ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ବ୍ୟକ୍ତ କଲେ ସନ୍ତୋଷ ଓ ସଭିଙ୍କୁ ଜଣାଇଲେ କୃତଜ୍ଞତା
ପୁରୀ: ନବଦିନ ବ୍ୟାପି ଭକ୍ତ ଶୂନ୍ୟ ମହାନ ପର୍ବ ସାରି ଶ୍ରୀହୀନ ହୋଇ ପଡିଥିବା ଶ୍ରୀମନ୍ଦିରକୁ ଫେରିଛନ୍ତି କୋଟି ହୃଦୟର ମହାନାୟକ | କରୋନା କଟକଣା ଯୋଗୁ ଆସିଲେନି ଭକତ, ନିଜ ସେବାୟତଙ୍କ ଗହଣରେ ଆଡ଼ପ ଲୀଳା ସାରି, ମାଉସୀମା ଘରେ ପୋଡା ପିଠା ଖାଇ, ରଥରେ ଅଧର ପଣା ବାଣ୍ଟି ଆଉ ଅନ୍ତିମ ପର୍ବରେ ଅଭିମାନିନୀ ଲକ୍ଷ୍ମୀ ମାତାଙ୍କୁ ରସଗୋଲା ଖୁଆଇ ମାନ ଭାଙ୍ଗି କାଳିଆ ସାଆନ୍ତ ଆସି ବିଜେ କଲେ ରତନ ବେଦିରେ | ସରିଗଲା ଏ ବର୍ଷର ରଥ ଯାତ୍ରା | ପୁଣି ଅପେକ୍ଷା ଆର ବରଷକୁ |
lରଥଯାତ୍ରାର ଅନ୍ତିମ ପର୍ବରେ ଲକ୍ଷ୍ମୀଙ୍କ ମାନ ଭଂଜନ ଅନୁଷ୍ଠିତ ହୋଇଥିଲା ସିଂହ ଦୁଆରରେ | ତାପରେ ଜଣକ ପରେ ଜଣେ ପ୍ରବେଶ କରିଥିଏ ଶ୍ରୀମନ୍ଦିରରେ | ପ୍ରଥମେ ରାମ-କୃଷ୍ଣ, ମଦନମୋହନ ଏବଂ ପରେ ସୁଦର୍ଶନ କରିଥିଲେ ନୀଳାଦ୍ରି ବିଜେ | ତାପରେ ଶ୍ରୀ ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଏବଂ ସବା ପଛରେ ଆସିଥିଲେ କାଳିଆ ଠାକୁର । ୪.୫୦ ରେ ଶ୍ରୀମନ୍ଦିର ଭିତରେ ବିଜେ କରିଥିଲେ ବଡ଼ଠାକୁର | ତାପରେ ସଂଧ୍ୟା ୬ଟାରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କର ପହଣ୍ଡି । ଆଉ ଶେଷରେ ସଂଧ୍ୟା ୬.୪୫ ମିନିଟ୍ ରେ ଶ୍ରୀମନ୍ଦିର ବିଜେ କରିଥିଲେ କାଳିଆ ଠାକୁର ।ସିଂହ ଦୁଆର ଠାରୁ ରତ୍ନବେଦୀ ଯାଏ ବିଗ୍ରହମାନଙ୍କ ଯାତ୍ରା ବେଳେ ନିନାଦିତ ହୋଇପଡୁଥିଲା ହରିବୋଲ, ଜୟ ଜଗନ୍ନାଥ,ଘଣ୍ଟ କାହାଳି ଧ୍ୱନିରେ | ସବୁଠାରୁ ବଡ଼କଥା ହେଲା ଅତ୍ୟନ୍ତ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ଧାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ସରିଛି ବିଧି ବିଧାନ, ଏପରିକି ସମୟର ପୂର୍ବରୁ ସରିଛି ବିଧି |
ଯାବତୀୟ କଟକଣା ଭିତରେ , ବାଦ ବିବାଦ ଭିତରେ ଯେଉଁଭଳି ଶୃଙ୍ଖଳିତ ଭାବେ ରଥଯାତ୍ରା ସମ୍ପନ୍ନ ହେଲା ତାହା ବାସ୍ତବିକ ଧନ୍ୟବାଦଯୋଗ୍ୟ | ଆଉ ଦୁନିଆ ଦେଖିଲା ଏକ ଶୃଙ୍ଖଳିତ ରଥଯାତ୍ରା | ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲ୍ଲା ପ୍ରଶାସନର ନିଷ୍ଠାପର ଉଦ୍ୟମ ତଥା ସେବାୟତମାନଙ୍କ ସହଯୋଗକୁ ସବୁ ମହଲରୁ ଛୁଟିଛି ପ୍ରସଂସାର ସୁଅ |
ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ତାଙ୍କ ବାର୍ତ୍ତାରେ ରଥଯାତ୍ରାର ସୁଚାରୁ ରୂପେ ସମ୍ପାଦନା ପାଇଁ ଖୁସି ବ୍ୟକ୍ତି କରିବା ସହ ସାମିଲ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି "ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଘେନି ଶ୍ରୀମନ୍ଦିର କୁ ଫେରିଛନ୍ତି। ରଥଯାତ୍ରାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ପ୍ରତିଟି ଆୟୋଜନକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିଥିବାରୁ ସେବାୟତ ବନ୍ଧୁ, ପ୍ରଶାସନ ଏବଂ ପୂର୍ଣ୍ଣ ସହଯୋଗ ପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ସର୍ବୋପରି ସବୁ ସେଇ ଲୀଳାମୟଙ୍କ ଇଚ୍ଛା।" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ |
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କରୋନା ମହାମାରୀର କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ, ଅଧର ପଣା ଓ ଆଜି ନୀଳଦ୍ରି ବିଜେ ନୀତି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିବା ଯୋଗୁ ନିଜ ସନ୍ତୋଷ ବ୍ୟକ୍ତ କରି ଧନ୍ୟବାଦ ଅର୍ପଣ କରିଛନ୍ତି | ଶ୍ରୀ ପ୍ରଧାନ କହିଛନ୍ତି " ସବୁ ଲିଳାଖେଳା ସାରିବା ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଗୋଟି ପହଣ୍ଡିରେ ଆସି ରତ୍ନସିଂହାସନରେ ବିଜେ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଅଭିମାନିନୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଛନ୍ତି । ଏଥିସହ ସମାପ୍ତ ହୋଇଛି ଶ୍ରୀଜୀଉଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା । ଏହି ଅବସରରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ସର୍ବଦା ବିଶ୍ୱବାସୀଙ୍କୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ, ଏହା ହିଁ କାମନା କରୁଛି | ଏ ସମସ୍ତ ନୀତିକାନ୍ତି ଭକ୍ତଶୂନ୍ୟ ହେଲେ ବି କୋଟି କୋଟି ଭକ୍ତ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ମହାପ୍ରଭୁଙ୍କର ଆଶୀର୍ବାଦ ଲାଭ କରିଛନ୍ତି । ଗୋବର୍ଦ୍ଧନ ମଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ, ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ପୁରୀର ଜନସାଧାରଣ, ଛତିଶା ନିଯୋଗ, ସେବାୟତ ତଥା ମନ୍ଦିର ପ୍ରଶାସନକୁ ଏଥିପାଇଁ ଧନ୍ୟବାଦ ।"