ଅଭିଯୋଗ ଆଣିଲା ବିଜେପି ନେତୃତ୍ୱାଧୀନ ପରିଚାଳନା ପରିଷଦ, ଟାର୍ଗେଟ ସଚିବାଳୟର ଥାର୍ଡ଼ ଫ୍ଲୋର
ବାରିପଦା ଆର୍ବାନ ବ୍ୟାଙ୍କ ଲିକ୍ୟୁଇଡେଟ ପ୍ରସଙ୍ଗ
ମୁଖ୍ୟମନ୍ତ୍ରୀ ନବୀନ ଭଲ, କିନ୍ତୁ ତୃତୀୟ ମହଲା ସମ୍ଭାଳୁଥିବା ବ୍ୟୁରୋକ୍ରାଟ ବାରିପଦା ଆର୍ବାନ ବ୍ୟାଙ୍କ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହିତ ଆଲୋଚନା କରିବାର ସୁଯୋଗ ଦେଉ ନାହାନ୍ତି କିମ୍ବା ତାଙ୍କ କାନରେ ବ୍ୟାଙ୍କ ପରିଚାଳନା ପରିଷଦର ଦାବିଗୁଡ଼ିକୁ ଉପସ୍ଥାପନ କରାଉ ନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କ ନଜରକୁ ବ୍ୟାଙ୍କର ଭଲମନ୍ଦ ଆସିଥିଲେ ସେ ନିଶ୍ଚିତ ଭାବେ ସମାଧାନର ରାସ୍ତା ବାହାର କରିଥାନ୍ତେ । କାରଣ ଅତୀତରେ ମୁଖ୍ୟମନ୍ତ୍ରୀ ଅର୍ବାନ ବ୍ୟାଙ୍କରେ ଦେଖା ଦେଇଥିବା ଅଚଳାବସ୍ଥା ଦୂର କରାଇବେ ବୋଲି ବାରିପଦାଠାରେ ଆୟୋଜିତ ସାଧାରଣ ସଭା ଓ ବିଭିନ୍ନ ସଭାରେ ସର୍ବ ସମ୍ମୁଖରେ ଘୋଷଣା କରିଥିଲେ ।
ବାରିପଦା(ଦିଲ୍ଲୀପ ମହାନ୍ତି))- ବାରିପଦା ଆର୍ବାନ ବ୍ୟାଙ୍କ ଲିକ୍ୟୁଇଡେଟ ହେବା ଘଟଣାକୁ ନେଇ ବିଜେପି ଦଖଲରେ ରହିଥିବା ବ୍ୟାଙ୍କର ପରିଚାଳନା ପରିଷଦ ସିଧାସଳଖ ଭାବେ ତୃତୀୟ ମହଲାକୁ ଟାର୍ଗେଟ କରିବା ସହିତ ଜିଲ୍ଲାର ନେତୃ ମଣ୍ଡଳୀଙ୍କୁ ଉତ୍ତରଦାୟୀ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମଇ ୨୦ ରବିବାର ପୂର୍ବାହ୍ନରେ ବ୍ୟାଙ୍କର ପରିଚାଳନା ପରିଷଦର ସଭାପତି ଗିରିଧାରୀ ପୃଷ୍ଟି ଏକ ଖବରଦାତା ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏ ବିଷୟରେ ସୂଚନା ପ୍ରଦାନ କରିଛନ୍ତି ।
ଶ୍ରୀପୃଷ୍ଟି ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ନାମ ନ ଧରି ମୁଖ୍ୟମନ୍ତ୍ରୀ ନବୀନ ଭଲ, କିନ୍ତୁ ତୃତୀୟ ମହଲା ସମ୍ଭାଳୁଥିବା ବ୍ୟୁରୋକ୍ରାଟ ବାରିପଦା ଆର୍ବାନ ବ୍ୟାଙ୍କ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହିତ ଆଲୋଚନା କରିବାର ସୁଯୋଗ ଦେଉ ନାହାନ୍ତି କିମ୍ବା ତାଙ୍କ କାନରେ ବ୍ୟାଙ୍କ ପରିଚାଳନା ପରିଷଦର ଦାବିଗୁଡ଼ିକୁ ଉପସ୍ଥାପନ କରାଉ ନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କ ନଜରକୁ ବ୍ୟାଙ୍କର ଭଲମନ୍ଦ ଆସିଥିଲେ ସେ ନିଶ୍ଚିତ ଭାବେ ସମାଧାନର ରାସ୍ତା ବାହାର କରିଥାନ୍ତେ । କାରଣ ଅତୀତରେ ମୁଖ୍ୟମନ୍ତ୍ରୀ ଅର୍ବାନ ବ୍ୟାଙ୍କରେ ଦେଖା ଦେଇଥିବା ଅଚଳାବସ୍ଥା ଦୂର କରାଇବେ ବୋଲି ବାରିପଦାଠାରେ ଆୟୋଜିତ ସାଧାରଣ ସଭା ଓ ବିଭିନ୍ନ ସଭାରେ ସର୍ବ ସମ୍ମୁଖରେ ଘୋଷଣା କରିଥିଲେ । ସେହିପରି ବିଜେଡ଼ିର ନାମ ନ ଧରି ଜିଲ୍ଲାର ନେତୃମଣ୍ଡଳୀ ମୟୂରଭଞ୍ଜରେ ଉକ୍ତ ବ୍ୟାଙ୍କ ଚାଲୁ ରଖିବା ନିମନ୍ତେ କୌଣସି ଉଦ୍ୟମ ଓ ପ୍ରୟାସ ନ କରିବା ଜିଲ୍ଲା ପାଇଁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ବାରିପଦା ଅର୍ବାନ ବ୍ୟାଙ୍କରେ ଦେଖା ଦେଇଥିବା ଅଚଳାବସ୍ଥାକୁ ଦୂର କରାଇବା ନିମନ୍ତେ ମୟୂରଭଞ୍ଜର ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ନେଇଥିବା ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଥିଲେ । ବ୍ୟାଙ୍କକୁ ଲିକ୍ୟୁଇଡେଟ ଘୋଷଣା କରାଯିବାର କୌଣସି ଆବଶ୍ୟକତା ନ ଥିଲା । ବର୍ତ୍ତମାନ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କରେ ୨୦୧୮ ମାର୍ଚ୍ଚ ୩୧ ମଧ୍ୟରେ ରହିଥିବା ଜମା ରାଶି ୭୦.୨୮ କୋଟିରୁ ଅଧିକ ରହିଛି । ସେହିପରି ବ୍ୟାଙ୍କର ସେୟାର ହୋଲଡ଼ରମାନଙ୍କ ସଂଖ୍ୟା ୨୫୭୩୧, ଡ଼ିପୋଜିଟରମାନଙ୍କ ଆକାଉଣ୍ଟ ସଂଖ୍ୟା ୭୨୩୨୪ ମାଧ୍ୟମରେ ୨୦୧୪ ଅକ୍ଟୋବର ମାସ ସୁଦ୍ଧା ସୁଧ ଓ ମୂଳ ମିଶି ୭୧.୫୬ କୋଟି ଓ ୨୯୫୩ ଜଣ ଋଣୀମାନଙ୍କ ଉପରେ ୨୫.୬୯ କୋଟିରୁ ଅଧିକ ଟଙ୍କା ମୂଳଧନ ଯୁକ୍ତ ସୁଧ ଭାବେ ଅନାଦେୟ ରହିଛି । ବ୍ୟାଙ୍କ ୨୦୧୪ ମାର୍ଚ୍ଚ ୩୧ ମଧ୍ୟରେ ସର୍ବାଧିକ ୧୨.୩୮ କୋଟିରୁ ଅଧିକ କ୍ଷତିରେ ରହିଥିବା ବେଳେ ୨୦୧୭ ମାର୍ଚ୍ଚ ୩୧ ମଧ୍ୟରେ ଏହି କ୍ଷତିକୁ ଭରଣା କରି ୧.୦୫ କୋଟିରୁ ଅଧିକ ଟଙ୍କା ଲାଭରେ ରହିଥିଲା ।
ବାରିପଦା ଆର୍ବାନ ବ୍ୟାଙ୍କ ୧୯୫୮ରେ ସ୍ଥାପିତ ହୋଇ ଓଡ଼ିଶାର ନମ୍ବର ୱାନ ବ୍ୟାଙ୍କ ଭାବେ ଅନେକ ଥର ପୁରସ୍କୃତ ହୋଇଥିଲା । କିନ୍ତୁ ୨୦୦୧ରୁ ୨୦୧୪ ମଧ୍ୟରେ ବ୍ୟାଙ୍କର ପରିଚାଳନା ପରିଷଦ ଗଣତାନ୍ତ୍ରିକ ପଦ୍ଧତିରେ ଗଠିତ ନ ହୋଇ ସରକାରଙ୍କ ମନୋନୀତ ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥିଲା । ଉକ୍ତ ସମୟ ମଧ୍ୟରେ ପରିଚାଳନାଗତ ତୃଟି, କର୍ମଚାରୀମାନଙ୍କ ଅବହେଳା ସହିତ ଅସାଧୁ ଋଣୀମାନଙ୍କ ଋଣ ଖିଲାପି କାରଣରୁ ବ୍ୟାଙ୍କକୁ ଆଲୋଚନା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ବ୍ୟାଙ୍କ ସୁଚାରୁରୂପେ କାର୍ଯ୍ୟ କରିବାର ୪୯ ବର୍ଷ ପରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୦୯ରେ ଲାଇସେନ୍ସ ପ୍ରାପ୍ତ ହୋଇଥିଲା । ଏହାର ୩ ବର୍ଷ ପରେ ୨୦୧୨ରେ ଏହାର ଲାଇସେନ୍ସ ରଦ୍ଦ କରାଇବା ନିମନ୍ତେ ପଦକ୍ଷେପ ସ୍ୱରୂପ ବ୍ୟାଙ୍କର କାରବାର ଉପରେ ଅଙ୍କୁଶ ଲଗାଇ ଶେଷରେ ୨୦୧୪ରେ ଲାଇସେନ୍ସକୁ ରଦ୍ଧ କରାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏହାକୁ ପୂର୍ଣ୍ଣକାର୍ଯ୍ୟକ୍ଷମ କରାଇବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ତାଙ୍କର ପ୍ରତିଶ୍ରୁତିକୁ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ୨୦୧୫ରେ ଗଣତାନ୍ତ୍ରିକ ପଦ୍ଧତିରେ ବ୍ୟାଙ୍କର ପରିଚାଳନା କମିଟି ଗଠିତ ହେବା ପରେ କମିଟି ରଦ୍ଧ ଲାଇସେନ୍ସକୁ ପୁନଃକ୍ଷମ କରାଇବା ସହିତ ଜମାକାରୀମାନଙ୍କ ଜମାରାଶି ଫେରସ୍ତ ଓ ବ୍ୟାଙ୍କର ଆର୍ଥିକସ୍ଥିତିରେ ସୁଧାର ଆଣିବା କ୍ଷେତ୍ରରେ ଜୋରଦାର ପ୍ରୟାସ ଜାରି ରଖିଆସିଛି । ଏହି ସମୟରେ ରାଜ୍ୟ ସରକାର କିଛି ଅସାଧୁ ଋଣୀମାନଙ୍କ ପ୍ରରୋଚନାରେ ପଡ଼ି ବ୍ୟାଙ୍କକୁ ମୟୂରଭଞ୍ଜ ଜିଲ୍ଲାରୁ ଇତିହାସର ପୃଷ୍ଠା ରେ ପରିଣତ କରାଇବା ଉଦ୍ଦେଶ୍ୟରେ ବ୍ୟାଙ୍କକୁ ଲିକ୍ୟୁଇଡେସନ ଅର୍ଡର ଜାରି କରାଇଲେ । ତେଣୁ ବ୍ୟାଙ୍କକୁ ପୂର୍ବଭଳି ଚାଲୁ ରଖିବା ନିମନ୍ତେ ପରିଚାଳନା ପରିଷଦ ଜିଲ୍ଲାର ଛପା ଓ ବୈଦ୍ୟୁତିକ ଗଣମାଧ୍ୟମର ସହାୟତା କାମନା କରୁଛନ୍ତି ବୋଲି ସଭାପତି ଶ୍ରୀପୃଷ୍ଟି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ସମୟରେ ବ୍ୟାଙ୍କର ନିର୍ଦ୍ଦେଶକ ନାରାୟଣ ପଟ୍ଟନାୟକ, ଜଗଦୀଶ ମହାକୁଡ଼, ଅଭିନ୍ନ ସୁନ୍ଦର ପାତ୍ର, ଉମାକାନ୍ତ ରାଉତ, ମହେନ୍ଦ୍ର ସାହୁ, ଦେବିଦତ୍ତ ଦାଶ, ବ୍ୟାଙ୍କର ଚିଫ ମ୍ୟାନେଜର ସମରେନ୍ଦ୍ର କୁମାର କର ପ୍ରମୁଖ ଉପସ୍ଥିତ ରହିଥିଲେ ।