ଝାରସୁଗୁଡ଼ା :(ସୁଭାଷ ସହାରେ)-ଆସନ୍ତା କାଲି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦ୍ବାରା ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ କରୋନା ମହାମାରୀ ସମ୍ପୂର୍ଣ୍ଣ ଭାବରେ ପ୍ରଶମିତ ହୋଇ ନଥିବା ବେଳେ ଏବଂ ସାଧାରଣ ପରିବହନ ବ୍ୟବସ୍ଥା ସ୍ବାଭାବିକ ପରିସ୍ଥିତିକୁ ଫେରି ନଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁଁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଛି। ଏହା କୋରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରୁଛି। ଏଥିପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାର ନିଷ୍ପତ୍ତି ନେଇଛନ୍ତି। ମାତ୍ର ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ଗୃହୀତ ହୋଇଥିବା ନୂତନ କୃଷି ବିଲକୁ ଭାରତର ସମସ୍ତ କୃଷକ ସଂଗଠନ ଓ ରାଜନୈତିକ ଦଳ ତଥା ସାମାଜିକ ସଂଗଠନ ତୀବ୍ର ବିରୋଧ କରୁଛନ୍ତି। ଏହାକୁ ନେଇ ଗତ ସପ୍ତାହେ ଉପରେ ହେଲାଣି ଦିଲ୍ଲୀ ଅବରୋଧ କରି ରଖିଛନ୍ତି ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶର ଲକ୍ଷ ଲକ୍ଷ କୃଷକ। ସରକାରଙ୍କ ସହ ସମସ୍ତ ଆଲୋଚନା ବିଫଳ ହୋଇ ସାରିଛି। କୃଷକମାନେ ତିନୋଟି ଯାକ ନିୟମକୁ ପ୍ରତ୍ୟାହାର ଦାବିରେ ଅଡି଼ ବସିଛନ୍ତି। ଆସନ୍ତା କାଲି ସମସ୍ତ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କୃଷକମାନଙ୍କୁ ନେଇ କ୍ଷମତାକୁ ଆସୁଥିବା ସରକାରମାନେ କୃଷକଙ୍କ ବିରୋଧରେ ପ୍ରତ୍ୟକ୍ଷ ଭାବରେ ଯାଇ ପାରିବେ ନାହିଁ। ତେଣୁ ଏହି ବନ୍ଦକୁ ସମର୍ଥନ କରିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ ବୋଲି ଆଲୋଚନା ହେଉଛି।