ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ ଅନୁସାରେ କୋଭିଡ଼-୧୯ ସଂକ୍ରମଣର ସଫଳ ମୁକାବିଲା ନିମନ୍ତେ ଲକ୍ଡ଼ାଉନ(ଅନଲକ୍-୨)କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ କୋଭିଡ଼-୧୯ ପରିଚାଳନା ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଚଳିତ ଜୁଲାଇ ମାସଠାରୁ ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନିଆ ସପ୍ତାହାନ୍ତ ସଟ୍ ଡ଼ାଉନ ଘୋଷଣା କରିଥିଲେ ଏବଂ ଚଳିତ ମାସ ତୃତୀୟ ସପ୍ତାହର ସର୍ଟଡ଼ାଉନ ଆଜି ଶେଷ ହୋଇଛି । ଏହି ସମୟରେ ଜିଲ୍ଲାର ସଦର ମହକୁମା ବାରିପଦାରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଥିଲା । ଅତି ଜରୁରୀ କାର୍ଯ୍ୟ ନ ଥିଲେ ଜନସାଧାରଣ ଘରୁ ବାହାରକୁ ବାହାରି ନ ଥିବାର ଦେଖିବାକୁ ମିଳିଥିଲା । କାଁ ଭାଁ ଗାଡ଼ି ମୋଟର ଯାତାୟତ କରୁଥିଲେ ମଧ୍ୟ ସହରର ପ୍ରତ୍ୟେକ ଛକରେ ପୁଲିସ ଅଟକାଇ ସେମାନଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲୁଥିବାର ଦେଖିବାକୁ ମିଳିଥିଲା । ବାରିପଦା ସହର ପୁଲିସ ଛାଉଣୀରେ ପରିଣତ ହୋଇଯାଇଥିଲା । ଏଥି ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାରଙ୍କଠାରୁ ଆରମ୍ଭ କରି ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ପର୍ଯ୍ୟନ୍ତ ସମସ୍ତେ ସହରରେ ପଇଁତରା ମାରି ସ୍ଥିତାବସ୍ଥାକୁ ଅନୁଧ୍ୟାନ କରିଥିଲେ । ସେହିପରି ପୁଲିସର ପିସିଆର ଓ ମୋବାଇଲ ଭ୍ୟାନ ସାଇରନ ବଜାଇ ସହରରେ ଚକ୍କର କାଟୁ ଥିବାର ଦେଖିବା ବେଳେ ସିସି ଟିଭି କ୍ୟାମେରା ଲାଗିଥିବା ପିସିଆର ଭ୍ୟାନ ସହରରେ ସର୍ଟଡ଼ାଉନ ନିୟମ ଭଙ୍ଗକାରୀମାନଙ୍କ ଉପରେ କଡ଼ା ନଜର ରଖିଥିଲା ।
ସେହିପରି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଆଜିର ସପ୍ତାହାନ୍ତ ସର୍ଟଡ଼ାଉନକୁ ଜିଲ୍ଲାବାସୀ ସମର୍ଥନ ଜଣାଇଥିବାର ପରିଲକ୍ଷିତ ହୋଇଛି । ବାମନ ଘାଟି, ପାଞ୍ଚପୀଢ଼ ଓ କପ୍ତିପଦା ଉପଖଣ୍ଡର ସମସ୍ତ ଅଞ୍ଚଳର ରାସ୍ତାଘାଟ ଶୂନଶାନ ରହିଥିଲା । ବାରିପଦା ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଜଣେ ଏଡ଼ିସନାଲ ଏସପିଙ୍କ ଅଧୀନରେ ୪ ଜଣ ଡ଼ିଏସପି, ୨୨ ଜଣ ଅଫିସର, ୨ ଜଣ ଇନ୍ସପେକ୍ଟର ଓ ୪ ପ୍ଲାଟୁନ ଫୋର୍ସ କାର୍ଯ୍ୟ କରୁଥିଲେ ।