ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ଦୁଇଭାଇଙ୍କୁ କଲେ ସମ୍ବର୍ଦ୍ଧିତ
ବରଗଡ଼ (ଶାସକ ପ୍ରଶାସକ) : ଜଣକର ନା ଦିବସ, ଦିବସର ଆଲୋକ ପରି ସ୍ୱଚ୍ଛ ତଥା ଲୋକଙ୍କ ସେବାରେ ସମର୍ପିତ ହୃଦୟ | ଆଉ ଜଣକର ନା ଆକାଶ, ଆକାଶ ପରି ବିଶାଳ ଦରଦୀ ହୃଦୟ ସେବା ସହାୟତା ପାଇଁ ତତ୍ପର | ଏବେ ଚର୍ଚାରେ ଦି ଭାଇଙ୍କ ସେବା | କାହାର ବାହାବାକୁ ଅପେକ୍ଷା ନାହିଁ, କୌଣସି ପ୍ରଶଂସା ପାଇଁ ବି ଆଶା ନାହିଁ | ବିନା ଦ୍ବିଧାରେ ସେବା କରିବାରେ ଆନନ୍ଦ ପାଆନ୍ତି ଦି ଭାଇ | ରାଜ୍ୟ ସ୍ତରରେ ପ୍ରଶଂସା, ସରକାରଙ୍କ ସ୍ୱତଃ ବାହାବା | ସାଂସଦଙ୍କ ହାର୍ଦ୍ଦିକ ପ୍ରଶଂସା ଅଜାଡି ହୋଇପଡିଛି ସେବାକାରିବାରେ ଆଉ ଅନ୍ୟକୁ ସହାୟତା ଦେବାରେ ଆନନ୍ଦ ପାଉଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଏହି ଦୁଇ ଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁଙ୍କ ଉପରେ | ଏକାଧିକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜୀବନ ରକ୍ଷା କରିଥିବା ଦୁଇଭାଇ ଦିବସ ଓ ଆକାଶଙ୍କୁ ସୋମବାର ବରଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଦୁଇଭାଇଙ୍କ ନିଷ୍ଠାପର ସେବା କାର୍ଯ୍ୟକୁ ରାଜ୍ୟ ପରିବହନ ବିଭାଗ ଟୁଇଟ୍ କରି ପ୍ରଶଂସା କରିଥିଲା।ଏହାପରେ ଜାତୀୟ ଛପା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ କନ୍ଧମାଳ ସାଂସଦ ତଥା କିସ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦିବସଙ୍କ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ.ସୋମବାର ବରଗଡ଼ ଆଞ୍ଚଳିକ ଅଧିକାରୀ ମାନସ ସାହୁ ଦୁଇଭାଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ସୂଚନା ଯୋଗ୍ୟ, ୨୦୧୮ ଜାନୁୟାରୀ ୧୪ରେ ବରଗଡ଼ ଜିଲା ପଦ୍ମପୁର ରୁ ବିଜେପୁର ପୂର୍ତ୍ତ ବିଭାଗ ରାସ୍ତା ଦୁବଲାବାହାଲ ଛକରେ ସଂଘଟିତ ଏକ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲାର ଜଣେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଦିବସ ପ୍ରଥମେ ନିଜ ସ୍କୁଟର ସହାୟତାରେ ଦିପ୍ତୀପୁର ଖ୍ରୀଷ୍ଟିଆନ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ଏବଂ ସେଠାରୁ ସୁବିଧା ପାଇଁ ଏକ ବୋଲେରୋ ଭଡ଼ା କରି ପ୍ରଥମେ ସୋହେଲା ଯାଏଁ ନେଇ ପରେ ୧୦୮ ଆମ୍ବୁଲାନ୍ସ ସହାୟତା ରେ ଭୀମସାର୍, ବୁର୍ଲା ପର୍ଯ୍ୟନ୍ତ ନେଇଥିଲେ। ଫଳରେ ଆହତଙ୍କ ଜୀବନ ରକ୍ଷା ପାଇଥିଲା । ସେହିପରି ୨୦୧୮ ଅକ୍ଟୋବର ୧୯ରେ ପୁଞ୍ଜିପଥର ଛକ ପାଖରେ ଘଟିଥିବା ସଡ଼କ ଦୁର୍ଘଟଣା ଯୋଗୁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ଦିବସ ନିଜ ସ୍କୁଟର ଯୋଗେ ଡାକ୍ତରଖାନାରେ ପହଞ୍ଚାଇଥିଲେ।ସେଠାରୁ ଅବସ୍ଥା ସୁଧୁରି ନ ଥିବା ଯୋଗୁଁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଭିମସାର ବୁର୍ଲା ପର୍ଯ୍ୟନ୍ତ ନେଇଥିଲେ ଫଳରେ ତାଙ୍କ ଜୀବନ ରକ୍ଷା ପାଇଥିଲା. ସେହିପରି ଗତବର୍ଷ ୨୦୨୦ ଜୁଲାଇ ୭ରେ ବିଜେପୁର ବ୍ଲକ ପଡ଼ା ଛକ ପାଖରେ ସଂଘଟିତ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ୨ଜଣଙ୍କୁ ଆକାଶ ଉଦ୍ଧାର କରି ପ୍ରଥମେ ବିଜେପୁର ଏବଂ ପରେ ବରଗଡ଼ର ଏକ ଘରୋଇ ହସପିଟାଲକୁ ପହଞ୍ଚାଇ ସେମାନଙ୍କ ଜୀବନରକ୍ଷା କରିଥିଲେ। ଏହା କେବଳ ଦୃଷ୍ଟାନ୍ତ ମାତ୍ର, ଏଭଳି ଅନେକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନରକ୍ଷା କରିଛନ୍ତି । ଏହାଛଡ଼ା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ଦିବସ ସଡ଼କ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହିତ ସଚେତନତା ସୃଷ୍ଟି କରୁଥିବା ବେଳେ ନିର୍ଯାତିତ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିବାରେ ତାଙ୍କ ପ୍ରମୁଖ ଭୂମିକା ରହିଛି । ସେହିପରି ଦିବସଙ୍କ ଭାଇ ଆକାଶ ବରଗଡ଼ ସହରର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ସେ ମଧ୍ୟ ବଡ଼ଭାଇଙ୍କ ପ୍ରେରଣାରେ ଜନସେବା କରି ଆସୁଛନ୍ତି । ଦୁଇଭାଇଙ୍କ ଏଭଳି ସେବାକୁ ବରଗଡ଼ ଜିଲା ପାଇକମାଲ ଥାନା ଟେମରୀ ଗ୍ରାମର ସାମାଜିକ କର୍ମୀ ଦୀପା ବାରିକ ଟୁଇଟ୍ କରି ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ।ଯାହାର ଫଳସ୍ୱରୂପ ଆଂଚଳିକ ପରିବହନ ବିଭାଗ ତରଫରୁ ଟ୍ୱିଟ କରି ଉଭୟଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରମୂଖ ସଚିବ ସଂଜୀବ ପଣ୍ଡା ନିର୍ଦେଶ ଦେଇଥିଲେ.ଟୁଇଟ ମାଧ୍ୟମରେ ଆଂଚଳିକ ପରିବହନ ବିଭାଗ ଟ୍ୱିଟ କରି ଅନେକ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଆସୁଥିବା ଦିବସଙ୍କୁ ରୋଲ ମଡେଲ ବୋଲି ଉଲ୍ଲେଖ କରିଥିଲେ.
ଦୁଇଭାଇଙ୍କ ଏହିପରି ଭାବେ ନିଃସ୍ୱାର୍ଥପର ଭାବେ ଅନବରତ ସେବା ତଥା ଦୁର୍ଘଟଣାରେ ଆହତଙ୍କୁ ସହାୟତା କରିବା ଦେଖି ଅନେକ ଲୋକେ ଅନୁପ୍ରାଣିତ ହେବେ ବୋଲି ଆଶା |