ବିଦ୍ୟାଳୟ ପରିଚାଳନା ନିମନ୍ତେ ଭିକ୍ଷାବୃତ୍ତି କରି ପ୍ରଶାସନକୁ ପାଣ୍ଠି ଯୋଗାଇବ ଭଞ୍ଜସେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପ୍ରତି ଉଦାସୀନ ପ୍ରଶାସନ 

ବାରିପଦା(ଦିଲ୍ଲୀପ ମହାନ୍ତି )- ବନ୍ଦ ହେବାକୁ ଯାଉଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷିଦର ଲକ୍ଷ୍ମୀପୋଷିସ୍ଥିତ ଜିଲ୍ଲାର ଏକମାତ୍ର ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ । ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟର ପରିଚାଳନା ନିମନ୍ତେ  ଆବଶ୍ୟକ ପାଣ୍ଠି ଅଭାବର ଆଳ ଦେଖାଇ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କ ନାମ ଲେଖା ବନ୍ଦ କରାଇବାର ନିଷ୍ପତ୍ତି ନେଇଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ । ଫଳରେ ବିଦ୍ୟାଳୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ପ୍ରାୟ ୨୪ରୁ ଅଧିକ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି । ଫଳରେ ଜିଲ୍ଲାବାସୀଙ୍କ ବୃହତ ସାମୂହିତ ସ୍ୱାର୍ଥ ରକ୍ଷା ସହିତ ହକ୍ ଆଦାୟ ପାଇଁ ସଦାସର୍ବଦା ସଂଗ୍ରାମ ଚଳାଇ ଆସୁଥିବା ଜିଲ୍ଲାର ଏକମାତ୍ର ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ଅଣ୍ଟା ଭିଡ଼ି ଆଗେଇ ଆସିଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଜାରି ରହିବା ସହ ବିଦ୍ୟାଳୟକୁ ସରକାର ହାତକୁ ନେବା ଆଦି ବିଭିନ୍ନ ଦାବି ନେଇ ସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଆଗାମୀ ତିନି ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଣ୍ଠିର ଅଭାବ ଆଳ ଦେଖାଇ ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ନାମ ଲେଖା ବନ୍ଦ କରାଇବା ନିମନ୍ତେ ନେଇଥିବା ନିଷ୍ପତ୍ତିର ପୁର୍ନବିଚାର ନ କରନ୍ତି ତେବେ ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷାବୃତ୍ତି ମାଧ୍ୟମରେ ପାଣ୍ଠି ସଂଗ୍ରହ କରି ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ପରିଚାଳନା ନିମନ୍ତେ ଆବଶ୍ୟକ ପାଣ୍ଠି ପ୍ରଦାନ କରିବ ବୋଲି ଉଲ୍ଲେଖ କରାଯାଇଛି । ସେନାପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ, ଯୁବଛାତ୍ର ସଂଯୋଜକ ରାକଶେ ବେହେରା, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ସମ୍ପାଦକ ରାକେଶ ମହାନ୍ତି, ସମରେଶ ପ୍ରଧାନ, ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । 

 ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟର ପରିଚାଳନା ନିମନ୍ତେ  ଆବଶ୍ୟକ ପାଣ୍ଠି ଅଭାବର ଆଳ ଦେଖାଇ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କ ନାମ ଲେଖାକୁ ବନ୍ଦ ହେବାକୁ ଯାଉଛି । ଏଥି ନିମନ୍ତେ ନୋଟିସ ମଧ୍ୟ ଜାରି ସରିଛି । ଫଳରେ ବିଦ୍ୟାଳୟରେ ଅଧ୍ୟୟନରତ ୫୭ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି । ସ୍ୱର୍ଗତ ପ୍ରଶାନ୍ତ ମହାନ୍ତି ୧୯୮୬ରେ ଆରମ୍ଭ କରିଥିଲେ ଏହି ବିଦ୍ୟାଳୟ । ୨୦୦୪ରେ ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ବିଭାଗଏହାର ଦାୟିତ୍ୱ ନେଇଥିଲେ । ଜାମଶୋଳା ଆନ୍ତଃରାଜ୍ୟ ତନଖି ଫାଟକରୁ ରେଡ଼କ୍ରସକୁ ଆସୁଥିବା ପାଣ୍ଠିରେ ଏହି ବିଦ୍ୟାଳୟ ଚାଲୁଥିଲା । ମାତ୍ର ଜାମଶୋଳା ତନଖି ଫାଟକ ବନ୍ଦ ହୋଇଯିବା ପରେ ୨୦୧୬ରେ ଭିନ୍ନକ୍ଷମ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ସାମାଜିକ ସୁରକ୍ଷା ବିଭାଗ ଅଧୀନକୁ ଆସିଥିଲା । ବର୍ତ୍ତମାନ ଆର୍ଥିକ ସଂଙ୍କଟ ଦେଖାଦେବାରୁ ପ୍ରଶାସନ ବିଦ୍ୟାଳୟର ନାମ ଲେଖାକୁ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ୨୦୨୦-୨୧ ଶିକ୍ଷା ବର୍ଷ ନିମନ୍ତେ ଛାତ୍ରଛାତ୍ରୀମାନଙ୍କର ନାମଲେଖାକୁ ବନ୍ଦ କରାଇଛନ୍ତି । ଯାହାକୁ ନେଇ ଚିନ୍ତାରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ବିନ୍ଧାଣୀଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ଲକ୍ଷ୍ମୀପୋଷିସ୍ଥିତ ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ପରିଚାଳନା ନିମନ୍ତେ ଆବଶ୍ୟକ ପାଣ୍ଠିର ଅଭାବ ଦେଖା ଦେଇଛି । ପିଲାମାନଙ୍କର ରହିବା, ଖାଇବା ଆଦି ବିଭିନ୍ନ ଆନୁସଙ୍ଗିକ ଖର୍ଚ୍ଚ ରହିଛି । ଏବାବଦକୁ ସରକାରୀସ୍ତରରେ କୌଣସି ଆର୍ଥିକ ଅନୁଦାନ ବା ସହାୟତା ମିଳିପାରୁ ନାହିଁ । ବିଦ୍ୟାଳୟର ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି ନିମନ୍ତେ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦେବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶା ସରକାରଙ୍କର ବିଭିନ୍ନ ସମୟରେ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲେ ମଧ୍ୟ ସରକାର ଏଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏବିଷୟରେ ମଧ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ(ଏସଏସପିଡ଼ି) ବିଭାଗକୁ ମଧ୍ୟ ବାରମ୍ବାର ପତ୍ର ଲେଖାଯାଇଛି । ମାତ୍ର କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ପ୍ରଶାସନ ପକ୍ଷରୁ କୌଣସି ବିକଳ୍ପ ନ ଥିବାରୁ ବିଦ୍ୟାଳୟର ନାମଲେଖା ବନ୍ଦ କରାଇବାର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । ସରକାର ଯଦି ପାଣ୍ଠି ଯୋଗାଇ ଦେବାକୁ ରାଜି ହେବେ, ତେବେ ପୁଣି ବିଦ୍ୟାଳୟ ପୂର୍ବ ପରି କାର୍ଯ୍ୟ ଆରମ୍ଭ କରିବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀବିନ୍ଧାଣୀ କହିଥିଲେ । ଲକ୍ଷ୍ମୀପୋଷିସ୍ଥିତ ଜିଲ୍ଲାର ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ବାରିକ ପ୍ରଶାସନ ପକ୍ଷରୁ ନିଆ ଯାଇଥିବା ନିଷ୍ପତିକୁ ସ୍ୱୀକାର କରିଛନ୍ତି ଏବଂ ଅଷ୍ଟମରୁ ଦଶମ ଶ୍ରେଣୀରେ ପ୍ରାୟ ୨୪ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ବୋଲି କହିଥିଲେ । ଜିଲ୍ଲାରେ ବିଭିନ୍ନ ମହଲରେ ପ୍ରଶାସନର ଏହିଭଳି ନିଷ୍ପତ୍ତିକୁ ତୀବ୍ର ଭାବେ ସମାଲୋଚନା କରାଯାଇଛି । ସମାଜସେବୀ ବିରଜା ଦେବୀ ଏହାର ପୁର୍ନ ବିଚାର କରାଇବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନକୁ ନିବେଦନ କରାଇଛନ୍ତି । 

0
0
0
s2sdefault