ହେଡଲାଇନସ୍:

ଅଫେରା ରାଇଜରେ ମହାନାୟକ : ଶୋକାଭିଭୂତ ଓଡିଆ, ନିସ୍ତବ୍ଧ କଳା ଦୁନିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର( ଗିରିଜା ଶଙ୍କର ଦାଶ) : ନାଁ ଯେମିତି ବାପା ମା ଦେଇଥିଲେ, ସୁଯୋଗ୍ୟ ସନ୍ତାନ ଭାବେ ସାର୍ଥକତା ପ୍ରତିପାଦିତ କରିଥିଲେ କୋଟି ହୃଦୟର ମହାନାୟକ ବିଜୟ ମହାନ୍ତି | ନା ଥିଲା ବିଜୟ , ହେଲେ ସେ ଥିଲେ ଓଡ଼ିଆ କଲା ଜଗତର ଦିଗବିଜୟୀ ବାଦଶାହ | କେହେବେଳେ ଖାଲ ନାୟକ, କେତେବେଳେ ନାୟକ, କେତେବେଳେ ହାସ୍ୟଭିନୟ ତ କେତେବେଳେ ଚରିତ୍ରବହିଣୟ,  ଅଭିନୟର କୌଣସି ଦିଗ ନାହିଁ ବା କୌଣସି ଅଂଚଳ ନଥିଲା ଯାହାକୁ ସେ ଦଖଲ କରିନଥିଲେ | ନିଜ ଅନନ୍ୟ ପ୍ରତିଭାରେ ଓ ସ୍ନେହ ସରଧାରେ ସେ ବିଜୟ ଧାରା ଜାରି ରଖିଥିଲେ ଆଖି ବୁଝିଲା ପର୍ଯ୍ୟନ୍ତ | କେତେକଙ୍କ ପାଇଁ ସେ ଥଲେ ବିଜୟ ସାର, ହେଲେ ଏକଂକ ପାଇଁ ଥିଲେ ବିଜୟ ଭାଇ | ବିଜୟ ମହାନ୍ତି - ଓଡ଼ିଆ କଳା ସଂସ୍କୃତି ଜଗତରେ ଏକ ସଶ୍ରଦ୍ଧ ତଥା ସର୍ବମାନ୍ୟ ଉଚ୍ଚାରଣ, ସବୁଦିନ ପାଇଁ ନିରବୀ ଗଲା | ସମସ୍ତେ ମିଛରେ ଗୋଟାଏ ଚର୍ଚ୍ଚା କରିଥିଲେ ସେ ଚାଲିଗଲେ ବୋଲି | ସମସ୍ତେ ଭାବିଲେ ଏଭଳି ମିଛ ପ୍ରଚାର ତାଙ୍କ ଆୟୁଷକୁ ବଢ଼ାଇ ଦେଲା | ହେଲେ ସେମିତି କିଛି ହେଲାନି  | ମିଛ ଚର୍ଚ୍ଚା ସତ ହେଇଗଲା  | ସମସ୍ତଙ୍କ ଆଖିପତା ଓଦା କରି ନିଜ ଅଭିନୟ ସାରି ବାହୁଡ଼ି ଗଲେ ଓଡ଼ିଆ ଚଳଚିତ୍ର ଜଗତର ବାଦଶାହ , ଅଭିନେତା, ନିର୍ଦ୍ଦେଶକ ବିଜୟ ମହାନ୍ତି | 

ସମସ୍ତେ କହନ୍ତି ଗଲାବେଳେ କେହି କିଛି ନେଇ ଯାନ୍ତି ନାହିଁ |  " ଆସିଛୁ ଲଙ୍ଗଳା ତୁ ତ ଯିବୁ ଶୁନ୍ୟ ହୋଇ" | ହେଲେ ବିଜୟ ମହାନ୍ତି ...ବିଜୟ ସାର ....ବା ବିଜୟ ଭାଇ ସେଇଟା ଭୁଲ ପ୍ରମାଣ କରିଦେଇଗଲେ | ସେ ଗଲାବେଳେ ସାଉଁଟି ନେଇଛନ୍ତି ଜୀବନ ବ୍ୟାପି ଅରଜିଥିବା ଅମୁଲ୍ୟ କୋଟି ନିଧି, କୋଟି ହୃଦୟର ଅମାପ ସ୍ନେହ ଶରଧାକୁ | ତାଙ୍କ ଭଳି ପ୍ରତିଭା ଦୀପ୍ତ ଓଡ଼ିଶାରେ ଜନ୍ମ ହୋଇ କିଛି ଅନୁଶୋଚନା ଅଛି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଥରେ ସେ କହିଥିଲେ " ଓଡ଼ିଶାରେ ଜନ୍ମ ହୋଇଛି ବୋଲି ଗ୍ଲାନି କରିବି କେମିତି ? ଓଡ଼ିଶାରେ ମୋର ଜନ୍ମ | ତା ମାଟି ପାଣି ପବନରେ ବଡ ହେଇଛି | ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଓଡିଶା ଫେରିବା ପରେ ମୋ ରାଜ୍ୟ ମତେ ଏତେ ଭଲ ପାଇବା ଦେଇଛି ଯେ ମୁ ଆଉ କୁଆଡେ ଆଖି ଫେରି ଚାହିଁବାକୁ ଚିନ୍ତା ବି କରିନି | ବହୁତ ପାଇଛିମୋ ଓଡ଼ିଶାରୁ ଆଇ ଓଡ଼ିଆଙ୍କ ଠାରୁ | ମଲାପରେ ପୁଣି ପୁଣି ଯଦି ପୁନର୍ଜନ୍ମ ହୁଏ , ଭଗବାନଙ୍କୁ ମାଗିବି ମତେ ଓଡ଼ିଶାରେ ଜନ୍ମ ଦିଅନ୍ତୁ |କଳାକାର ଟିଏ କରନ୍ତୁ |"

କଳାକାର ଭାବେ ତାଙ୍କ ମନରେ ଅହଂକାର ନଥିଲା, ଅନୁଶୋଚନା ବି ନଥିଲା | ହେଲେ ଆଜି ସେ ଚାଲିଗଲା ପରେ ଲାଗୁଛି ଆମେ ଓଡ଼ିଶାବାସୀ ତାଙ୍କ ପ୍ରତିଭାକୁ ଯଥୋଚିତ ସମ୍ମାନ ଦେବାରେ କେଉଁଠି ଟିକିଏ କମି କରିଦେଇନେ ତ ବା କାର୍ପଣ୍ୟ ଦେଖାଇନେ ତ !     

ଆସନ୍ତୁ ଶୁଣିବା କିଏ କଣ କହିଛନ୍ତି ଏହି ନିଆରା ମଣିଷଙ୍କ ବିଷୟରେ ......

ସବୁ ଆଡୁ ଛୁଟିଛି ସମବେଦନାର ସୁଅ, କଳା ଜଗତ ଶୋକରେ ମ୍ରିୟମାଣ | 

ଏହି ବର୍ଷିଆନ ଲୋକପ୍ରିୟ ଅଭିନେତାଙ୍କ ବିୟୋଗରେ ଶୋକଵ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସ୍ବର୍ଗତ ମହାନ୍ତିଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ ରାଜ୍ୟ ସମ୍ମାନସହ କରାଯିବ ବୋଲି ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ  ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି " ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱର୍ଗତ ବିଜୟ  ମହାନ୍ତି ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଥିଲେ, ଯିଏ ତାଙ୍କର ବହୁମୁଖୀ ପ୍ରତିଭା ମାଧ୍ୟମରେ ଓଡିଆ ଚଳଚ୍ଚିତ୍ର ଶିଳ୍ପକୁ ସମୃଦ୍ଧ କରିଛନ୍ତି | ଓଡିଆ ଚଳଚ୍ଚିତ୍ରରେ ତାଙ୍କର ଏକ ଦୀର୍ଘ, ଚମତ୍କାର କ୍ୟାରିଅର୍ ଥିଲା | ସେ ରାଜ୍ୟ ତଥା ବାହାରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି | ତାଙ୍କ ମୃତ୍ୟୁ ଓଡିଆ ଚଳଚ୍ଚିତ୍ର ଶିଳ୍ପରେ ଏକ ଯୁଗର ସମାପ୍ତି ଘଟାଇଛି  ଏବଂ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରିଛି | ଓଡିଆ ଚଳଚ୍ଚିତ୍ରରେ ତାଙ୍କର ଅବଦାନ ସବୁ ସମୟ ପାଇଁ  ସ୍ମରଣୀୟ ହୋଇ ରହିଥିବାତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।" 

ସେହିପରି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଜଣାଇଛନ୍ତି ଏହି ମହାନ କଳାକାରଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି | ଶ୍ରୀ ପ୍ରଧାନ ତାଙ୍କ ଶୋକ ବାର୍ତ୍ତାରେ କରିଛନ୍ତି " ଖ୍ୟାତିସମ୍ପନ୍ନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ପିଢି ପରେ ପିଢି ତାଙ୍କର ପ୍ରଶଂସକଙ୍କୁ ସେ କଳାର ଯାଦୁରେ ବାନ୍ଧି ରଖି ପାରିଥିଲେ । ଅମର ଆତ୍ମାର ସଦଗତି କାମନା କରୁଛି ଓ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି । ଏହି କଷ୍ଟକର ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ।" 

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି "ଓଡିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ବିଜୟ ମହାନ୍ତିଙ୍କ ବିୟୋଗର ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ । ତାଙ୍କ ଅନୁପସ୍ଥିତ ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ରାକ୍ଷୀ ଭିଜିଗଲା ଆଖି ଲୁହରେ ଚଳଚ୍ଚିତ୍ର ମାଧ୍ୟମରେ ଭାଇଭଉଣୀଙ୍କ ପବିତ୍ର ସମ୍ପର୍କ ହେଉ କିମ୍ବା ଏକାନ୍ନବର୍ତ୍ତୀ ପରିବାରରେ ଭାଇ-ଭାଇ ସମ୍ପର୍କ, ବଡ ଭାଇର ଭୂମିକା ଏବଂ ଦାଇତ୍ବକୁ ଅଭିନୟ ମାଧ୍ୟମରେ ଜୀବନ୍ତ ଭାବେ ଉପସ୍ଥାପନ କରିବାର ତାଙ୍କ ଶୈଳୀ ସମସ୍ତଙ୍କୁ ଆକୃଷ୍ଟ କରିବା ସହ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ପ୍ରଭୂ ଜଗନ୍ନାଥଙ୍କ ପାଖେ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି ଏବଂ ବନ୍ଧୁ , ବାନ୍ଧବ ଓ ଶୁଭେଚ୍ଛୁ ଏବଂ ସମର୍ଥକ ମାନଙ୍କୁ ଏହି ଦୁଃଖକୁ ସହନ ନିମନ୍ତେ ଧର୍ଯ୍ଯ ପ୍ରଦାନ କରିବା ପାଇଁ ପ୍ରାର୍ଥନା କରୁଛି ।"

ରାଜ୍ୟ ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି "ବରିଷ୍ଠ ଓଡ଼ିଆ ଅଭିନେତା ଶ୍ରୀ ବିଜୟ ମହାନ୍ତିଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା।" 

କୃଷି, କୁଷକ ଶକ୍ତିକରଣ,ମତ୍ସ୍ୟ ପଶୁସମ୍ପଦ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି " ମୁଁ ଯେବେ ପ୍ରଥମେ ଫିଲ୍ମ ଦେଖିଥିଲି ବିଜୟ ମହାନ୍ତିଙ୍କ ଆକ୍ଟିଂ ଦେଖିଥିଲି । ସବୁରି ପ୍ରିୟ  -  ବନ୍ଧୁ ବିଦାୟ |"

ସେହିପରି ପଚାଂୟତିରାଜ , ପାନୀୟ ଜଳ,ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା  ତାଙ୍କ ଶୋକବାର୍ତାରେ କହିଛନ୍ତି " ବିଜୟ ମହାନ୍ତିଙ୍କ ବିୟୋଗ ଖବର ପାଇ ମର୍ମାହତ । ତାଙ୍କର ବିୟୋଗରେ ଓଡିଆ ସିନେମା ଜଗତରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି କହିଛନ୍ତି । ଓଡିଆ ସିନେମା ଜଗତକୁ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ ।  ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରୁଛି" ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ତାଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ କହିଛନ୍ତି " ଭେଟେରାନ ଓଲିଉଡ ଅଭିନେତା ଶ୍ରୀ ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁ ମର୍ମାହତ  | ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ଏକ ଚମତ୍କାର ସିନେ କ୍ୟାରିୟର ସହିତ ବହୁମୁଖୀ ଅଭିନେତା | ତାଙ୍କର ଦେହାନ୍ତ ରାଜ୍ୟ ତଥା ଓଡିଶା ଚଳଚ୍ଚିତ୍ର ଶିଳ୍ପ ଏବଂ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଏକ ବିରାଟ  କ୍ଷତି | ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ଜ୍ଞାପନ କରୁଛି | ତାଙ୍କ  ଆତ୍ମା ​​ଶାନ୍ତିରେ ରହୁ" | 

ସେହିପରି ବିଶିଷ୍ଟ ଶିକ୍ଷାବିତ ଓ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି " ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ତଥା ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ମୁଁ ମର୍ମାହତ। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସଂତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। " 

ଚଳଚିତ୍ର   ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି କହିଛନ୍ତି " ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ୍ କଳାକାର ତଥା ସମସ୍ତଙ୍କ ପ୍ରିୟ ଅଭିନେତା ବିଜୟ ଦାଦାଙ୍କ ବିୟୋଗ ଖବର ଶୁଣି ମୁଁ ମର୍ମାହତ।ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ଏବଂ ଏହି ଦୁଃଖଦ ସମୟରେ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ। ସେ ମୋର ପିତୃ ତୁଲ୍ୟ ଥିଲେ। ଆଜି ତାଙ୍କୁ ହରାଇ ମୁଁ ବହୁତ ଦୁଃଖିତ।"

ଖଣ୍ଡପଡ଼ା ବିଧାୟକ, ପ୍ରଯୋଜକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜୟ ମହାନ୍ତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି ଯେ " ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ଓଡ଼ିଶାର କଳା ଦୁନିଆ ଜଣେ ମୁରବୀଙ୍କୁ ହରାଇଲା । ଅଧ୍ୟାପନା ଓ ଅଭିନୟ ଉଭୟ କ୍ଷେତ୍ରରେ ସେ ପାରଦର୍ଶିତା ହାସଲ କରିଥିଲେ । ବ୍ୟକ୍ତିଗତ ଭାବେ ମୁଁ ଅତ୍ୟନ୍ତ ମର୍ମାହତ । ତାଙ୍କ ସହିତ ମିଶି ମୁଁ ଅନେକ ଚଳଚିତ୍ର ନିର୍ମାଣ କରିଛି । ସେ ମଧ୍ୟ "ଆମ ଓଡ଼ିଶା"ର ଓ ମୋର ବିଭିନ୍ନ  କାର୍ଯ୍ୟକ୍ରମର ଜଣେ  ଶୁଭେଛୁ  ସମର୍ଥକ ଥିଲେ । ତାଙ୍କ ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ଆମକୁ ବହୁତ ପରିଶ୍ରମ କରିବାକୁ ପଡିବ ।" 

ସେହିପରି ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି " ବର୍ଷୀୟାନ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ  ପରଲୋକ ରେ ମୁଁ ଗଭୀର ଦୁଃଖିତ ଓ ମର୍ମାହତ I କେବଳ କଳାକାର ନୁହନ୍ତି କଳା ଜଗତ ରେ ଜଣେ ଉଚ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ l ତାଙ୍କର ଘର କେନ୍ଦ୍ରାପଡ଼ା ଜିଲ୍ଲାରେ I କେନ୍ଦ୍ରାପଡ଼ା ଜଣେ ସୁଯୋଗ୍ୟ ସନ୍ତାନ ଓ ଉଜ୍ଜ୍ୱଳ ନକ୍ଷତ୍ର କୁ ହରାଇଲା । ଓଡ‌ଆ ଚଳଚ୍ଚିତ୍ର ଶିଳ୍ପ ଜଗତର ଅପୁରଣୀୟ କ୍ଷତି । ତାଙ୍କ ଅମର ଆତ୍ମlର ସଦଗତି ନିମନ୍ତେ ଗଭୀର  ଶ୍ରଦ୍ଧାଞ୍ଜଳି ।" 

ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ମଧ୍ୟ ବିଜୟ ବାବୁ ଙ୍କ ଦେହାନ୍ତରେ ଗଭୀର ଶୋକ  ପ୍ରକାଶ କରି କହିଛନ୍ତି "ସ୍ବର୍ଗତ ବିଜୟ ବାବୁଙ୍କ ଦେହାନ୍ତ ଓଡିଶା ବାସୀ ଏବଂ ଓଡିଶା ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। ଦୀର୍ଘ ୫ ଦଶନ୍ଧି ଧରି ଚଳଚ୍ଚିତ୍ର ଓ ଧାରାବାହିକରେ ବହୁ ଭୂମିକାରେ ଅଭିନୟ କରି ଉଚ୍ଚପ୍ରସଂସିତ ହୋଇପାରିଥିଲେ।ତାଙ୍କର ଉଚ୍ଚକୋଟୀର ଅଭିନୟ ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିଲେ । ସେ କେବଳ ଜଣେ ବ୍ୟକ୍ତି ନଥିଲେ,  ଉଚ୍ଚକୋଟୀର କଳାକାର ସୃଷ୍ଟି କରିବାର ଅନୁଷ୍ଠାନ ଥିଲେ। ସେ  ତାଙ୍କ ଜୀବନରେ ଅନେକ କଳାକାର ସୃଷ୍ଟି କରିପାରିଛନ୍ତି। ସ୍ବର୍ଗତ ମହାନ୍ତିଙ୍କ ଉଚ୍ଚକୋଟୀର ଅଭିନୟ ପାଇଁ  ସେ ସଦା ସର୍ବଦା ଲୋକଙ୍କ ହୃଦୟରେ ମନେ ରହିଥିବେ। ପ୍ରକାଶ ଥାଉକି, ସ୍ବର୍ଗତ ମହାନ୍ତି ୨୦୧୪ ମସିହା ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ରରୁ ଭାରତୀୟ ଜାତୀୟ କଂଗ୍ରେସର ସାଂସଦ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିଥିଲେ । ମୁ  ସ୍ବର୍ଗତ ବିଜୟ ବାବୁଙ୍କର   ଅମର ଆତ୍ମାର  ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି  ଗଭୀର ସମବେଦନା  ଜଣାଉଛି |"

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି " ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରିଚିତ ତଥା ବର୍ଷିଆନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଅପୁରଣୀୟ କ୍ଷତି ସୃଷ୍ଟି କରିଛି । ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ।" 

ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ତଥା ଯୁବ ବିଜେଡିର ରାଜ୍ୟ ସଭାପତି ଅମରେଶ ପତ୍ରୀ "କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ସ୍ୱର୍ଗତ ବିଜୟ ମହାନ୍ତି ସମଗ୍ର ଓଡ଼ିଶାର ପ୍ରତିଟି ଓଡ଼ିଆ ହୃଦୟରେ ନିଜ ପ୍ରତିଭା ମାଧ୍ୟମରେ ସ୍ୱତନ୍ତ୍ର ସମ୍ମାନ ସୃଷ୍ଟି କରିଛନ୍ତି । ତାଙ୍କର ବ୍ୟକ୍ତିତ୍ୱ ଓ ଉଚ୍ଚ କୋଟିର ଅଭିନୟ  ଆମ ସମସ୍ତଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମୋର ମହାପ୍ରଭୂ ଜଗନ୍ନାଥ ନିକଟରେ ଵିନର୍ମ ପ୍ରାର୍ଥନା।" 

ବିଜୟ ସାରଙ୍କ ଅନ୍ୟତମ ଶିଷ୍ୟ ମିହିର ସ୍ୱାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି "ସାର ସ୍କୁଲରେ ପଢିଲା ବେଳୁ ଏବଂ ଅତି ପିଲାବେଳୁ ନିଜେ ନାଟକ କରୁ କରୁ ଆପଣ ମାନଙ୍କୁ ଦେଖି ଅଭିନେତା ହବାର ଅଦମ୍ୟ ଇଚ୍ଛାରେ ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢିବାକୁ ଆସିଲି,ସେଠି ଗୁରୁ ରୂପେ ଆପଣଙ୍କ ସାନିଧ୍ୟ ପାଇଲି,ଦୀର୍ଘ ସାତ ବର୍ଷ ଆପଣଙ୍କ ଛାତ୍ର ଭାବେ ଆପଣଙ୍କ ପାଖେ ଶିକ୍ଷା ଲାଭ କଲି।ବାହାରକୁ ଆସିଲା ପରେ ମୁଁ ଆପଣଙ୍କ ନିର୍ଦ୍ଦେଶନା ରେ ଆଉ ଆପଣ ମୋ ନିର୍ଦ୍ଦେଶନା ରେ କାମ ବହୁତ କରିଛି।ସବୁବେଳେ ଦେଖେ ଆପଣ ମତେ ମୋ ସହ କାର୍ଯ୍ୟ କଲାବେଳେ କେବେ ଛାତ୍ର ହିସାବରେ ନୁହେଁ ଗୋଟେ ନିର୍ଦ୍ଦେଶକ ହିସାବରେ ଦେଖିଛନ୍ତି।ଆପଣଙ୍କଠୁ ଅଜସ୍ର ସ୍ନେହ ଶ୍ରଦ୍ଧା ଆଉ ଶିକ୍ଷା ପାଇଛି। ଆପଣ ମତେ ସବୁବେଳେ ଅଭିନେତା ହିସାବରେ ଦେଖିବାକୁ ଚାହିଁଥିଲେ ଆଉ କହୁଥିଲେ କିନ୍ତୁ ଈଶ୍ୱରଙ୍କ ଇଚ୍ଛା ବୋଧେ ସେୟା ନଥିଲା ମତେ ଦିଟା ଯାକ କ୍ଷେତ୍ରରେ କାମ କରିବାକୁ ପଡିଲା କିନ୍ତୁ ଏତକ ବି କରିପାରିଲି ଆପଣଙ୍କ ଭଳି ଗୁରୁଙ୍କୁ ପାଇ। ଆପଣଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।ସମସ୍ତଙ୍କ ପାଇଁ ଓଡିଶା ପାଇଁ ଅପୁରଣୀୟ କ୍ଷତି ରହିଗଲା।ବହୁତ ଲୋକ ଜାଣି ନଥିବେ ଆପଣ କେତେ ସୁନ୍ଦର ନାଟକ ସବୁ ଲେଖିଛନ୍ତି।ଆପଣ କେତେ ସୁନ୍ଦର ଚିତ୍ର ଆକନ୍ତି।ଆଉ ଆପଣଙ୍କ ଅକ୍ଷର ଯେ କେତେ ସୁନ୍ଦର   ତାହା ବର୍ଣ୍ଣନା ର ବାହାରେ।ଆପଣ ଏତେ ଗୁଣ ର ଅଧିକାରୀ ଯେ ଯେତେ ବର୍ଣ୍ଣନା କଲେ ସରିବନି।"

0
0
0
s2sdefault