ଅଞ୍ଚଳବାସୀ ଆତଙ୍କିତ, ୯ ପଞ୍ଚାୟତ ସଟ୍ ଡାଉନ୍ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଟେଭାପଦର (ନୂଆଁଡିହ) ଗ୍ରାମରେ ଗୋଟିଏ ପରିବାରରୁ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୫୪ ବର୍ଷୀୟ ବ୍ୟକ୍ତି, ତାଙ୍କର ସ୍ତ୍ରୀ (୫୦ ବର୍ଷ ) ,ବୋହୂ, ପୁଅ ଓ ନାତି ରହିଥିବା ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡା. ଦିଲ୍ଲୀପ ପଣ୍ଡା ସୂଚନା ଦେଇଛନ୍ତି । ଟେଭାପଦର (ନୂଆଁଡିହ ) ଗ୍ରାମର ଆକ୍ରାନ୍ତ ବ୍ୟକ୍ତି ମାନେ ଗତ ୧୦ ତାରିଖ ଦିନ ବୌଦ୍ଧ ଜିଲ୍ଲା ତାଙ୍କର ସମ୍ପର୍କୀୟ ଘରକୁ ଯାଇ ଥିଲେ । ସମସ୍ତ ଆକ୍ରାନ୍ତଙ୍କୁ ସୋନପୁର କୋଭିଡ୍ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆକ୍ରାନ୍ତ ମାନଙ୍କର ମିଳାମିଶା ସମ୍ବନ୍ଧରେ ତଥ୍ଯ ସଂଗ୍ରହ ଚାଲିଥିବା ସୂଚନା ମିଳିଛି । ଆକ୍ରାନ୍ତ ମାନେ ସ୍ଥାନୀୟ (ଲୋକାଲ କେସ୍ ) ବାସିନ୍ଦା ହୋଇଥିବାରୁ ଅଞ୍ଚଳରେ ଆଶଙ୍କା ବୃଦ୍ଧି ପାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ରେ ପହଞ୍ଚିଥିବା ବେଳେ ତନ୍ନ ମଧ୍ୟରୁ ୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଟେଭାପଦର (ନୂଆଁଡିହ) ଗ୍ରାମରେ ଗୋଟିଏ ପରିବାରରେ ୫ ଜଣଙ୍କୁ କରୋନା ପଜିଟିଭ ଚିହ୍ନଟ ପରେ ପିତାମହୁଲ ସରପଞ୍ଚ ସରୋଜ ବାରିକ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପିତାମହୁଲ ପଞ୍ଚାୟତକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ସେହିପରି ପଡୋଶୀ ସୁବଳୟାକୁ ସରପଞ୍ଚ ଲିଲି ପାତ୍ର, ଜଟେସିଂହା ପଞ୍ଚାୟତକୁ ସରପଞ୍ଚ ରୁଦ୍ରାଣୀ ଚାନ୍ଦ , କମିରା ପଞ୍ଚାୟତକୁ ସରପଞ୍ଚ ଶ୍ରୀକୃଷ୍ଣ ପଧାନ, ସଂଗ୍ରାମପୁର ପଞ୍ଚାୟତକୁ ସରପଞ୍ଚ ରାଜାକିଶୋର ନାଏକ , ବାଗବର ପଞ୍ଚାୟତକୁ ସରପଞ୍ଚ ବ୍ୟୋମକେଶ ପଣ୍ଡା ସୋମବାର ଠାରୁ ୧୦ ଦିନ ପର୍ଯ୍ୟନ୍ତ ସଟଡାଉନ କରିଥିବା ବେଳେ ହିଲୁଙ୍ଗ ପଞ୍ଚାୟତ ସରପଞ୍ଚ ଅଶୋକ ମହାକୁର, ଚମ୍ପାମାଲ ପଞ୍ଚାୟତ ସରପଞ୍ଚ ରେବତୀ ରାଉ ଓ ଉଫୁଲା ପଞ୍ଚାୟତ କୁ ସରପଞ୍ଚ ସଟଡାଉନ ଘୋଷଣା କରାଯାଇଛି ।