କି ଅପହଞ୍ଚ ଯୋଜନା,ଦୁର୍ଦ୍ଦିନରେ ବିଧବା ମହିଳାଙ୍କ ପରିବାର
ବରଗଡ :- ଅସହାୟ , ଗରିବ, ତଥା ନିରୀହ ଜନସାଧାରଣଙ୍କର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସରକାରଙ୍କର ଅନେକ ଯୋଜନା ରହିଛି । ଏହି ଯୋଜନା ସବୁର ଲାଭ ମଧ୍ୟ ଲୋକେ ପାଉଛନ୍ତି ଏଥିରେ ସନ୍ଦେହ ନାହିଁ କିନ୍ତୁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଘେସରା ଗ୍ରାମର କଳ୍ପନା ସାହୁ ଏକ ବିଧବା ମହିଳା ଅଟନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ହୋଇ ପଡିଛନ୍ତି ଏହି ମହିଳା ଜଣକ । ପରିବାର କହିଲେ ନିଜେ ଏବଂ ତାଙ୍କର 2 ସନ୍ତାନ । 10 ବର୍ଷର ପୁଅ ଓ ଦୁଇବର୍ଷର ଝିଅ । ବିଧବା କଳ୍ପନା ଙ୍କୁ ବର୍ତମାନ ଆହା ପଦୀଏ କରିବା ପାଇଁ କେହି ନାହାନ୍ତି । ସମ୍ପୂର୍ଣ୍ଣ ଭାବରେ ନିଃସହାୟ କଳ୍ପନା ଙ୍କର ପାଇଁ ସରକାରୀ ସହାୟତା ଅପହଞ୍ଚ । ନିଜେ ଓ ନିଜ ଦୁଇ ଛୁଆଙ୍କର ପେଟକୁ ମୁଠାଏ ଅନ୍ନ ଯୋଗାଇ ଦେବାପାଇଁ ପାଇଁଅନେକ ଥର ସରପଞ୍ଚ ଙ୍କ ଠାରୁ ନେଇ ପାଇକମାଲ ବିଡ଼ିଓ ଙ୍କ ପାଖେ ଗୁହାରୀ ଓ ଅଭିଯୋଗ ମଧ୍ୟ କରିଛନ୍ତି । ପ୍ରଶାସନ କଳ୍ପନା ଙ୍କର ପରିସ୍ଥିତି ବାବଦରେ ସବୁ କିଛି ଜାଣିଛନ୍ତି , ତଥାପି ମଧ୍ୟ କେହି ତାଙ୍କ ନିବେଦନ ବା ଅଭିଯୋଗ କୁ ଗୁରୁତ୍ୱ ଦେଉନାହାନ୍ତି । ବୋଧହୁଏ କଳ୍ପନା ଙ୍କର ପାଇଁ କେହି ସ୍ୱର ଉତ୍ତୋଳନ କରୁନାହାନ୍ତି । ବର୍ତ୍ତମାନ ଦେଶ ଯେଉଁ ଘଡିସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି ତାହା ସମସ୍ତଙ୍କୁ ଜଣାଅଛି । ନିଜର ଛୁଆ ମାନଙ୍କର ପେଟକୁ ଦୁଇମୁଠା ଆହାର ଦେବା ପାଇଁ କଳ୍ପନା ମୂଳ ଲାଗିଥାନ୍ତା । ସବୁ ବେଳେ ମଜୁରୀ କାମ ମଧ୍ୟ ମିଳୁନାହିଁ ତାହା ସହିତ ଛୋଟ ଛୋଟ ଛୁଆ ମାନଙ୍କୁ ଘରେ ଏକୁରିଆ ଛାଡି କାମ କରିବାକୁ ଯିବା ସମ୍ଭବ ପର ନୁହେଁ । କଳ୍ପନା ଏହି ଲକଡାଉନ ସମୟରେ ଅନେକ ଦୁର୍ଦ୍ଦଶା ର ସମ୍ମୁଖୀନ ହେଉଥିଲେ ମଧ୍ୟ କୋଣସି ନେତା କିମ୍ବା ଅଧିକାରୀ ତାଙ୍କୁ କଣିଚାଏ ସହଯୋଗ ମଧ୍ୟ କରିନାହାନ୍ତି । ଏଠାରେ ଗୋଟେ କଥା ସ୍ପଷ୍ଟ ଯେ କଳ୍ପନା ଙ୍କର ପରିବାର ପାଇକମାଲ ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ଦୁରବସ୍ଥା ଭୋଗ କରୁଛନ୍ତି । ଯାହାଫଳରେ ଏଭଳି ଯୋଗ୍ୟ ହିତାଧିକାରୀ ମାନେ ସରକାରୀ ଯୋଜନାରେ ଲାଭ ପାଇପାରୁନାହାନ୍ତି । ଏଣୁ ତୁରନ୍ତ ତାଙ୍କୁ ବିଧବା ଭତ୍ତା ପ୍ରଦାନ ସହ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆର୍ଥିକ ସହାୟତା ଯୋଗେଇଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ସ୍ବେଚ୍ଛାସେବୀ ଓ ବୁଦ୍ଧିଜୀବୀ । ଏହାଛଡା ତାଙ୍କୁ ଅନ୍ତ୍ୟଦୟ ଅନ୍ନ ଯୋଜନାରେ ପ୍ରତିମାସ 35 କିଲୋ ରାସନ ଯୋଗେଇଦେବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ନାଗରିକ ।