-
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ସହୀଦ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିବାକୁ ଦାବି
-
ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ଭଙ୍ଗା ଯିବାକୁ ନିନ୍ଦା , ନୂଆ ମୂର୍ତ୍ତି ସ୍ଥାପନା ଦାବି
ବାରିପଦା(ଦିଲ୍ଲୀପ ମହାଂରି)- - ଭାରତ ମୁଣ୍ଡା ସମାଜ ଓଡିଶା ରାଜ୍ୟ ସଭାପତି ରବିନ୍ଦ୍ରନାଥ ସିଂହଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ତୁଳସୀଚଉରା ସ୍ଥିତ ବିର୍ସାମୁଣ୍ଡା ମେମୋରିଆଲ ହଲରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସହୀଦ ବିର୍ସାମୁଣ୍ଡା ଆଦିବାସୀ ସମ୍ପ୍ରଦାୟରେ ଜନ୍ମ ଲାଭ କରି ମଧ୍ୟ ଭାରତ ମାତାକୁ ବ୍ରିଟିଶ ଶାସନ କବଳରୁ ରକ୍ଷା କରିବା ପାଇଁ ବ୍ରିଟିଶ ସରକାରଙ୍କ ଅତ୍ୟାଚାର ଓ ଅନ୍ୟାୟ ବିରୁଦ୍ଧରେ ସମସ୍ତ ବର୍ଗର ଆଦିବାସୀଙ୍କୁ ଏକଜୁଟ କରି ଆଜୀବନ ଲଢେଇ କରି ଜେଲ ଯାଇଥିଲେ ଏବଂ ସେହି ଜେଲର ଅନ୍ଧାରୀ କୋଠରୀ ମଧ୍ୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସହୀଦ ବିର୍ସା ମୁଣ୍ଡା ଏକାଧାରରେ ସ୍ୱାଧୀନତା ସଂଗ୍ରାମୀ , ସମାଜ ସଂସ୍କାରକ ଭାବେ ଭଗବାନ ରୁପେ ପରିଚିତ ହୋଇଥିଲେ । ତେଣୁ ଭାରତ ବର୍ଷରେ ଏପରି ଏକ ବୀରପୁତ୍ର ଓ ମହାନ ଜନନାୟକଙ୍କ ସ୍ମୃତିରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ବିର୍ସାମୁଣ୍ଡା ବିଶ୍ୱବିଦ୍ୟାଳୟ ଭାବେ ନାମିତ କରିବା ପାଇଁ ଦାବୀ କରାଯାଇଛି । ଭାରତ ମୁଣ୍ଡା ସମାଜର କେନ୍ଦ୍ରୀୟ ସାଧାରାଣ ସମ୍ପାଦକ ନାଥ ସିଂହ, ଉପଦେଷ୍ଟା ମନୋଜ କୁମାର ମୁଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ସିଂ,ଗୌରମୋହନ ସିଂ, ବାଇଧର ସିଂ, ବାଉଳା ସିଂ, ସବରନ ସିଂ, ଗୁରୁଚରଣ ସିଂ, ମହିଳା ସଂଘର ସଭ୍ୟା ସୀତାମଣୀ ସିଂ, ଶାନ୍ତିଲତା ସିଂ, ସଭ୍ୟା ପ୍ରତିଭା ସିଂ, ରୀନା ସିଂ ଓ ପ୍ରିୟଙ୍କା ସିଂ ଉପସ୍ଥିତ ଥିଲେ । ଏଥି ସହିତ ଠାକରମୁଣ୍ଡା ବ୍ଲକର କେନ୍ଦୁଡିହିସ୍ଥିତ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତିକୁ କୌଣସି ଅସାମାଜିକ ବ୍ୟକ୍ତି ବିଶେଷ ଭାଙ୍ଗି ଦେଇଥିବାରୁ ଏହାର ଘୋର ପ୍ରତିବାଦ କରାଯାଇଥିଲା ଓ ବିର୍ସାମୁଣ୍ଡାଙ୍କ ପ୍ରତିମୁର୍ତିକୁୁ ପୁନଃନିର୍ମାଣ ପାଇଁ ଭାରତମୁଣ୍ଡା ସମାଜ ତରଫରୁ ଦାବୀ କରାଯାଇଅଛି ।