ନୂଆପଡା/ ଅମିତ ପୁରୋହିତ ; ବର୍ତ୍ତମାନ କରୋନ ମହାମାରୀର ପ୍ରକୋପ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଓ ପୋଲିସ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନେ ନିଜ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ଦିନରାତି କରୋନା ମହାମାରୀର ପ୍ରକୋପକୁ କମ କରିବା ପାଇଁ କାମ କରି ଚାଲିଛନ୍ତି । କିନ୍ତୁ ଏହି କରୋନା ଯୋଦ୍ଧା ମାନଙ୍କୁ ପୁରଷ୍କାର ସ୍ୱରୂପ ବଦଳି କରିବା କେତେଦୂର ଯୁକ୍ତିଯୁକ୍ତ ?
ସୂଚନାନୁସାରେ ନୂଆପଡା ଜିଲ୍ଲାର ସଦର ଥାନାରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧିକାରୀ ଆଦିତ୍ୟ ମହାକୁଡଙ୍କ ସମେତ ୬ ଜଣ ସବ ଇନିସପେକ୍ଟର ଙ୍କର ବଦଳି ସୁଦୂର କୋରାପୁଟ ଓ ମାଲକାନଗିରି ଜିଲ୍ଲା କୁ ହୋଇଛି । ଏନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାରିଆଡେ ତାଲା ବନ୍ଦ ଥିବା ବେଳେ ନିଜ କର୍ତ୍ତବ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏହି କରୋନା ଯୋଦ୍ଧା ମାନଙ୍କର ବଦଳିକୁ ଅଞ୍ଚଳବାସୀ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ସଦର ଥାନା ଅଞ୍ଚଳରେ କଫ୍ ସିରଫ, ଦେଶି ମଦ, ଗଞ୍ଜେଇ ଆଦିର ଚୋରା ଚାଲାଣ ତଥା ଅଞ୍ଚଳରେ ଘଟୁଥିବା ବିଭିନ୍ନ ପ୍ରକାର ଅପରାଧକୁ ସପୂର୍ଣ୍ଣ ରୂପେ ଠପ୍ କରିବାରେ ଶ୍ରୀ ମହାକୁଡ ତଥା ତାଙ୍କର ଟିମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୋଲିସ ପ୍ରଶାସନ ଜନ ସାଧାରଣ ତଥା ଗଣ ମାଧ୍ୟମ ସୁସମ୍ପର୍କ ସ୍ଥାପନରେ ଶ୍ରୀ ମହାକୁଡଙ୍କର ପ୍ରଚେଷ୍ଟା ଅତୁଳନୀୟ ଅଟେ । ଏପରିକି ତାଙ୍କର ବଦଳିକୁ ରଦ୍ଦ କରିବାକୁ ନେଇ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ ଗୃହ ମନ୍ତ୍ରୀ ଓ ଆଇ.ଜି ଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ତାଲା ବନ୍ଦ ସମୟରେ କାଁ ଭାଁ କେଉଁଠି କେମିତି ଗାଡି ମଟର ଚଳାଚଳ ହେଉଛି ।ଏହି ସମୟରେ ଅଫିସର ମାନଙ୍କର ବଦଳି ଉକ୍ତ ଅଫିସର ତଥା ତାଙ୍କର ପରିବାର ଙ୍କ ସୁରକ୍ଷା ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯେଉଁଥି ପାଇଁ କି ଅଞ୍ଚଳବାସୀ ଅସନ୍ତୋଷ ପ୍ରକଟ କରିଛନ୍ତି । ଏନେଇ ନୂଆପଡା ଏସ୍ ପି ବିନିତ ଅଗ୍ରୱାଲଙ୍କୁ ପଚାରିବାରୁ ଡିଆଜିଙ୍କ ସ୍ତରରେ ତାଙ୍କର ବଦଳି ହୋଇଛି ଓ ସ୍ଥାନୀୟ ବିଧାୟକ ବଦଳିକୁ ରଦ୍ଧ କରିବା ପାଇଁ ଚିଠି ଲେଖିଛନ୍ତି ଓ ଆମେ ତାଙ୍କର ବଦଳି ରଦ୍ଧ କରିବା ପାଇଁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ।