ଝାରସୁଗୁଡ଼ା :(ସୁଭାଷ ସହାରେ) :'ସ୍ବପ୍ନ ପୂରା କରିବାକୁ ସ୍ବପ୍ନ ଦେଖିବାକୁ ହୁଏ'। ଏପିଜେ ଅବଦୁଲ କଲାମଙ୍କର ଏହି ପ୍ରସିଦ୍ଧ ଉକ୍ତିକୁ ସତ୍ୟତାରେ ପରିଣତ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ରେଙ୍ଗାଲି ଗ୍ରାମର ରିମାରାଣୀ ସାହୁ। ବଜାର ବଜାର ବୁଲି ଅଦା, ରସୁଣ ବିକୁଥିବା ଜଣେ ସାଧାରଣ ବ୍ୟବସାୟୀଙ୍କ ଝିଅ ରିମା ଦାରିଦ୍ୟକୁ ପରାଜିତ କରି ନିଜର ଏକାଗ୍ରତା ଓ କଠିନ ଅଧ୍ୟବସାୟ ବଳରେ ନିଟ ପରୀକ୍ଷାରେ ୭୨୦ ରୁ ୬୩୩ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଦିଲୀପ ସାହୁ ଓ ରୁକ୍ମିଣୀ ସାହୁଙ୍କ ଝିଅ ରିମାଙ୍କ ଏହି ସଫଳତା ତାଙ୍କ ପରିବାର ପାଇଁ ହର୍ଷ ଓ ଉଲ୍ଲାସର ବାତାବରଣ ସୃଷ୍ଟି କରିଥିବା ବେଳେ ଗ୍ରାମର ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଯୋଗାଇଛି।
ସର୍ବଭାରତୀୟ ସ୍ତରରେ ତାଙ୍କର ରେଙ୍କ ୭୫୫୫ ଅଟେ। ତିନିବର୍ଷ ଧରି ଏଥିପାଇଁ କୋଚିଂ ନେଇଥିବା ରିମା ଅନେକ ସଂଘର୍ଷ ପରେ ସଫଳତା ଲାଭ କରିଥିବାର ସମସ୍ତ ଶ୍ରେୟ ନିଜର ପିତାମାତା, କୋଚିଂ ସେଣ୍ଟରର ସମସ୍ତ ଶିକ୍ଷକଙ୍କୁ ଦେଇଛନ୍ତି। ଡାକ୍ତର ହୋଇ ଗରିବଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା ରିମାଙ୍କ ନିକଟକୁ ବର୍ତ୍ତମାନ ଅଭିନନ୍ଦନର ସୁଅ ଛୁଟିଛି।