ହେଡଲାଇନସ୍:

ପିଆରଏମ ମେଡ଼ିକାଲରେ ପିଇବା ପାଣି ସମସ୍ୟାକୁ ନେଇ ଅସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସିଡ଼ିଏମଓ ସାଇବ  କହୁଛନ୍ତି "ସବୁ କିଛି ଠିକ୍ ରହିଛି"

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲର ପରିଚାଳନାଗତ ଅପାରଗତା କାରଣରୁ ବିଭିନ୍ନ ସମୟରେ ବିବାଦୀୟ ହୋଇପଡ଼ିଛି । କେତେବେଳେ ଚିକିତ୍ସାରେ ଅବହେଳା କାରଣରୁ ରୋଗୀର ମୃତ୍ୟୁ  ପୁଣି କେତେବେଳେ ରୋଗୀ ଅଥବା ଆଟେଣ୍ଡେଣ୍ଟଙ୍କୁ ଡ଼ାକ୍ତର ବା ସ୍ୱାସ୍ଥ୍ୟ କର୍ମଚାରୀମାନେ ଦୁର୍ବ୍ୟବହାର ପ୍ରଦର୍ଶନ କିମ୍ବା ପିଲାବଦଳ, ଭୂଲ ଚିକିତ୍ସା କାରଣରୁ ରୋଗୀର ମୃତ୍ୟୁ ଭଳି ସଙ୍ଗୀନ ଅଭିଯୋଗ ଆସୁଥିବା ବେଳେ ଆଜି ମେଡ଼ିକାଲ ପରିସରରେ ପାନୀୟ ଜଳଯୋଗାଣ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡ଼ିଥିବାର ଅଭିଯୋଗ ଆସିଛି । ଏହି ସମୟରେ ମେଡ଼ିକାଲ କଲେଜ ସୁପାରିଟେଣ୍ଡେଣ୍ଟଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରୁନଥିବା ବେଳେ ସିଡ଼ିଏମଓ ଡ଼ା. ରୂପଭାନୁ ମିଶ୍ର ସବୁକିଛି ଠିକ ଠାକ ରହିଛି ବୋଲି କହିଛନ୍ତି । 

                ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଆଜି ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇପଡ଼ିଥିଲା । ରୋଗୀ ଓ ରୋଗୀମାନଙ୍କ ଆଟେଣ୍ଡେଣ୍ଟ ପାନୀୟ ଜଳ ଟୋପାଏ ପାଇଁ ଡ଼ହଳବିକଳ ହେଉଥିବା ବେଳେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଏହା ନଜର ବାହାରେ ରହିଯାଇଥିଲା । ଫଳରେ ପିଇବା ପାଣି ସଂଗ୍ରହ କରିବା ନିମନ୍ତେ ରୋଗୀର ଆଟେଣ୍ଡେଣ୍ଟମାନଙ୍କୁ ସହରରେ ବସବାସ କରୁଥିବା ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ, ପରିଚିତ ବ୍ୟକ୍ତିମାନଙ୍କ ଘରକୁ ଦୌଡ଼ିବାକୁ ପଡ଼ିଥିଲା ବୋଲି ଅଭିଯୋଗ ଆଣିଛନ୍ତି ମୟୂରଭଞ୍ଜ ଜିଲ୍ଲା ଚିତ୍ରଡ଼ା ଅଞ୍ଚଳର ସୁମି ସିଂ, ଶାମାଖୁଣ୍ଟା ବ୍ଲକ ପୋଡ଼ାଅସ୍ତିଆ ଗ୍ରାମର ସୁମିତ୍ରା ସିଂ, କୋଷ୍ଠ  ଅଞ୍ଚଳର ବିକର୍ତ୍ତନ ସିଂ, ବମ୍ବେଛକ ଅଞ୍ଚଳର ଶାଙ୍ଖ ମାର୍ଣ୍ଡି, ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ସୁରେନ୍ଦ୍ର ସୋରେନ ପ୍ରମୁଖଙ୍କ ସମେତ ତପନ ରଣା ଓ ସୁବଳ ନାୟକ ପ୍ରମୁଖ । ସେହିପରି ଯେଉଁମାନଙ୍କର ସହରରେ କେହି ପରିଚିତ ବ୍ୟକ୍ତି ନାହାନ୍ତି ସେମାନଙ୍କର ଦୁଃଖଦୁର୍ଦ୍ଧଶା କହିଲେ ନ ସରେ । 

                   ମାରୱାଡ଼ି ଯୁବ ମଞ୍ଚ ପ୍ରଗତୀ, ମାରୱାଡ଼ି ଯୁବ ମଞ୍ଚ, ଏସବିଆଇ ଆଦି ବିଭିନ୍ନ ସଂସ୍ଥା ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ବାରିପଦା ପିଆରଏମ ମେଡ଼ିକାଲ ପରିସରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ କରିଥିବା ସମୟରେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ବୁଝିବା ନିମନ୍ତେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ସମୟ ନ ଥିବା ବେଳେ ଘରୋଇ କ୍ଲିନିକ ଓ ନର୍ସିଂ ହୋମଗୁଡ଼ିକ ନିମନ୍ତେ ଯଥେଷ୍ଟ ସମୟ ରହିଛି ବୋଲି ଅଭିଯୋଗ ହେଉଛି । ମେଡ଼ିକାଲରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବୁଝାବୁଝି କରିବା ମେଡ଼ିକାଲ କର୍ତ୍ତୃପକ୍ଷଙ୍କର ଗୋଟାଏ ଡ଼ିଉଟି । ମାତ୍ର ସେମାନେ ସଠିକ୍ ଭାବେ ଏହା ସମ୍ପାଦନ କରିବାରେ ବିଫଳ ହୋଇଥିବା ବେଳେ ନିଜର ଅପାରଗତାକୁ ଚପାଇବା ନିମନ୍ତେ ମିଛର ଆଶ୍ରୟ ନେଇ ସବୁ କିଛି ଠିକ୍ ରହିଛି ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ତପନ ରଣା କହିଛନ୍ତି । ଅତୀତରେ ବାରିପଦା ମେଡ଼ିକାଲରେ ଉପଲବ୍ଧ ସମସ୍ତ ସେବାକୁ ନେଇ କେବଳ ମୟୂରଭଞ୍ଜ ଜିଲ୍ଲା ନୁହେଁ ପଡେ଼ାଶୀ ଜିଲ୍ଲା ବାଲେଶ୍ୱର ସହିତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଖ୍ୟାତି ଅର୍ଜନ କରିଥିଲା । ଏହି ସମସ୍ତ ଅଞ୍ଚଳରୁ ଦୈନିକ ଶହ ଶହ ରୋଗୀ ବାରିପଦା ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ଆସୁଥିବା ବେଳେ ଅଳ୍ପ କେତେ ବର୍ଷ ହେବ ସବୁକିଛି ସୁନାମ ଓ ଖ୍ୟାତିକୁ ଏମାନେ ମାଟିରେ ମିଶାଇ ଦେଇଛନ୍ତି ବୋଲି କହିଛନ୍ତି । 

0
0
0
s2sdefault