ପୁଣି ଥରେ ନବ କିଶୋର ଦାସ ଚର୍ଚ୍ଚାରେ। ଏଥର ପୁଅ ପାଇଁ ହେଲେ ହଟହଟା। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଇଡକୋ ଜମି ଲିଜ୍ ମାମଲା ନବଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ

  • ପ୍ରଥମେ ଲିଜ ପାଇଁ ଆବେଦନ, ପରେ ଆବେଦନ ପ୍ରତ୍ୟାହାର ଓ ପୁଣି ମିଳିଲା ଲିଜ୍। 

  • ନବ ସ୍ବାସ୍ଥ୍ୟମନ୍ତ୍ରୀ ନୁହଁନ୍ତି, ବେଦାନ୍ତ ମନ୍ତ୍ରୀ ପାଲଟିଛନ୍ତି। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପୁଣି ଥରେ ନିଜର କ୍ଷମତାର ଦୂରୁପଯୋଗ କରିବାର ଅଭିଯୋଗ ଆସିଛି। ବେଦାନ୍ତ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ଓ ବେଦାନ୍ତ ସହ ମିଶି ନିଜର ସ୍ବାର୍ଥକୁ ଚରିତାର୍ଥ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ବର୍ତ୍ତମାନ ଇଡକୋର ୮ ଏକର ଜମିକୁ ଶାଗମାଛ ମୂଲ୍ୟରେ ହାତେଇ ନେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। 

ସୂଚନାନୁସାରେ, ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ପଞ୍ଚାୟତର ସୋଡ଼ାମାଲ ଗ୍ରାମରେ ଇଡକୋର ୮ ଏକର ଜମିକୁ ଲିଜରେ ନେବାକୁ ମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ ବିଶାଲ କୁମାର ଦାସ ପ୍ରଥମେ ଗତ ମାର୍ଚ୍ଚ ୨୦୧୯ ରେ କୋଲାବିରା ତହସିଲଦାରଙ୍କ ପାଖରେ ଆବେଦନ କରିଥିଲେ। ତାଙ୍କର କମ୍ପାନୀ ମହାନଦୀ ୱେଷ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ, ଯାହାର ଅଫିସ ପ୍ଲଟ ନମ୍ବର  GA 309, ଓଇଆରସି ବିଲଡିଂ ପାଖ, ଡିଫେନ୍ସ କଲୋନୀ,  ଶୈଳଶ୍ରୀ ବିହାର,ଭୁବନେଶ୍ବରରେ ଅବସ୍ଥିତ ବୋଲି ଏହି ଆବେଦନରେ ଦର୍ଶାଯାଇଛି,ଏହି କମ୍ପାନୀ ବେଦାନ୍ତର ସମସ୍ତ ବର୍ଜ୍ୟବସ୍ତୁ ସୋଡ଼ାମାର ଏହି ଜମିରେ ଫିଙ୍ଗିବା ଆଶଙ୍କା କରି ସ୍ଥାନୀୟ ଲୋକେ ପ୍ରଶାସନ ପାଖରେ ଏହି ଜମିକୁ ଲିଜରେ ଦେବାକୁ ବିରୋଧ କରିଥିଲେ। ତାଙ୍କ ପୂର୍ବରୁ ଜଣେ ସ୍ଥାନୀୟ ବାସିନ୍ଦା ଦିଲୀପ କୁମାର ସିଂଦେଓ ମଧ୍ୟ ଏଠାରେ ଗୋଶାଳା ଓ କୁକୁଡ଼ା ଫାର୍ମ କରିବା ପାଇଁ ଜମି ପାଇଁ ଲିଜ୍ ଆବେଦନ କରିଥିଲେ। ଲୋକଙ୍କ ଅନୁସାରେ, ଝାରସୁଗୁଡ଼ାରେ ପ୍ରଦୂଷଣର ମାତ୍ରା ଅଧିକ, ସେଥିରେ ଯଦି ଏହିପରି କାର୍ଯ୍ୟ ପାଇଁ ଜମି ଲିଜରେ ଦିଆଯାଏ, ତେବେ ଲୋକଙ୍କ ପାଇଁ ସମସ୍ୟାର ଅନ୍ତ ରହିବ ନାହିଁ। ଲୋକଙ୍କ ବିରୋଧକୁ ଅନୁମାନ କରି ମନ୍ତ୍ରୀଙ୍କ ପୁଅ ବିଶାଳ ଦାସ ଅକ୍ଟୋବର ୨୦୧୯ରେ ନିଜର ଆବେଦନକୁ ରଦ୍ଦ କରିବା ପାଇଁ ତହସିଲଦାରଙ୍କ ନିକଟରେ ଆବେଦନ କଲେ। କୋଲାବିରା ତହସିଲଦାର ମଧ୍ୟ ଆନୁଷ୍ଠାନିକ ଭାବରେ ଲିଜ ଆବେଦନକୁ ବାତିଲ କରିବା ନେଇ ଏକ ସୂଚନା ଜାରି କରିଦେଲେ। 

ବିଶାଲ ଦାସ ଏହି ଲିଜ ଆବେଦନରୁ ଓହରି ଯିବା ପରେ ଦିଲିପ କୁମାର ସିଂଦେଓଙ୍କୁ ମିଳିବା ମଧ୍ୟ ସ୍ଥିର ହୋଇଥିବା ସୂଚନା ମିଳିଥିଲା। ମାତ୍ର ଗତ ୧୯ ତାରିଖରେ ଇଡକୋ ତରଫରୁ ସେହି ଆଠ ଏକର ଜମିକୁ ପୁଣିଥରେ ମନ୍ତ୍ରୀ ପୁତ୍ରଙ୍କୁ ଦେବା ନେଇ ସୂଚନା ଜାରି ହେବାରୁ ଝାରସୁଗୁଡ଼ାରେ ଚର୍ଚ୍ଚା ମାହୋଲ ଜୋର ଧରିଛି। ବେଦାନ୍ତର ସ୍ମେଲଟର ପ୍ଲାଣ୍ଟର କ୍ଷମତା ବୃଦ୍ଧି କରିବା ନେଇ ଜନଶୁଣାଣିକୁ ସଫଳ କରିବାରେ ନବକିଶୋର ଦାସଙ୍କ ବେଦାନ୍ତ ସପକ୍ଷ ଭୂମିକା ରହିଥିଲା ବୋଲି ଲୋକେ ମତ ଦିଅନ୍ତି । ତେଣୁ ପୁରସ୍କାର ସ୍ବରୂପ ସେହି ଜମିକୁ ମାତ୍ର ୧,୨୦,୦୦୦୦ ଟଙ୍କାରେ ଇଡକୋ, ଓଡ଼ିଶା ସରକାର, ବେଦାନ୍ତ ଓ ସ୍ଥାନୀୟ ପ୍ରଶାସନ ନବଙ୍କ ପୁତ୍ର ବିଶାଲ କୁମାର ଦାସଙ୍କ କମ୍ପାନୀ ମହାନଦୀ ୱେଷ୍ଟ ମ୍ୟାନେଜମେଣ୍ଟ ସର୍ଭିସେସକୁ ଦେବାରେ ଅନୁକମ୍ପା ଦେଖାଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ସୂଚାଇ ଦିଆଯାଇ ପାରେ ଯେ, ମହାନଦୀ ୱେଷ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ, ବିଶାଲ ଦାସଙ୍କ ଅନେକ କମ୍ପାନୀ ମଧ୍ୟରୁ ଗୋଟିଏ, ଯେଉଁ କମ୍ପାନୀ ମାନେ ବେଦାନ୍ତ ସହ ଅନେକ ବ୍ୟବସାୟରେ ଜଡ଼ିତ। 

ସ୍ବାସ୍ଥ୍ୟମନ୍ତ୍ରୀ ହୋଇ ନବକିଶୋର ସ୍ବାସ୍ଥ୍ୟ ବିଭାଗ ବିଷୟରେ ଆଦୌ ଚିନ୍ତା କରୁନାହାଁନ୍ତି, ବରଂ ବେଦାନ୍ତ ଚିନ୍ତା କରି ବେଦାନ୍ତ ମନ୍ତ୍ରୀ ପାଲଟି ଯାଇଛନ୍ତି ବୋଲି ଝାରସୁଗୁଡ଼ା ବାସୀ କହନ୍ତି। ଅନ୍ୟପକ୍ଷରେ ନିୟମକୁ ଉଲ୍ଲଘଂନ କରି ପ୍ରଶାସନର ଏହି ପଦକ୍ଷେପ ବିରୋଧରେ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି କହିଛନ୍ତି ଦିଲୀପ ସିଂହଦେଓ। ପ୍ରଥମେ କନ୍ୟାମୋହରେ ହରଡ଼ଘଣାରେ ପଡ଼ିଥିବା ନବକିଶୋର ଦାସ ଏବେ ପୁତ୍ର ଓ ବେଦାନ୍ତ ପ୍ରେମ ପାଇଁ କେଉଁ ସମସ୍ୟା ଭୋଗ କରିବାକୁ ଯାଉଛନ୍ତି, ତାହା ସମୟ କହିବ।

0
0
0
s2sdefault