ଶିମିଳିପାଳ ଅଭୟାରଣ୍ୟରେ ଶିକାରୀର ବିଷାକ୍ତ ତୀର ମାଡ଼ରେ ଅସୁସ୍ଥ ଦନ୍ତାହାତୀର ମୃତ ଓ ଦାନ୍ତ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି)- ଆଜି ଦକ୍ଷିଣ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ପୋଡ଼ାଡ଼ିହା ରେଞ୍ଜରେ ଆଜି ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି । ଉକ୍ତ ଦନ୍ତାହାତୀର ଦାନ୍ତ ଲୁଟ ଉଦ୍ଦେଶ୍ୟରେ ଶିକାରୀମାନେ ବିଷ ବୋଳା ତୀର ମାଡ଼ କରିଥିଲେ ଏବଂ ବିଷର ପ୍ରଭାବରେ ଦନ୍ତାହାତୀଟି ଅସୁସ୍ଥ ହୋଇ ପଡ଼ିଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଏଥି ସହିତ ଉକ୍ତ ଅସୁସ୍ଥ ଦନ୍ତାହାତୀକୁ ବନ କର୍ମଚାରୀମାନେ ଚିକିତ୍ସା ଯୋଗାଇ ସୁସ୍ଥ କରାଇବା ବଦଳରେ ଏହା ଉପରେ ନଜର ରଖି ଆସୁଥିଲେ ଏବଂ ତା ନିକଟରୁ ଦାନ୍ତ ଉଦ୍ଧାର କରିବା ନିମନ୍ତେ ଦନ୍ତାହାତୀର ମୃତୁ୍ୟକୁ ଅପେକ୍ଷା କରି ରହିଥିଲେ । ଆଜି ଦନ୍ତାର ମୃତ୍ୟୁ ହେବା ପରେ ହାତୀ ନିକଟରୁ ଦାନ୍ତକୁ ଉଦ୍ଧାର କରିଥିବାର ଜଣାପଡ଼ିଛି । ତେବେ ଦନ୍ତାହାତୀର ମୃତ୍ୟୁକୁ ନେଇ ଜଙ୍ଗଲ ବିଭାଗର ପାରିବା ପଣିଆ ପଦାକୁ ଆସିଛି । ଜଙ୍ଗଲ ବିଭାଗ ଜୀବଜନ୍ତୁମାନଙ୍କ ସୁରକ୍ଷା ନିମନ୍ତେ ହୋଇଛି ନା ପୋଷ୍ଟମଟମ୍ ନିମନ୍ତେ ହୋଇଛି , ତାହାକୁ ନେଇ ପ୍ରଶ୍ନ ଉଠିଛି । ହାତୀ ଦାନ୍ତ ଉଦ୍ଧାର ହେଉ ଅଥବା ବାଘ ଚମଡ଼ା ବା ହରିଣ, ସମ୍ବର ମାଂସ ହେଉ ସବୁକିଛି ଶିକାରୀମାନଙ୍କ ଦ୍ୱାରା ଶିକାର ହେବାର ପରବର୍ତ୍ତି ସମୟରେ ଉଦ୍ଧାର ହେଉଛି । କିନ୍ତୁ ଶିକାର କରିବା ପୂର୍ବରୁ ଶିକାରୀମାନଙ୍କୁ ଯଦି ଗିରଫ ବା ଧରିବାରେ ବନ କର୍ମଚାରୀମାନେ ତପôର ହୋଇ ପାରନ୍ତେ ତେବେ ବନ୍ୟ ଜୀବଜନ୍ତୁମାନେ ସୁରକ୍ଷିତ ରହି ପାରନ୍ତେ । ଯଦି ଶିମିଳିପାଳ ଅଭୟାରଣ୍ୟର ଜଙ୍ଗଲ ଓ ଏହା ମଧ୍ୟରେ ବସବାସ କରୁଥିବା ବନ୍ୟଜନ୍ତୁ ସୁରକ୍ଷିତ ନୁହନ୍ତି , ବନ କର୍ମଚାରୀମାନେ ରହିବାର କୌଣସି ଆବଶ୍ୟକତା ନାହିଁ ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ଏବିଷୟରେ ଦକ୍ଷିଣ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପ-କ୍ଷେତ୍ର ନିଦେ୍ର୍ଧଶକ ଯଜ୍ଞଦତ୍ତ ପତିଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କ ସହିତ ଯୋଗାଯୋଗ କରାଯିବାରୁ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ ଆଜକୁ ୩/୪ ମାସ ହେବ ଏକ ରୋଗୀଣା ହାତୀକୁ ଠାବ କରାଯାଇ ତା ଉପରେ ନଜର ରଖା ଯାଇଥିଲା । ହାତୀଟି ଗତ କାଲି ବା ଆଜି ସକାଳ ସମୟରେ ମୃତୁ୍ୟ ହୋଇଛି ଓ ତାର ଦାନ୍ତକୁ ଉଦ୍ଧାର କରାଯାଇଛି । ଆସନ୍ତା କାଲି ବ୍ୟବଚ୍ଛେଦ କରାଯିବ । ଏହା ପରେ ହାତୀର ବୟସ ଓ କେଉଁ କାରଣରୁ ଅସୁସ୍ଥ ଥିଲା ସେ ସମ୍ପର୍କରେ ଜଣାପଡ଼ିବ । ଉଦ୍ଧାର ହୋଇଥିବା ଦାନ୍ତର ଓଜନ ଆଦି ବ୍ୟବଚ୍ଛେଦ ହେବା ପରେ ଜଣାଇ ଦିଆଯିବ ବୋଲି କହିଥିଲେ । ଏଥି ସହିତ ଯଦି ବିଷାକ୍ତ ତୀର ମାଡ଼ ହୋଇଥାନ୍ତା ତେବେ ହାତୀଟି ୩/ ୪ ମାସ ଧରି ଜୀବିତ ରହିବା ଅସମ୍ଭବ । ତେବେ ରୋଗୀଣା ହାତୀକୁ ଚିକିତ୍ସା ଯୋଗାଇ ଦିଆଯାଉଥିଲା କି ନାହିଁ ପ୍ରଶ୍ନର ଉତ୍ତରରେ ହାତୀକୁ କବେଳ ଅବଜାରଭେସନରେ ରଖାଯାଇଥିବାର ଉତ୍ତର ଦେଇଥିଲେ । ତେବେ ବନ୍ୟଜନ୍ତୁମାନଙ୍କୁ ଚିକିତ୍ସା ଆଦି ଯୋଗାଇ ଦେବା ନିମନ୍ତେ ପ୍ରତ୍ୟେକ ବର୍ଷ ଆସୁଥିବା ୧୨ ଲକ୍ଷ ଟଙ୍କା କାହା ସ୍ୱାର୍ଥରେ ଏବଂ ଏସଟିଆରର ଡ଼ାକ୍ତର ନିଯୁକ୍ତି କଣ ପାଇଁ ବୋଲି ବୋଲି ପ୍ରଶ୍ନ ଉଠିଛି ।