ଜିଲ୍ଲା ଅବକାରୀ ଓ ପୁଲିସ ବିଭାଗ ଦଣ୍ଡିକିରି ଧରୁଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଜାଲରେ ବଡ଼ ମାଛ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଚୋରା ମାରାତ୍ମକ ନିଶାଦ୍ରବ୍ୟ କାରବାରର ପେଣ୍ଠସ୍ଥଳ ପାଲଟିଯାଇଛି । ଏହି ସମୟରେ ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସ ଦଣ୍ଡିକିରି ମାଛ ମାରି ବାହାବାଃ ନେଉଥିବା ବେଳେ କ୍ରାଇମବ୍ରାଞ୍ଚର ଏସଟିଏଫ ବସାଇଥିବା ଜାଲରେ ଆଜି ଏକ ବଡ଼ ମାଛ ଧରାପଡ଼ିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଜାଲ ବିଛାଇ ବସିଥିବା ବେଳେ ଆଜି ସକାଳ ସମୟରେ ଏହି ବଡ଼ ମାଛ ଛନ୍ଦି ହୋଇଯାଇଥିବାର ଜଣାପଡ଼ିଛି ।
ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ଗ୍ରାମର ସେକ ମହମ୍ମଦ ଅଲ୍ଲୀଙ୍କ ପୁଅ ସେକ ଆସିକ ଅଲ୍ଲୀ ବ୍ରାଉନସୁଗାର ଭଳି ମାରାତ୍ମକ ନିଶା ଦ୍ରବ୍ୟ ସହିତ ରେଡ଼ ହ୍ୟାଣ୍ଡରେ ଆଜି ଏସଟିଏଫ ହାତରେ ଧରାପଡ଼ିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର କୁଳିଅଣା-ବାରିପଦା ରାସ୍ତା ଉପରେ ଆଜି ସକାଳ ସମୟରେ ଜଗି ବସିଥିବା ସମୟରେ ସେକ୍ ଆସିକ ଏକ ବ୍ୟାଗରେ ବ୍ରାଉନସୁଗାର ଧରି ଅନ୍ୟ ସହଯୋଗୀ ସହିତ ଆସୁଥିବା ସମୟରେ ଅତର୍କିତ ଭାବେ ଏସଟିଏଫ ଘେରି ଯାଇଥିଲେ । ଏହି ସମୟରେ ଅନ୍ୟ ସହଯୋଗୀମାନେ ଖସି ଯିବାରେ ସଫଳ ହୋଇଥିବା ବେଳେ ସେକ୍ ଆସିକ୍ ବ୍ରାଉନସୁଗାର ସହିତ ଧରାପଡ଼ିଯାଇଥିଲେ । ଏସଟିଏଫ୍ ପକ୍ଷରୁ ବ୍ରାଉନସୁଗାର ଜବତ କରିବା ଓ ସେକ ଆସିକ୍କୁ ଗିରଫ କରିବା ମାତ୍ରେ ଉଭାନ ହୋଇଯାଇଥିଲେ । ଜବତ ହୋଇଥିବା ବ୍ରାଉନ ସୁଗାରର ଓଜନ ୩.୨୮୫ କି.ଗ୍ରାମ ହୋଇଥିବା ବେଳେ ମୂଲ୍ୟ ଆନୁମାନିକ ଭାବେ ପ୍ରାୟ ସାଢେ଼ ୩ କୋଟିରୁ ଅଧିକ ହେବ ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଏକକାଳୀନ ଏତେ ପରିମାଣରେ ବ୍ରାଉନ ସୁଗାର ଜବତ ହେବା ମୟୂରଭଞ୍ଜ ଜିଲ୍ଲା ପ୍ରଥମ ବୋଲି ଜଣାପଡ଼ିଛି ।