ହେଡଲାଇନସ୍:

ବନ ସୁରକ୍ଷା କମିଟି ସଭାପତିଙ୍କୁ ଦଳିଦେଲା ହାତୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ) ; ଜିଲା ପ୍ରଶାସନର ଡାକରାକ୍ରମେ ବୌଦ୍ଧ ଜିଲା ସଦର ମହକୁମାଠାରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସରେ ଯୋଗ ଦେବା ପାଇଁ  ଗାଁରୁ କଣ୍ଟାମାଳ ଆସୁଥିବା ପୁଟାଖେତା ପଲସାପଡା ଗ୍ରାମ୍ୟ ବନ ସୁରକ୍ଷା ସମିତିର ସଭାପତି ହାତୀ ହାବୁଡରେ ପଡି ପ୍ରାଣ ହରାଇଛନ୍ତି । ବନ ସୁରକ୍ଷା ସମିତିର ସଭାପତି ଭରତ ବଗର୍ତ୍ତିଙ୍କ ସହ କମିଟିର ସହ ସଂପାଦକ ଡିଙ୍ଗର ବଗର୍ତ୍ତି ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ପାଇଁ ଯାଉଥିବା ବେଳେ ସେ ଅଳ୍ପକେ ଖସି ପ୍ରାଣରକ୍ଷା କରି ପାରିଛନ୍ତି । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ କଣ୍ଟାମାଳ ରେଞ୍ଜର ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁଁ ହାତୀଙ୍କୁ ବାସହୀନ କରୁଥିବା ବେଳେ ନିକଟସ୍ଥ ଜନବସତି ପାଇଁ ଏବେ ଏହା କାଳ ସାଜିଛି । ଦିନକୁ ଦିନ ଜଙ୍ଗଲ କମି ଯାଉଥିବା ବେଳେ ହାତୀପଳ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି । ଗତ କିଛି ଦିନ ହେଲା  କଣ୍ଟାମାଳ ରେଞ୍ଜର ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଥିବା ଏକ ୧୦ ଜଣିଆ ହାତୀ ମଙ୍ଗଳବାର ପ୍ରତ୍ୟୁଷରୁ ବରଗାଁ  ନିକଟ ଘୁଚାଙ୍ଗି ଛକର ମୁଖ୍ୟ ରାସ୍ତରେ ବାଉଁଶ ବଣକୁ ନଷ୍ଟ କରି ଦେଇଛନ୍ତି । ଏହି ହାତୀପଲ ରାସ୍ତା ପାର ହୋଇ ଗାଁ ଆଡକୁ ଆସୁଥିବା ବେଳେ ପୁଟାଖେତା ପଲସାପଡା ଗ୍ରାମର ଭରତ ବଗର୍ତ୍ତୀ ଓ ଡିଙ୍ଗର ବଗର୍ତ୍ତୀ ହାତୀ ହାବୁଡରେ ପଡି ଯାଇଥିଲେ । ଘଟଣା ସ୍ଥଳରୁ ଡିଙ୍ଗର ବଗର୍ତ୍ତୀ ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ଭରତକୁ ଏକ ଦନ୍ତାହାତୀ ଶୁଣ୍ଢରେ କଚାଡି ଦେବା ସହ ପାଦରେ ଦଳି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଭରତଙ୍କ ମୃତୁ୍ୟ ଘଟିଛି । ଭରତ ଓ ଡିଙ୍ଗର ଯଥାକ୍ରମେ  ପୁଟାଖେତା ପସଲାପଡା ଗ୍ରାମ୍ୟ ବନ ସୁରକ୍ଷା ସମିତି ସଭାପତି ଓ ସଂପାଦକ । ବନ ବିଭାଗର ଡାକରାକ୍ରମେ ଦୁଇଭାଇ ବୌଦ୍ଧ ଜିଲା ସଦର ମହକୁମାଠାରେ ଆୟୋଜିତ ଜିଲା ସ୍ତରୀୟ ବିଶ୍ୱ ପରିବେଶ ଦିବସରେ ଯୋଗ ଦେବାକୁ  ନିଜ ଗାଁରୁ କଣ୍ଟାମାଳ ଆସୁଥିବା ବେଳେ ଏହି ଅଘଟଣ ଘଟିଥିଲା । ହାତୀ ଆକ୍ରମଣ ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳକୁ ଯାଇଥିଲେ । ପରେ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର  ସରୋଜ କୁମାର ମିଶ୍ର ଓ କଣ୍ଟାମାଳ ବିଧାୟକ ମହିଧର ରଣା ଘଟଣା ସ୍ଥଳରେ ପହଞ୍ଚି ମୃତ ଭରତ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିବା ସହ ବନ ବିଭାଗ ତରଫରୁ ୫୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ବନଧନ ସୁରକ୍ଷା ପାଇଁ କାମ କରୁଥିବା  ଜନୈକ ବନ ସୁରକ୍ଷା କମିଟି ସଭାପତିଙ୍କ ଏତାଦୃଶ ମୃତ୍ୟୁକୁ ନେଇ ଅଞ୍ଚଳବାସୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଭରତର ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି । 

0
0
0
s2sdefault