ଝରକା ଭାଙ୍ଗି ଘରୁ ଟଙ୍କା ଓ ଅଳଙ୍କାର ଲୁଟ
ବାରିପଦା(ଦିଲ୍ଲୀପ ମହାନ୍ତି)- ହଜି ଯାଇଛି ମାନବିକତା । ବାରିପଦା ପୌରପରିଷଦର ୧୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ତଥା ମା ମଙ୍ଗଳା ବାର ଓ ଜିଲ୍ଲା ଭିଜିଲାନ୍ସ ୟୁନିଟ କାର୍ଯ୍ୟାଳୟ ସମ୍ମୁଖରେ ବସବାସ କରୁଥିବା ରଞ୍ଜିତ କୁମାର ପାଢ଼ୀ ଅସୁସ୍ଥ ଅବସ୍ଥାରେ ୩ ହେବ ଭୂବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ଏହାର ସୁଯୋଗ ନେଇ କୌଣସି ଦୁର୍ବୁତ୍ତ ତାଙ୍କ ଘରୁ କଳାକନା ବୁଲାଇ ଦେଇଥିବାର ଜଣାପଡ଼ିଛି । ଏହି ସମୟରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଘରେ ତାଲା ପକାଇ ଭୂବନେଶ୍ୱରରେ ରହି ରଞ୍ଜିତଙ୍କ ସେବା ଓ ଦେଖାଶୁଣା କରୁଥିଲେ । ଆଜି ପଡେ଼ାଶୀ ଘରର ଜନୈକ ମହିଳା ଫୁଲ ତୋଳିବାକୁ ଯାଇଥିବା ସମୟରେ ରଞ୍ଜିତଙ୍କ ଶୋଇବା ଘରର ଝରକା ଓ ଝରକାରେ ଲାଗିଥିବା ଗ୍ରିଲ ମେଲା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏ ବିଷୟରେ ବାରିପଦା ସହରର ୱାର୍ଡ ନମ୍ବର ୨୨ ରଘୁନାଥପୁର ଅଞ୍ଚଳରେ ରହୁଥିବା ରଣଜିତଙ୍କ ବଡ଼ ଭାଇ ବନ ବିହାରୀ ପାଢ଼ୀଙ୍କୁ ସୂଚନା ଦେଇଥିଲେ । ଭାଇ ବନ ବିହାରୀ ଆସି ଶୋଇବା ଘରର ଝରକା ତଡ଼ା ଯାଇଥିବାର ଦେଖି ଭୂବନେଶ୍ୱରରେ ଚିକିତ୍ସା ହେଉଥିବା ରଞ୍ଜିତକୁ ସୂଚନା ଦେଇଥିଲେ ଏବଂ ରଞ୍ଜିତଙ୍କ ପରାମର୍ଶ ଅନୁସାରେ ଘର ଭିତରକୁ ପ୍ରବେଶ କରି ଶୋଇବା ଘରେ ଓ ଡ଼ାଇନିଂ ହଲରେ ଥିବା ଅଲମାରୀ ଖୋଲା ଅବସ୍ଥାରେ ରହିଥିବା ବେଳେ ସେଥିରେ ଥିବା ଜିନିଷପତ୍ର ଏଣେତେଣେ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଏହାପରେ ଆଲମାରୀ ଭିତରେ କଣ କଣ ରହିଥିଲା ସେ ସମ୍ପର୍କରେ ରଞ୍ଜିତକୁ ପଚାରିବାରୁ କିଛି ଟଙ୍କା ଓ ସୁନା ଅଳଙ୍କାର ଚୋରୀ ହୋଇ ଯାଇଥିବାର ଜଣାପଡ଼ିଥିଲା ଏବଂ ଏହା ଗତ ଜାନୁଆରୀ ୧୦ ରାତିରେ ହୋଇଥିବାର ସନ୍ଦେହ କରି ବନ ବିହାରୀ ପାଢ଼ୀ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବାରୁ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ଏବଂ ଏହାକୁ ନେଇ ଥାନାରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୪୫୭, ୩୮୦ ଅନୁସାରେ ୪୬/୨୦୨୧ରେ ଏକ ମାମଲା ରୁଜୁ ହୋଇଥିବାର ସୂଚନା ମିଳିଛି ।