ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ାଠାରେ କୋଇଲା ସମ୍ବନ୍ଧୀୟ ମାମଲାର ବିଚାର ପାଇଁ ଏକ ସ୍ବତନ୍ତ୍ର ଅଦାଲତ ଗଠନ ପାଇଁ ଝାରସୁଗୁଡ଼ା ବାର ଏସୋସିଏସନ କେନ୍ଦ୍ର ଆଇନ ମନ୍ତ୍ରୀ ଓ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ନିକଟରେ ଏକ ଦାବିପତ୍ର ପ୍ରେରଣ କରିଛନ୍ତି। ପତ୍ରସଂଖ୍ୟା ଡିବିଏ /ଜେଏସଜି /32/20 ଅନୁସାରେ ଉଲ୍ଲେଖ କରାଯାଇଛି ଯେ ଝାରସୁଗୁଡ଼ା ଓ ଏହାର ପଡ଼ୋଶୀ ଜିଲ୍ଲାମାନଙ୍କର ସାମଗ୍ରିକ ଉନ୍ନତି ନିମନ୍ତେ ପ୍ରଚୁର ପରିମାଣରେ ମହଜୁଦ ଥିବା ଖଣିଜ ସଂପଦ ମଧ୍ୟରୁ କୋଇଲାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମାତ୍ର ଝାରସୁଗୁଡ଼ା ଓ ଏହାର ପଡ଼ୋଶୀ ଜିଲ୍ଲା ଯଥା ସମ୍ବଲପୁର ଓ ସୁନ୍ଦରଗଡ଼ର କୋଇଲା ଖଣିଗୁଡ଼ିକର ବିସ୍ଥାପନ ଓ କ୍ଷତିପୂରଣ ସମ୍ବନ୍ଧୀୟ ତଥା ଅନ୍ୟାନ୍ୟ ସଂପର୍କିତ ମାମଲା ଗୁଡ଼ିକର ବିଚାର ଏଠାରୁ ପାଖାପାଖି 300 କିଲୋମିଟର ଦୂରରେ ଥିବା ଢେଙ୍କାନାଳ ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତରେ ହୁଏ। ମହାନଦୀ କୋଲ ଫିଲ୍ଡ ଦ୍ବାରା ସଞ୍ଚାଳିତ ଏହି ଖଣିଗୁଡ଼ିକର ମାନଙ୍କର ମାମଲା ଓ ନିଷ୍ପତ୍ତି ନିମନ୍ତେ ଏତେ ଦୂରକୁ ଯାଇ ଉଭୟ ମାମଲାକାରୀ ଓ ଓକିଲ ଅର୍ଥ, ସମୟ ଓ ଶକ୍ତିର ଅପଚୟ କରିବାକୁ ବାଧ୍ୟ ହୁଅନ୍ତି। ବର୍ତ୍ତମାନ ସୁଦ୍ଧା ଏହି ତିନୋଟି ଜିଲ୍ଲାର ଅନେକ ଅନେକ ମାମଲା ବିଚାରାଧିନ ରହିଛି ଏବଂ ଏଗୁଡ଼ିକର ବିଚାର ହୋଇ ପାରୁନାହିଁ। ଢେଙ୍କାନାଳର ଜିଲ୍ଲା ଓ ଦୌରା ଜଜଙ୍କ ଅଧିନରେ ଥିବା ଏହି ମାମଲା ଗୁଡ଼ିକ ତାଙ୍କର ଅନ୍ୟାନ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଯୋଗୁଁ ବିଳମ୍ବିତ ହୋଇ ପଡ଼ୁଛି। ଏଣୁ ମାମଲାକାରୀ ଓ ଓକିଲମାନେ ବାରମ୍ବାର ରିକ୍ତ ହସ୍ତରେ ଫେରିବାକୁ ପଡ଼ୁଛି। ଅତଏବ ଏହି ତିନୋଟି ଜିଲ୍ଲା ନିମନ୍ତେ ଝାରସୁଗୁଡ଼ା ବାର ଏସୋସିଏସନ ପକ୍ଷରୁ ଏକ କୋଇଲା ସମ୍ବନ୍ଧୀୟ ଅଦାଲତ ଝାରସୁଗୁଡ଼ାଠାରେ ପ୍ରତିଷ୍ଠା କରିବା ପାଇଁ ଉଭୟ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏହାଦ୍ୱାରା ଝାରସୁଗୁଡ଼ା,ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି।
ରାଜ୍ୟ
ଝାରସୁଗୁଡ଼ାରେ କୋଇଲା ସମ୍ବନ୍ଧୀୟ ଅଦାଲତ ଗଠନ ପାଇଁ ଅନୁରୋଧ କଲେ ଝାରସୁଗୁଡ଼ା ବାର ଏସୋସିଏସନ
- Hits: 308