ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ଦିନିକିଆ ଗ୍ରସ୍ତରେ ଆସି ସ୍ଥାନୀୟ ପ୍ରଦକ୍ଷଣ ଗୃହ ଠାରେ ସାମ୍ବାଦିକ ମାନଙ୍କୁ ବିଜେପି ଜାତୀୟ ସମ୍ପାଦିକା ଡଃ ଡି.ପୁରନ୍ଦେଶ୍ୱରୀ କହିଥିଲେ ଯେ , ଏଠାକାର ଓଡିଶା ଲୋକେ ଥରେ ଚିନ୍ତା କରି ଦେଖନ୍ତୁ ଯେ , ଓଡ଼ିଶାରେ ଏଠାକାର ବିଜେଡ଼ି ସରକାର କିଭଳି ଶାସନ ଦେଉଛି ଏବଂ କେନ୍ଦ୍ରରେ ବଜେପି ନେତୃତ୍ବାଧୀନ ଏନ୍ ଡିଏ ସରକାର ଲୋକଙ୍କୁ କିଭଳି ଶାସନ ଦେଉଛି , ବିନମ୍ରତା ସହ ଅନୁରୋଧ କରୁଛି ଯେ ବିକାଶ ଓ ସୁରକ୍ଷିତ କ୍ଷେତ୍ରରେ ଏ ଦୁଇଟି ସରକାରଙ୍କ ଶାସନ ପ୍ରତି ତୁଳନା କରନ୍ତୁ ।
ଦେଶରେ କେନ୍ଦ୍ରର ଭାଜପା ନେତୃତ୍ୱରେ ଯେଉଁ ଏନ୍ ଡି ଏ ସରକାର ଚାଲିଛି , ତାହା ସବକା ସାଥ୍ ସବକା ବିକାଶ ନୀତିକୁ ଆଧାର କରି ଚାଲିଛି ଏବଂ ଏଥିରେ କୌଣସି ଭେଦଭାବ ନ ରଖି ସମସ୍ତଙ୍କୁ ନେଇ ଆଗକୁ ବଢିଲେ ହିଁ ଦେଶର ପ୍ରଗତି ହୋଇପାରିବ କହିଥଲେ ।କିନ୍ତୁ ଓଡ଼ିଶାରେ ଏହା ହେଉନାହିଁ । ଓଡ଼ିଶାରେ ଯିଏ ବିଜେଡି ଦଳର ଲୋକ ହୋଇଥିବ , ସେ ହିଁ ଏଠାକାର ବିଭିନ୍ନ ଯୋଜନାରେ ସାମିଲ ହୋଇ ଫାଇଦା ନେଇପାରିବ , ଏମିତିକି ସେମାନେ ଚାହାନ୍ତି କେବଳ ବିଜେଡି ଦଳର ହିଁ ପ୍ରଗତି ହେଉ , ଆଉ କାହାର ପ୍ରଗତି ନ ହେଉ ।
ଓଡ଼ିଶାରେ ମହିଳା ଓ ଶିଶୁ ସୁରକ୍ଷିତ ନୁହଁନ୍ତି । କିନ୍ତୁ ବିଜେପି ନେତୃତ୍ବାଧୀ ସରକାର ଦେଶରେ ମହିଳାଙ୍କ ସମ୍ମାନ , ସୁରକ୍ଷିତ ଓ ଗୌରବ ପାଇଁ ବହୁ ଲୋକାଭିମୁଖୀ ଯୋଜନା ଯଥା:- ପ୍ରଧାନମନ୍ତ୍ରୀ ଜନଧାନ ଯୋଜନା , ଉଜ୍ଜଲା ଯୋଜନା , ମାତୃତ୍ବ ସୁରକ୍ଷା ଯୋଜନା , ଇନ୍ଦ୍ରଧନୁସ ଯୋଜନା ପ୍ରଭୃତି କରିଛନ୍ତି । ହେଲେ ଓଡ଼ିଶାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ନହୋଇ ଏଠାରେ ସେମାନଙ୍କ ଉପରେ ଅଣଦେଖା କରା ଯାଉଥିବା ଯୋଗୁଁ ସେମାନଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଭିନ୍ନ ଯୋଜନାରେ ବହୁ ଟଙ୍କା ଆସୁଛି , ସେ ଟଙ୍କା ସଦ ବିନିଯୋଗ ନ ହୋଇ ଯାଉଛି କୁଆଡେ ବୋଲି ପ୍ରଶ୍ନ କରିଥିଲେ ଡଃ ଡି.ପୁରନ୍ଦେଶ୍ଵରୀ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘର ଭିତରେ ନ ରହି ବାହାରକୁ ଆସି ଲୋକଙ୍କ ବାସ୍ତବ ସ୍ଥିତି ଓ ସମସ୍ୟା କଣ ଜାଣନ୍ତୁ ଏବଂ ଲୋକଙ୍କ ହିତ ପାଇଁ ସୁଶାସନ କରନ୍ତୁ ବୋଲି ପାରଳାଖେମୁଣ୍ଡି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ବିଜେପିର ଓଡିଶା ପ୍ରଭାରୀ ତଥା ଜାତୀୟ ସାଧାରଣ ସମ୍ପାଦିକା ଡ଼ଃ ଡି: ପୁରନ୍ଦେଶ୍ୱରୀ ।
ବିଜେପି ଗଜପତି ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓଙ୍କ ଅବାହକତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ମାନସ ମହାନ୍ତି , ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର , ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର , ଗଜପତି ଜିଲ୍ଲା ପ୍ରଭାରୀ ଶ୍ରୀ ସରୋଜ ସାବତ , ବରିଷ୍ଠ ନେତା ଏମ ଗୋପାଳ ରାଓ , ନୃସିଂହ ଚରଣ ପଟ୍ଟନାୟକ ଏବଂ ସିଦ୍ଧେଶ୍ବର ମିଶ୍ର ପ୍ରମୁଖ ବହୁ ସଂଖାରେ ଜିଲ୍ଲାର ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ ।