ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନଲକ 1.0 ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
•ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ପରୀକ୍ଷା ଏବଂ ଚିହ୍ନଟ ସହିତ ଆର୍ଥିକ କାର୍ଯ୍ୟକଳାପ ବଢ଼ାଇବାକୁ ପ୍ରୋତ୍ସାହନ ଦେବା ଉଚିତ
• ଆମେ ପ୍ରତ୍ୟେକ ଜୀବନ ବଂଚାଇବାକୁ ଚେଷ୍ଟା କରିଛୁ; ଦେଶରେ ଆରୋଗ୍ୟ ହାର 50%ରୁ ଅଧିକ
• କରୋନା ଭୂତାଣୁ ଜନିତ ମୃତ୍ୟୁହାର କମ ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ସାମିଲ
• ନିଜର, ନିଜ ପରିବାର ଏବଂ ସମୁଦାୟର ନିରାପତ୍ତା ପାଇଁ କେହି ଜଣେ ମଧ୍ୟ ମାସ୍କ ଓ ମୁହଁ କଭର ବିନା ଘରୁ ବାହାରିବା ବିଷୟରେ ଚିନ୍ତା କରିବା ଅନୁଚିତ
• ସଦ୍ୟ ପଦକ୍ଷେପ କାରଣରୁ ଅର୍ଥବ୍ୟବସ୍ଥା ଉପରେ ପଡ଼ିଥିବା ସକରାତ୍ମକ ପ୍ରଭାବ ଏବେ ଦୃଶ୍ୟମାନ ହେଉଛି, ଯାହାକି ଆଗକୁ ବଢ଼ିବା ଲାଗି ଆମ ପାଇଁ ଉତ୍ସାହପ୍ରଦ
• ରାଜ୍ୟଗୁଡ଼ିକର ସ୍ଥିତି ସମ୍ପର୍କରେ ମତାମତ ରଖିଲେ ମୁଖ୍ୟମନ୍ତ୍ରୀଗଣ, ବର୍ତ୍ତମାନର ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଏହାର ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ତଥ୍ୟ ଦେଲେ
ନୂଆଦିଲ୍ଲୀ /ଏସପିବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଅନଲକ 1.0 ପରେ ଦେଖାଦେଇଥିବା ସ୍ଥିତି ଏବଂ କୋଭିଡ-19 ମହାମାରୀ ମୁକାବିଲା ପାଇଁ ଆଗକୁ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ଏହାକୁ ମିଶାଇ ଷଷ୍ଠଥର ପାଇଁ ପ୍ରଧାନମନ୍ତ୍ରୀ ସମାନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିସାରିଲେଣି । ପୂର୍ବରୁ 20 ମାର୍ଚ୍ଚ, 2 ଏପ୍ରିଲ, 11 ଏପ୍ରିଲ, 27 ଏପ୍ରିଲ ଏବଂ 11 ମେ’ରେ ଏଭଳି 5ଟି ବୈଠକ ଅନୁଷ୍ଠିତ ହୋଇଥିଲା ।
ଭୂତାଣୁ ମୁକାବିଲା ଲାଗି ସମୟୋଚିତ ନିଷ୍ପତ୍ତି
ପ୍ରଧାନମନ୍ତ୍ରୀ ମତ ରଖିଥିଲେ ଯେ ମହାମାରୀ ମୁକାବିଲା ଦିଗରେ ସମୟୋଚିତ ନିଷ୍ପତ୍ତି ନିଆଯିବା କାରଣରୁ ଦେଶରେ ଏହାର ସଂକ୍ରମଣକୁ ପ୍ରଭାବୀ ଢଙ୍ଗରେ ଅବରୋଧ କରାଯିବା ସମ୍ଭବ ହୋଇପାରିଛି । ଆମେ ପଛକୁ ଫେରି ଚାହିଁଲେ, ଆମେ ସାରା ବିଶ୍ୱ ପାଇଁ ସଂଘୀୟ ସହଯୋଗର ଏକ ଉଦାହରଣ ଉପସ୍ଥାପନ କରିପାରିଛୁ ବୋଲି ଅନେକ ଦିନ ପର୍ଯ୍ୟନ୍ତ ଲୋକମାନେ ମନେ ରଖିବେ ବୋଲି ସେ କହିଥିଲେ ।
ଆମେ ପ୍ରତିଟି ଜୀବନ ରକ୍ଷା ଲାଗି ଚେଷ୍ଟା କରିଛୁ, ପ୍ରଧାନମନ୍ତ୍ରୀ କହିଥିଲେ । ପରିବହନର ସମସ୍ତ ମାର୍ଗ ଖୋଲିସାରିଛି, ଲକ୍ଷାଧିକ ପ୍ରବାସୀ ଶ୍ରମିକ ସେମାନଙ୍କ ଗାଁକୁ ଫେରିସାରିଛନ୍ତି, ବିଦେଶରୁ ହଜାର ହଜାର ଭାରତୀୟ ଫେରିଆସିଛନ୍ତି ଏବଂ ଯଦିଓ ଭାରତରେ ବିପୁଳ ଜନସଂଖ୍ୟା ରହିଛନ୍ତି ବିଶ୍ୱର ଅନ୍ୟ ପ୍ରାନ୍ତ ଭଳି କରୋନା ଭୂତାଣରୁ ଏଠାରେ ସେତେ ପ୍ରାଣଘାତୀ ରୂପ ନେଇପାରି ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ । ଭାରତୀୟମାନେ ପ୍ରଦର୍ଶନ କରିଥିବା ଶୃଙ୍ଖଳାକୁ ସାରା ବିଶ୍ୱରେ ବିଶେଷଜ୍ଞମାନେ ପ୍ରଶଂସା କରୁଛନ୍ତି, ଦେଶରେ ଆରୋଗ୍ୟ ହାର ବର୍ତ୍ତମାନ 50%ରୁ ଅଧିକ ହୋଇସାରିଲାଣି । କରୋନା ଭୂତାଣୁ ଜନିତ କମ ମୃତ୍ୟୁହାର ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ପରିଗଣିତ ହେଉଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସବୁଠୁ ବଡ଼ ଶିକ୍ଷା ହେଉଛି ଯଦି ଆମେ ଶୃଙ୍ଖଳିତ ରହିବା ଏବଂ ନିୟମ ପାଳନ କରିବା, କରୋନା ଭୂତାଣୁ କମ କ୍ଷତି ପହଁଚାଇବ । ସେ ମାସ୍କ/ମୁହଁଘୋଡ଼ା ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ଏହା ବିନା କେହି ବି ବାହାରକୁ ଯିବା ଅନୁଚିତ ବୋଲି କହିଥିଲେ । ଏହା କେବଳ ବ୍ୟକ୍ତିଗତ ସୁରକ୍ଷା ପାଇଁ ଜରୁରି ନୁହେଁ ବରଂ ପରିବାର ଓ ସମୁଦାୟର ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେ ମଧ୍ୟ ‘ଦୁଇ ଗଜ ଦୂରତା’, ସାବୁନ ଓ ପାଣିରେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବାର ମନ୍ତ୍ର ବିଷୟରେ ଆଲୋଚନା କରିଥିଲେ । ଶୃଙ୍ଖଳାରେ ସାମାନ୍ୟ ତ୍ରୁଟି ରହିଲେ ଭୂତାଣୁ ବିରୋଧରେ ଆମର ଲଢ଼େଇ ଦୁର୍ବଳ ହୋଇଯିବ ବୋଲି ସେ ଚେତାବନୀ ଦେଇଥିଲେ ।
ଅର୍ଥବ୍ୟବସ୍ଥାରେ ସବୁଜ ସଙ୍କେତ
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିଗତ କିଛି ସପ୍ତାହ ଧରି ନିଆଯାଇଥିବା ପଦକ୍ଷେପ କାରଣରୁ ଅର୍ଥବ୍ୟବସ୍ଥାରେ ସବୁଜ ସଙ୍କେତ ବର୍ତ୍ତମାନ ପରିଲକ୍ଷିତ ହୋଇଛି । ପୂର୍ବରୁ ହ୍ରାସ ପାଇଥିବା ବିଦ୍ୟୁତ ଶକ୍ତି ବ୍ୟବହାର ବୃଦ୍ଧି ପାଇଛି, ସାର ବିକ୍ରିରେ ମେ’ ମାସରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ହୋଇଛି, ଗତବର୍ଷ ତୁଳନାରେ ଖରିଫ ଫସଲ ବୁଣାରେ ବୃଦ୍ଧି ଦେଖିବାକୁ ମିଳିଛି, ଦୁଇ ଚକିଆ ଉତ୍ପାଦନ ବୃଦ୍ଧି ପାଇଛି, ଖୁଚୁରା ବ୍ୟବସାୟ କ୍ଷେତ୍ରରେ ଡିଜିଟାଲ ଅର୍ଥ ପଇଠ ଲକଡାଉନ ପୂର୍ବ ସ୍ତରରେ ପହଁଚିପାରିଛି, ମେ’ ମାସରେ ଟୋଲ ଆଦାୟ ବୃଦ୍ଧି ପାଇଛି ଏବଂ ରପ୍ତାନିରେ ପୁଣିଥରେ ସୁଧାର ଆସିଛି । ଏସବୁ ସଙ୍କେତ ଆମକୁ ଆଗକୁ ବଢ଼ିବା ନିମନ୍ତେ ଉତ୍ସାହିତ କରୁଛି ।
ଆତ୍ମନିର୍ଭର ଭାରତ ଅଭିଯାନର ଲାଭ
ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକରେ କୃଷି, ଉଦ୍ୟାନକୃଷି, ମତ୍ସ୍ୟପାଳନ ଓ ଏମଏସଏମଇ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏମଏସଇଗୁଡ଼ିକୁ ଯଥା ସମୟରେ ଋଣ ଯୋଗାଇ ଦେବା ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ଯଦି ବ୍ୟାଙ୍କର୍ସ କମିଟି ଜରିଆରେ ଉଦ୍ୟୋଗଗୁଡ଼ିକୁ ଶୀଘ୍ର ଋଣ ଜାରି କରି ଦିଆଯିବ ତା’ହେଲେ ଏଗୁଡ଼ିକ ତୁରନ୍ତ କାମ ଆରମ୍ଭ କରିପାରିବେ ଏବଂ ନିଯୁକ୍ତି ସୁଯୋଗ ବ୍ୟବସ୍ଥାକୁ ସୁନିଶ୍ଚିତ କରିପାରିବେ । କ୍ଷୁଦ୍ର କାରଖାନାଗୁଡ଼ିକୁ ମାର୍ଗଦର୍ଶନ ଏବଂ ସହାୟତାର ଆବଶ୍ୟକତା ରହିଛି । ସେ ବାଣିଜ୍ୟ ଓ ଉଦ୍ୟୋଗଜଗତକୁ ସହାୟତା ଯୋଗାଇ ଦେବା ସକାଶେ ମୂଲ୍ୟ ଶୃଙ୍ଖଳ ଉପରେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟଗୁଡ଼ିକରେ ଥିବା ନିର୍ଦ୍ଦିଷ୍ଟ ଅର୍ଥନୈତିକ କାର୍ଯ୍ୟକଳାପ ଦୈନିକ 24 ଘଣ୍ଟା କାମ କରିବା ଉଚିତ ଏବଂ ଆର୍ଥିକ କାର୍ଯ୍ୟକଳାପକୁ ବଢ଼ାଇବା ଲାଗି ଲୋଡିଂ ଓ ଅନଲୋଡିଂ କାମକୁ ଦ୍ରୁତ କରିବାର ଆବଶ୍ୟକତା ରହିଛି ।
କୃଷି କ୍ଷେତ୍ରରେ ନିଆଯାଇଥିବା ସଂସ୍କାର ଜରିଆରେ ଚାଷୀମାନେ ଲାଭବାନ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେମାନଙ୍କୁ ନିଜ ଉତ୍ପାଦ ବିକ୍ରି ପାଇଁ ନୂଆ ସୁଯୋଗ ମିଳିବ, ଆୟ ବୃଦ୍ଧି ହେବା ଫଳରେ ଅର୍ଥବ୍ୟବସ୍ଥାରେ ଚାହିଦା ବୃଦ୍ଧି ପାଇବ । ଜୈବିକ ଉତ୍ପାଦ, ବାଉଁଶ ଉତ୍ପାଦ ଏବଂ ଅନ୍ୟ ଜଙ୍ଗଲଜାତ ଉତ୍ପାଦ ପାଇଁ ନୂଆ ବଜାର ସୁଯୋଗ ଖୋଲିବା ସହିତ ଉତ୍ତର-ପୂର୍ବାଂଚଳ ଏବଂ ଆଦିବାସୀ ଅଂଚଳରେ କୃଷି ଏବଂ ଉଦ୍ୟାନ କୃଷି ପାଇଁ ନୂତନ ସମ୍ଭାବନା ସୃଷ୍ଟି ହେବ । ସ୍ଥାନୀୟ ଉତ୍ପାଦ ପାଇଁ କ୍ଲଷ୍ଟର ଆଧାରିତ ଆଭିମୁଖ୍ୟ କାରଣରୁ ରାଜ୍ୟଗୁଡ଼ିକ ଲାଭବାନ ହେବେ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ ଉନ୍ନତ ପ୍ରକ୍ରିୟାକରଣ ଏବଂ ଅଧିକ ପ୍ରଭାବୀ ବିପଣନ ଲାଗି ଜିଲ୍ଲା ଓ ବ୍ଲକ ସ୍ତରରେ ଉତ୍ପାଦଗୁଡ଼ିକୁ ଚିହ୍ନଟ କରାଯିବା ଆବଶ୍ୟକ । ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ କରାଯାଇଥିବା ଘୋଷଣାଗୁଡ଼ିକୁ ଯଥାଶୀଘ୍ର ଫଳପ୍ରଦ କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ଉଭୟ ଜୀବନ ଓ ଜୀବିକା ଉପରେ ଗୁରୁତ୍ୱ
ମତାମତ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଉଭୟ ଜୀବନ ଓ ଜୀବିକା ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ । ସେ କହିଥିଲେ ଗୋଟିଏ ପଟେ ପରୀକ୍ଷା ଓ ଚିହ୍ନଟ ଉପରେ ଗୁରୁତ୍ୱାରୋପ କରାଯାଇ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଅନ୍ୟପଟେ ଆର୍ଥିକ କାର୍ଯ୍ୟକଳାପକୁ ମଧ୍ୟ ବଢ଼ାଇବା ଜରୁରି । ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ଉପରେ ଦୃଷ୍ଟି ଦେଇ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ରହିଛି । ସେ ରାଜ୍ୟ ନେତୃବର୍ଗଙ୍କୁ ଆହ୍ୱାନ କରି କହିଥିଲେ ଯେ ଭୂତାଣରୁ ଭୟ ଏବେ ସୁଦ୍ଧା ଯାଇପାରିନାହିଁ ବୋଲି ମନେ ରଖିବା ଉଚିତ ଏବଂ ଆର୍ଥିକ କାର୍ଯ୍ୟକଳାପ ଖୋଲିବା ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି ।
ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଥିଲେ ଯେ ବର୍ତ୍ତମାନସୁଦ୍ଧା ଆମେ ମହାମାରୀ ବିରୋଧରେ ଏକ ସଫଳ ଲଢ଼େଇ ଲଢ଼ିଆସିଛୁ । ଆଗକୁ ଆହୁରି ଲମ୍ବା ରାସ୍ତା ବାକି ଅଛି । ତେଣୁ ମାସ୍କ ଓ ଫେସ କଭର ବ୍ୟବହାର କରିବା, ଦୁଇ ଗଜ ଦୂରତା ରକ୍ଷା କରିବା ଆଦି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ସମସ୍ତେ ପାଳନ କରିବା ଉଚିତ ।
ପ୍ରସ୍ତୁତିର ଆଗୁଆ ସମୀକ୍ଷା
କୋଭିଡ-19 ମହାମାରୀ ମୁକାବିଲା କ୍ଷେତ୍ରରେ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମୀକ୍ଷା ଲାଗି ଜୁନ 13 ତାରିଖରେ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଏକ ବିସ୍ତୃତ ବୈଠକର ଆୟୋଜନ କରିଥିଲେ । ଏହି ବୈଠକରେ ଜାତୀୟ ଓ ରାଜ୍ୟସ୍ତରରେ ମହାମାରୀର ସ୍ଥିତି ଓ ମୁକାବିଲା ପଦକ୍ଷେପ ସମୀକ୍ଷା କରାଯାଇଥିଲା ।
ଏଥିରୁ ଜଣାପଡ଼ିଥିଲା ଯେ ମୋଟ ମାମଲା ମଧ୍ୟରୁ ଦୁଇତୃତୀୟାଂଶ ମାମଲା ବଡ଼ ରାଜ୍ୟରେ ରହିଛି ଏବଂ ବଡ଼ ସହରଗୁଡ଼ିକରେ ଅଧିକ ସଂଖ୍ୟକ ମାମଲା ଦେଖିବାକୁ ମିଳିଛି । ବଡ଼ ସହରଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ଦୃଷ୍ଟିରେ ରଖି ନମୁନା ପରୀକ୍ଷା ସଂଖ୍ୟା ବଢ଼ାଇବା ଏବଂ ଦୈନିକ ଦ୍ରୁତ ବେଗରେ ସଂକ୍ରମିତ ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ଉଦ୍ଦେଶ୍ୟରେ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା ।
ସହର ଉପରେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀର ସୁପାରିସ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଜିଲ୍ଲାୱାରୀ ଡାକ୍ତରଖାନା ଶଯ୍ୟା/ଏକାନ୍ତବାସ ଶଯ୍ୟାର ଆବଶ୍ୟକତା ପୂରଣ କରିବା ଦିଗରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହିତ ପରାମର୍ଶ କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଜରୁରିକାଳୀନ ଯୋଜନା ପ୍ରସ୍ତୁତ କରିବେ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମୌସୁମୀ ଋତୁ ଆରମ୍ଭ ହେବାକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ମଧ୍ୟ ସେ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀମାନଙ୍କର ମତ
ଦୁଇଦିନିଆ ଆଲୋଚନାର ପ୍ରଥମ ଦିନରେ ପଞ୍ଜାବ, ଆସାମ, କେରଳ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଛତିଶଗଡ଼, ତ୍ରିପୁରା, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ଗୋଆ, ମଣିପୁର, ନାଗାଲାଣ୍ଡ, ଲଦାଖ, ପୁଡୁଚେରୀ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହ, ଦାଦ୍ରା ନଗର ହାଭେଳୀ ଏବଂ ଡାମନ ଡିଉ, ସିକିମ ଓ ଲାକ୍ଷାଦ୍ୱୀପ ଆଦି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।
ଏଭଳି ଆହ୍ୱାନପୂର୍ଣ୍ଣ ସମୟରେ ନେତୃତ୍ୱ ନେବା ଏବଂ ଭୂତାଣୁ ବିରୋଧରେ ମିଳିତ ଲଢ଼େଇ କରିବା ଲାଗି ଦେଶକୁ ଏକଜୁଟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀମାନେ ଧନ୍ୟବାଦ ଜଣାଇଥିଲେ । ନିଜ ରାଜ୍ୟରେ ବର୍ତ୍ତମାନର ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଭୂତାଣୁ ମୁକାବିଲା ନିମନ୍ତେ ଏହାକୁ ବୃଦ୍ଧି କରିବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସେମାନେ ମତାମତ ଦେଇଥିଲେ । ସେମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସଚେତନତା ଅଭିଯାନ, ଘରକୁ ଫେରିଥିବା ଶ୍ରମିକମାନଙ୍କୁ ସହାୟତା, ଆରୋଗ୍ୟ ସେତୁ ଆପର ବ୍ୟବହାର ଏବଂ ରାଜ୍ୟଗୁଡ଼ିକରେ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ କରିବା ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ ।