘାଟରେ । ସୋରଷକୋଠା ଗ୍ରାମର ନବ କିଶୋର ଦାସ ଓ ସନାତନ ମହାନ୍ତିଙ୍କ ଅଭିଯୋଗ ଆଧାରରେ ସୋରିଷକୋଠା ଗ୍ରାମର ଯତୀନ୍ଦ୍ର ନାଥ ସାସମଲ, ସନାତନ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାସମଲ, ନବଘନ ରାଉତ, ସୃଷ୍ଟିଧର ତୁଙ୍ଗ, ଉମାକାନ୍ତ ବେହେରା ପ୍ରମୁଖ ଏକ ଗ୍ରୁପ ସୋରିଷକଠା ବୁଢ଼ାବଳଙ୍ଗ ଗଣ୍ଡଘାଟରୁ ବେଆଇନ ଭାବେ ଚୋରାରେ ପ୍ରତ୍ୟେକ ଦିନ ଚୋରାରେ ବାଲି ଚାଲାଣ କରିଆସୁଛନ୍ତି । ଉକ୍ତ ବାଲିଘାଟରୁ ଦୈନିକ ଖୋଲମଖୋଲା ଭାବେ ଦିନରେ ୬୦ରୁ ୭୦ ଟ୍ରାକ୍ଟର ଓ ଡମ୍ପର ଦ୍ୱାରା ବାଲି ଚୋରାରେ ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ ଅଞ୍ଚଳ ସହିତ ପଡେ଼ାଶୀ ବାଲେଶ୍ୱର ଓ ଭଦ୍ରଖ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରିଆସୁଛନ୍ତି । ଏବିଷୟରେ ସ୍ଥାନୀୟ ତହସିଲଦାର, ମାଣିତ୍ରୀ ଫାଣ୍ଡି ଓ ବୈଶିଙ୍ଗା ଥାନା, ବାରିପଦା ଉପଜିଲ୍ଲାପାଳ, ମୟୂରଭଞ୍ଜ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଗ୍ରାମବାସୀମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ପଦାଧିକାରୀକାରୀମାନଙ୍କ ପକ୍ଷରୁ ଅଧ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇପାରି ନାହିଁ । ପ୍ରଶାସନିକ ନୀରବତାର ସୁଯୋଗ ନେଇ ଉକ୍ତ ବାଲିଘାଟରୁ ଆଜକୁ ୩/୪ ବର୍ଷ ଧରି ବାଲି ଚୋରା ଚାଲାଣ ହୋଇଆସୁଛି । ଏହା ବ୍ୟତୀତ ଗ୍ରାମରେ ରହିଥିବା ୟୁଜି ଏମଇ ସ୍କୁଲ ପଛ ପାଶ୍ୱର୍ରେ ରହିଥିବା ଗଛଗୁଡ଼ିଲୁ କାଟି ବାଲେଶ୍ୱରର ଏକ ବ୍ୟବସାୟୀଙ୍କୁ ବିକ୍ରିକରି ଦେଇଛନ୍ତି । ଏବିଷୟରେ ବନ ବିଭାଗର ଡ଼ୁକୁରା ରେଞ୍ଜ ଅଧିକାରୀଙ୍କୁ ଫୋନରେ ସୂଚନା ପ୍ରଦାନ କରିବା ପରେ ବଡ଼ସାହି ଫରେଷ୍ଟର ପଠାଇ ଚଳିତ ଜୁନ ୩ରେ ତଦନ୍ତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇପାରି ନାହିଁ । ଅଧିକନ୍ତୁ ଅଭିଯୁକ୍ତମାନେ ଏକ ଗୁପ୍ତ ବୈଠକ ବସାଇ ଟେକି ନେବାର ଯୋଜନା କରିବା ସଂଗେସଂଗେ ଜାତି ଉଠାଇ ଗାଳିଗୋଲଜ ଓ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଛନ୍ତି । ଫଳରେ ଜୀବନ ପ୍ରତି ବିପଦ ଦେଖା ଦେଇଛି । ଉକ୍ତ ଗ୍ରୁପର ମାଷ୍ଟର ମାଇଣ୍ଡ ସୋରିଷକୋଠା ଗ୍ରାମର ଯତୀନ୍ଦ୍ର ନାଥ ସାସମଲ ସମାଜରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି । ସେ ଗ୍ରାମରେ ବିଭିନ୍ନ କାର୍ଯ୍ୟକୁ ନିଜ ନାମରେ କାର୍ଯ୍ୟାଦେଶ ହାତେଇ କାର୍ଯ୍ୟ ନ କରି ଫଲସ ବିଲ ଉଠାଇଥାନ୍ତି । ଏବାବଦରେ ମଧ୍ୟ ୫ଲକ୍ଷ ୭୫ହଜାର ଟଙ୍କା ରିକୋଭାରୀ ହୋଇଥିବାର ଉଦାହରଣ ମଧ୍ୟ ରହିଛି । ଉକ୍ତ ବେଆଇନ ବାଲି ଚୋରା ଚାଲାଣ ଆଦି ଉପରେ ଅଦ୍ୟାବଧି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇ ପାରି ନ ଥିବାରୁ ବାଧ୍ୟ ହୋଇ ନ୍ୟାୟ ପାଇବା କ୍ଷେତ୍ରରେ ସହାୟତା ପାଇଁ ଗଣମାଧ୍ୟମର ସାହାର୍ଯ୍ୟ ଲୋଡ଼ିଛନ୍ତି ବୋଲି ସୋରିଷକୋଠା ଗ୍ରାମର ନବ କିଶୋର ଦାସ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧିଙ୍କୁ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଗୋଟାଏ ବାଲି ପ୍ରତି ଟ୍ରାକ୍ଟର ସର୍ବନିମ୍ନ ୨ ହଜାର ଓ ଡ଼ମ୍ଫର ୫ ହଜାର ଟଙ୍କାରୁ ଅଧିକ ବିକ୍ରି ହେଉଛି । ଉକ୍ତ ଅଭିଯୋଗ ଉପରେ ସତ୍ୟାସତ୍ୟ ଜାଣିବା ନିମନ୍ତେ ବାରିପଦା ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ ଉଦ୍ୟମ କରାଯାଇ ଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା ।

0
0
0
s2sdefault