ଏନ୍ଏଚ୍ ରେ ଚାଲିଛି କାମ , ଶିତଳ ଭଣ୍ଡାରରେ କାର୍ଯ୍ୟାନୁଷ୍ଠାନ
ହରଭଙ୍ଗା , ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ସମ୍ପ୍ରତି ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକରେ ଆଇନର ଖୋଲାଖୋଲି ଉଲଂଘନ କରାଯାଇ ଅଭାବିପରିବାରର ନାବାଳକ ଶିଶୁଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିଲେ ମଧ୍ୟ ଶ୍ରମବିଭାଗର ଆନ୍ତରିକତା ଓ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀଙ୍କ ଇଚ୍ଛଶକ୍ତି ଅଭାବ ଯୋଗୁଁ ଏଥିରେ ରୋକ ଲଗାଯାଇ ପାରୁନଥିବା ଅଭିଯୋଗ ହେଉଛି । ଦିନକୁ ଦିନ ବ୍ଲକର ବିଭିନ୍ନ ଅଂଚଳରେ ବୃଦ୍ଧି ପାଉଥିବା ଶିଶୁଶ୍ରମିକ ପ୍ରସଙ୍ଗକୁ ନେଇ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇବାପରେ ଲାଗିଛି । ଏପରିକି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ କରୁଥିବା ଏକ ନିର୍ଦ୍ଧିଷ୍ଟ ବେସରକାରୀ ଠିକାସଂସ୍ଥା ବେଧଡକ ଭାବେ ଷ୍ପଷ୍ଟ ଦିବାଲୋକରେ ବ୍ଲକର ବାମଣ୍ଡା ଠାରେ ୧୮ ବର୍ଷରୁ କମ୍ ବୟସର ପୁଅ ଝିଅ ମାନଙ୍କୁ କାମରେ ଲଗାଇଥିଲେ ବି ଏହି ରାସ୍ତା ଦେଇ ୟାତାୟତ କରୁଥିବା କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜରରେ ଏହା କିପରି ଆସୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ସେହିପରି ଯେଉଁଠି ଖୋଦ୍ ଜାତୀୟ ରାଜପଥ ଉପରେ ବେଆଇନ ଭାବେ ଏଭଳିକାର୍ଯ୍ୟ ଅବାଧରେ ଚାଲିଛି ସେହି ବ୍ଲକର ଉପାନ୍ତ ଓ ଅଭ୍ୟନ୍ତରୀଣ ଅଂଚଳରେ କିଭଳି ଭାବରେ ଶିଶୁ ଶ୍ରମିକ ଙ୍କୁ କାମରେ ଲଗାଯାଉଥିବ ତାହା ଷ୍ପଷ୍ଟ ଅନୁମେୟ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି । ସୂଚନା ଯୋଗ୍ୟ ହରଭଙ୍ଗା ବ୍ଲକର କ୍ଷୁ୍ଦ୍ରଜଳସେଚନ ବିଭାଗ ପକ୍ଷରୁ ହରଭଙ୍ଗା ପଂଚାୟତର ଶଗଡିଆ ଓ ଛତ୍ରଙ୍ଗ ପଂଚାୟତ ଘୋମକୁଡି ଜଳସେଚନ ପ୍ରକଳ୍ପରେ କେନାଲ ଓ ଶାଖା କେନାଲ ନିର୍ମାଣ ପାଇଁ ଟେଣ୍ଡର ପାଇଥିବା ଠିକାଦାରଙ୍କ ଦ୍ୱାରା ହରଭଙ୍ଗା, ଡିଆଁଘାଟ, ସୁରୁଣ୍ଡି ଭେଜିଗୋରା, ମଲ୍ଲିକପଡା, କଂଟିପଦର ଆଦି ସ୍ଥାନରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଗୁଡିକରେ ବହୁ ସଂଖ୍ୟାରେ ଛୋଟ ଛୋଟ ନାବାଳିକା ପୁଅ ଝିଅଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଲକ୍ଷକରାଯାଇଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ସଂପୃକ୍ତ ଠିକାଦାର ମାନଙ୍କ ବିରୋଦ୍ଧରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆ ଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ବୌଦ୍ଧ ଲେବର ଇନ୍ସପେକ୍ଟର ଦିବ୍ୟଶଙ୍କର ଧରୁଆଙ୍କୁ ପଚାରିବାରୁ ସେ କହିଥିଲେ ଯେ ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନଲଗାଇବା ପାଇଁ ଲୋକଙ୍କ ଭିତରେ ଅଧିକରୁ ଅଧିକ ଜନସଚେତନତା ଆବଶ୍ୟକ । ଏଭଳି କାଯ୍ୟରେ ନିୟୋଜିତ କରୁଥିବା ବ୍ୟକ୍ତିବିଶେଷ କିମ୍ବା ଠିକାସଂସ୍ଥା ସମ୍ପର୍କରେ ଆମକୁ ସଠିକ୍ ସୂଚନା ପ୍ରଦାନ କରାଗଲେ ଆମେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତୁ । ତଥାପି ଯଦି ସେପରି ଅଭିଯୋଗ ଆସୁଛି ତାହେଲେ ନିଶ୍ଚିତ ରୂପେ ଦୃଢ ପଦକ୍ଷେପ ନିଆଯିବ କହିଥିଲେ ।