ଟିଟିଲାଗଡ (ଗୌରବ ଦର୍ଜି)-କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଉ ଥିବା ବେଳେ ପେଟ୍ରୋଲ ଓ ଡିଜେଲ ବାରମ୍ବାର ଦର ବୃଦ୍ଧି ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧା ହେଉଛି। ଏହା ସିଧା ସଳଖ ଜନସାଧାରଣ ଙ୍କ ଚୁଲିମୁଣ୍ଡ ରେ ପ୍ରଭାବ ପକାଉଛି। ବିଗତ କିଛି ଦିନ ରେ ତୈଳ ଦର ବୃଦ୍ଧି ଯୋଗୁଁ ଲୋକମାନଙ୍କ ଗମନାଗମନ ଉପରେ ପ୍ରଭାବ ପଡିଛି। କରୋନା ମହାମାରୀ ସମୟ ରେ ଲୋକମାନଙ୍କ ଜୀବିକା ବାଧାପ୍ରାପ୍ତ ହେଇଥିବା ବେଳେ ତୈଳ ଦର ବୃଦ୍ଧି ମୁଣ୍ଡ ଉପରେ ନଳିତା ବିଡା ସଦୃଶ୍ୟ ପାଲଟିଛି। ବର୍ତମାନ କେନ୍ଦ୍ର ବିଜେପି ସରକାର ସମୟରେ ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି । ଏଇ କିଛିଦିନ ହେଲା ଲଗାତର ପେଟ୍ରୋଲ ଓ ଡିଜେଲର ଦାମ ବଢି ବର୍ତମାନ ଯଥାକ୍ରମେ ପ୍ରାୟ ୮୧ ଟଙ୍କା ଓ ୮୦ ଟଙ୍କାରେ ପହଂଚିଲାଣି । ଫଳରେ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଲେଣି । ନିଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶକ୍ରମେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତୈଳ ଦର ବୃଦ୍ଧି କୁ ବିରୋଧ କରି ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କାର୍ଯ୍ୟଳୟରେ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ବଲାଙ୍ଗୀର କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ଗୁଣ ସାଗର ମାଝୀ,ଯୁବ ନେତା ସୁବ୍ରତ ବେହେରା,ବରିଷ୍ଠ ଚାଷୀ ନେତା ଉତ୍ତମ ପୁଟେଲ,ଶରତ ଚନ୍ଦ୍ର ବେହେରା,ଶ୍ରମିକ ନେତା କୃଷ୍ଣ ଚନ୍ଦ୍ର ସାହୁ,ରଜତ ପଟ୍ଟନାୟକ,କ୍ରିଷ୍ଣ ଓ ଟିଟିଲାଗଡ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ବିରେନ୍ଦ୍ର ବାଗ , ଯୁବ କଂଗ୍ରେସ ସଭାପତି ଅଭିଷେକ ପଟ୍ଟନାୟକ, ନଗର କଂଗ୍ରେସ୍ ସଭାପତି ପ୍ରଭାସ ବହିଦାର ,ତୁଳସୀ ସାହୁ, ଡମ୍ବରୁଧର ଛତ୍ରିଆ, ଶ୍ରମିକ ସଭାପତି ସୁରଜ୍ ବେହେରା ପ୍ରମୁଖ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଭାରତର ମହାମହିମ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି ତୁରନ୍ତ ବିହୀତ ପଦକ୍ଷେପ ନେବା ପାଇଁ ଅନୁରୋଧ କରି ଏକ ସ୍ମାରକପତ୍ର ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସଇଁନ୍ତଳା ବିଡ଼ିଓ ଦେବାଶିଷ ସାମଲ, ଓ ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକଙ୍କ ଜରିଆରେ ପ୍ରଦାନ କରିଥିଲେ।
ପ୍ରକାଶଥାଉକି ୨୦୧୧ ମସିହା ୟୁପିଏ-୨ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୭ ଡଲାର ଥିଲାବେଳେ ପେଟ୍ରୋଲ ଲିଟର ପିଛା ଦର ୭୮ ଟଙ୍କା ଓ ଡିଜେଲ ୭୩ ଟଙ୍କା ଥିଲା । କିନ୍ତୁ ବର୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୪୨ ଡଲାର ଥିଲାବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଭାଟ୍ ଓ ଏକ୍ସାଇଜ୍ ଡ୍ୟୁଟି ଅହେତୁକ ବୃଦ୍ଧି କରିବା ଯୋଗୁଁ ଆଜି ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୦ ଟଙ୍କାରେ ପହଂଚିଛି । ବର୍ତମାନ ଦେଶ କରୋନା ମହାମାରୀରେ ଗତି କରୁଥିଲା ବେଳେ ତୈଳ ଦର ବୃଦ୍ଧି ଜନସାଧାରଣଙ୍କ ଉପରେ ଚଡକ ପକାଇଛି । ସମସ୍ତେ ତେଲ ଦର ବୃଦ୍ଧି ବିରୁଦ୍ଧରେ ମତ ଦେଇ ଏଥିପାଇଁ ସେମାନେ ହନ୍ତସନ୍ତ ହେଉଛନ୍ତି ବୋଲି କହିଥିଲେ ।